ପାଖେଇ ଆସୁଛି ବିଶ୍ଵପ୍ରସିଦ୍ଧ ରଥଯାତ୍ରା, ଚକ ସହିତ ସଂଯୋଗ ହେଲା ଅଖ

ଓଏଲ୍ ବ୍ୟୁରୋ: ଆସନ୍ତା ୨୭ ତାରିଖରେ ପୁରୀର ବିଶ୍ଵପ୍ରସିଦ୍ଧ ରଥଯାତ୍ରା। ଶ୍ରୀନଅର ସମ୍ମୁଖ ରଥଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ଜୋରସୋରରେ ଆଗେଇ ଚାଲିଛି ଶ୍ରୀଜିଉଙ୍କ ତିନି ରଥ ନିର୍ମାଣ। ମହାପ୍ରଭୁଙ୍କ ରଥ ନିର୍ମାଣ ଗୁରୁତ୍ୱପୂର୍ଣ୍ଣ ସୋପାନରେ ପହଞ୍ଚିଛି। ତିନି ରଥର ସମସ୍ତ ଚକ ସହିତ ଅଖ ସଂଯୋଗ ହୋଇଛି।
ଅନ୍ୟପଟେ, ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସକ୍ରିୟ ତଥା ସଜାଗ ରହିବାକୁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି। ଜୁନ ୧୧ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ୨୬ରେ ନବଯୌବନ ଦର୍ଶନ, ୨୭ରେ ରଥଯାତ୍ରା, ଜୁଲାଇ ୧ ତାରିଖରେ ହେରା ପଞ୍ଚମୀ, ୪ରେ ସନ୍ଧ୍ୟା ଦର୍ଶନ, ୫ ରେ ବାହୁଡା, ୬ ରେ ସୁନାବେଶ, ୭ରେ ଅଧରପଣା ଓ ଜୁଲାଇ ୮ ତାରିଖରେ ଅନୁଷ୍ଠିତ ହେବ ନୀଳାଦ୍ରିବିଜେ ନୀତି। ଦେଶ ବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବନ୍ଦୋବସ୍ତ ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି।
ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ସ୍ଥାପନ, ଟ୍ରାଫିକ ସୁପରିଚାଳନା ନିମନ୍ତେ ରୋଡ ଡିଭାଇଡର, ଡିଲିନେଟର ଓ ଟ୍ରାଫିକ ଜୋନ ବ୍ୟବସ୍ଥା, ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ସହ ଟ୍ରାଫିକ ପରିଚାଳନା ସମ୍ପର୍କରେ ଆଲୋଚନା କରାଯାଇଛି। ସେହିପରି ସମୁଦ୍ର କୂଳରେ ପୋଲିସ ପକ୍ଷରୁ ପାଟ୍ରୋଲିଂ କଡାକଡି କରାଯିବା ସହ ଅସ୍ଥାୟୀ ପୁଲିସ ଆଉଟପୋଷ୍ଟ ଖୋଲାଯିବ। ଏହାଛଡ଼ା ରେଳବାଇ ପୁଲିସ ପକ୍ଷରୁ ପୁରୀ, ଭୁବନେଶ୍ବର, ଖୋର୍ଦ୍ଧା, ଜଟଣୀ ଆଦି ରେଳ ଷ୍ଟେସନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି।