ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଖଜା ମହାପ୍ରସାଦ ନୁହେଁ: ପୁରୀ ଜିଲ୍ଲାପାଳ

ଓଏଲ୍ ବ୍ୟୁରୋ: ପୁରୀ ଯିବା, ଜଗା ଦର୍ଶନ କରିବା, ମହାପ୍ରସାଦ ଖାଇବା ଆଉ ଫେଇବା ବେଳେ ସାଙ୍ଗରେ ଖଜା କିଣି ଆଣିବା ପ୍ରାୟ ସବୁ ଭକ୍ତଙ୍କ ଇଚ୍ଛା । ହେଲେ ଏସବୁ ଭିତରେ ଏବେ ଖଜା ବିକ୍ରି ନେଇ ବଡ ଖବର ସାମ୍ନାକୁ ଆସିଛି। ମହାପ୍ରସାଦ ନାମରେ ଭକ୍ତଙ୍କୁ ଖଜା ବିକ୍ରି କରି ଚୂନ ଲଗାଉଛନ୍ତି ବ୍ୟବସାୟୀ। ଏପରିକି ଅତ୍ୟନ୍ତ ନିମ୍ନମାନର ଖଜାକୁ ଚଢ଼ା ଦାମର ଭକ୍ତଙ୍କୁ ବିକ୍ରି କରୁଛନ୍ତି। କେବଳ ସେତିକି ନୁହେଁ ଓଜନ ମାପରେ ମଧ୍ୟ ବ୍ୟାପକ ଭାବେ ଠକେଇ କରି ଭକ୍ତଙ୍କ ଠାରୁ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି।
ସୂଚନା ଅନୁସାରେ, ଜଣେ ଭକ୍ତ ଖଜା କିଣିବା ସମୟରେ ଠକେଇର ଶିକାର ହେବା ପରେ ସିଂହଦ୍ଵାର ଥାନାରେ ଅଭିଯୋଗ କରିଥିଲେ। ଯାହାକୁ ଗୁରୁତର ଭାବେ ନେଇ ଆକ୍ସନ ମୋଡକୁ ଆସିଛି ପୁରୀ ଜିଲ୍ଲା ପ୍ରଶାସନ। ଦୁଇ ଜଣ ଖଜା ବ୍ୟବସାୟୀଙ୍କୁ ଗିରଫ କରାଯାଇଥିବା ବେଳେ ବଡଦାଣ୍ଡ ଓ ଶ୍ରୀମନ୍ଦିର ଚାରିପାଖରେ ବେଆଇନ ଭାବେ ଖଜା ବିକ୍ରି କରୁଥିବା ଉଠାଦୋକାନୀଙ୍କୁ ସ୍ବତନ୍ତ୍ର ସ୍କ୍ୱାର୍ଡ ଦ୍ବାରା ହଟାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ।
ସେହିପରି ବିକ୍ରି ହେଉଥିବା ଖଜାର ମାନ ମଧ୍ୟ ଯାଞ୍ଚ କରାଯିବ। ଫୁଡ୍ ସେଫ୍ଟି ଲାଇସେନ୍ସ ନନେଇ ଖଜା ଫ୍ୟାକ୍ଟ୍ରି ଖୋଲିଥିବା ଖଜା ବ୍ୟବସାୟୀମାନଙ୍କ ଉପରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଭକ୍ତମାନେ କାହାରି କଥାରେ ବିଶ୍ବାସ ନକରି କେବଳ ଶ୍ରୀମନ୍ଦିର ଆନନ୍ଦ ବଜାରରେ ବିକ୍ରି ହେଉଥିବା ମହାପ୍ରସାଦ ଖଜା କିଣିବାକୁ ପୁରୀ ଜିଲ୍ଲାପାଳ ଭକ୍ତମାନଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଖଜା ମହାପ୍ରସାଦ ନୁହଁ ବୋଲି ଜିଲ୍ଲାପାଳ କହିଛନ୍ତି।