Odisha Link
Bridging the Missing Links in Odisha

ବିମାନ ଦୁର୍ଘଟଣା: ଆହତଙ୍କୁ ଭେଟିବାକୁ ସିଭିଲ୍‌ ହସ୍ପିଟାଲ୍‌ରେ ପ୍ରଧାନମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଅହମ୍ମଦାବାଦ ଏୟାରପୋର୍ଟ ନିକଟରେ ବିମାନ ଦୁର୍ଘଟଣାଗ୍ରସ୍ତ। ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣା ହୋଇଛି। ବିମାନ ଦୁର୍ଘଟଣାର ସ୍ଥିତି ଦେଖିବା ପାଇଁ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିମାନ ଦୁର୍ଘଟଣାରେ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଅହମ୍ମଦାବାଦର ଯେଉଁ ସ୍ଥାନରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଥିଲା, ସେହି ସ୍ଥାନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ପରେ ଅହମ୍ମଦାବାଦର ସିଭିଲ୍ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଛନ୍ତି।

ବିମାନ ଦୁର୍ଘଟଣାକୁ ନେଇ ସମୀକ୍ଷା ବୈଠକ ମଧ୍ୟ କରିବେ ପ୍ରଧାନମନ୍ତ୍ରୀ। ଏୟାର ଇଣ୍ଡିଆର ଏହି ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ ହୋଇଛି। ସେ ଲଣ୍ଡନରେ ରହୁଥିବା ତାଙ୍କ ଝିଅଙ୍କୁ ଭେଟିବାକୁ ଯାଉଥିଲେ। ବିଜୟ ରୂପାନୀଙ୍କ ପତ୍ନୀ ଏବେ ଲଣ୍ଡନରେ ଅଛନ୍ତି। ବିଜୟ ରୂପାନୀ ଲଣ୍ଡନରେ ପହଞ୍ଚିବା ପରେ ପତ୍ନୀଙ୍କ ସହ ଝିଅ ଘରକୁ ଯାଇଥାନ୍ତେ। ବିଜୟ ରୂପାନୀ ଦୁଇଥର ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ରାଜକୋଟ ପଶ୍ଚିମରୁ ସେ ବର୍ତ୍ତମାନ ବିଧାୟକ ଥିଲେ। ସମସ୍ତ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଁଏ ଦେବାକୁ ଘୋଷଣା କରିଛି ଟାଟା ଗ୍ରୁପ।

ସୂଚନା ଅନୁସାରେ, ପ୍ରାୟ ଦିନ ୧. ୩୮ ବେଳେ ଅହମ୍ମଦାବାଦ ଏୟାରପୋର୍ଟରୁ ଉଡ଼ାଣ ଭରିଥିଲା ଏୟାର ଇଣ୍ଡିଆର ଏକ ବିମାନ। ଅହମ୍ମଦାବାଦ ବିମାନ ବନ୍ଦରରୁ ଲଣ୍ଡନ ଅଭିମୁଖେ ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନ ଟେକ୍‌ଅଫ୍‌ କରିଥିଲା। ଏହି ବିମାନରେ ମୋଟ କ୍ର୍ୟୁ ମେମ୍ବରକୁ ମିଶାଇ ମୋଟ ୨୪୨ ଜଣ ଯାତ୍ରୀ ରହିଥିଲେ। ସେମାନଙ୍କ ମଧ୍ୟରେ ୧୬୯ ଭାରତୀୟ ନାଗରିକ, ୫୩ ବ୍ରିଟିସ ନାଗରିକ, ୭ ପର୍ତ୍ତୁଗାଲ ନାଗରିକ ଓ ଜଣେ କାନାଡାର ନାଗରିକ ଯାତ୍ରା କରୁଥିଲେ। ହେଲେ ମାତ୍ର ୫ ମିନିଟ ମଧ୍ୟରେ ଏହାରେ ବିଜେ ମେଡିକାଲ କଲେଜ୍ ଡାକ୍ତରୀ ଛାତ୍ରୀ ହଷ୍ଟେଲ କୋଠା ଉପରେ ଖସି ପଡ଼ିଥିଲା।

କେହି କିଛି ବୁଝିବା ପୂର୍ବରୁ ବିମାନଟି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ଯେଉଁଥିରେ ୨୪୧ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏଥିରେ କ୍ର୍ୟୁ ମେମ୍ବର ବି ସାମିଲ ରହିଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣାରେ ପ୍ରାୟ ୫୦ ଜଣ ସାଧାରଣ ନାଗରିକ ବି ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।