Odisha Link
Bridging the Missing Links in Odisha

ରାଜ୍ୟରେ କରୋନା ଭୟ: ୪୯ ଛୁଇଁଲା ସଂକ୍ରମଣ ସଂଖ୍ୟା

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୯ରେ ପହଞ୍ଚିଛି। ଅନ୍ୟ ୩ ରୋଗୀ ମଧ୍ୟ ସୁସ୍ଥ ହୋଇଛନ୍ତି। ଏହି ୩ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ପହଞ୍ଚିଛି ୧୫ରେ। ଅର୍ଥାତ ରାଜ୍ୟରେ ସକ୍ରିୟ କୋଭିଡ ରୋଗୀଙ୍କ ସଂଖ୍ୟା ଏବେ ୩୪ ରହିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଦେଶରେ ଏବେ କୋଭିଡ୍ ରୋଗୀଙ୍କ ସଂଖ୍ୟା ୬ ହଜାର ପାର୍ କରିଛି। ୬ ହଜାର ୧୩୩ ଜଣ କୋଭିଡ୍ ପଜିଟିଭ ରହିଛନ୍ତି ଦେଶରେ। ୨୪ ଘଣ୍ଟାରେ ଦେଶରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୨୪ ଘଣ୍ଟାରେ ଦେଶରେ ୩୭୮ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି।

ସ୍ଥିତିକୁ ଦେଖି ପବ୍ଲିକ୍ ଆଡଭାଇଜରୀ ଜାରି କରିଛନ୍ତି କେନ୍ଦ୍ର ସରକାର । ଅକ୍ସିଜେନ୍, ଆଇସୋଲେସନ ବେଡ୍, ଭେଣ୍ଟିଲେଟର ଓ ଆବଶ୍ୟକୀୟ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ରାଜ୍ୟଗୁଡ଼ିକ ସହ ବୈଠକ ପରେ କୋଭିଡ୍ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର।