କୋରାପୁଟରେ ରୋଗୀଙ୍କ ମୃତ୍ୟୁ ଘଟଣା: ଡିଏମଟିଙ୍କ ତଦନ୍ତ ନିର୍ଦ୍ଦେଶ

ଓଏଲ୍ ବ୍ୟୁରୋ: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ରୋଗୀଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଆଉ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ଏଯାଏ ୬ ରୋଗୀଙ୍କ ମୃତ୍ୟୁ ହୋଇସାରିଲାଣି। ଗୋଟିଏ ରାତିରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ୫ ଜଣ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ହୋଇଥିଲା। ସେଥିରୁ ଆଇସିୟୁ ସର୍ଜରିରେ ଥିବା ୩ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ୱାର୍ଡରେ ଥିବା ୨ ରୋଗୀଙ୍କ ମୃତ୍ୟୁ ହୋଇଛି। ଡିଏମଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ, ଅଭିଯୋଗ ମୁତାବିକ ନର୍ସଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ଆଇସିୟୁ ସର୍ଜରିରେ ଥିବା ୩ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ। ଆଇସିୟୁ ସର୍ଜରିରେ ଭଗବାନ ପରିଜା, ଶୁକ୍ରା ମାଝୀ ଓ ରୁକୁନି ପେଣ୍ଟିଆଙ୍କ ମୃତ୍ୟୁ ହୋଇଛି। ସେହିପରି ୱାର୍ଡରେ ଥିବା ବତି ଖରା ଓ ଫୁଲମତି ମାଝୀଙ୍କର ଜୀବନ ଯାଇଛି। ୱାର୍ଡରେ ଥିବା ଦୁଇ ମହିଳାଙ୍କର କେଉଁ କାରଣରୁ ମୃତ୍ୟୁ ହୋଇଛି ଜଣାପଡ଼ିନାହିଁ।
ଆଇସିୟୁ ସର୍ଜରିରେ ମୃତ୍ୟୁ ହୋଇଥିବା ୩ ରୋଗୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରଖାଯାଇଛି। ଆଜି ବ୍ୟବଚ୍ଛେଦ ହେଲେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି। ଅନ୍ୟପଟେ ମେଡିକାଲ କଲେଜରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ଅଧିକ ପୁଲିସ ମୁତୟନ କରାଯାଇଛି।