Odisha Link
Bridging the Missing Links in Odisha

ବିମାନ ଦୁର୍ଘଟଣା: ସ୍ଥିତି ଅନୁଧ୍ୟାନ ପରେ ସମୀକ୍ଷା ବୈଠକ କଲେ ପ୍ରଧାନମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଅହମ୍ମଦାବାଦ ଏୟାରପୋର୍ଟ ନିକଟରେ ବିମାନ ଦୁର୍ଘଟଣାଗ୍ରସ୍ତ। ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣା ହୋଇଛି। ବିମାନ ଦୁର୍ଘଟଣାର ସ୍ଥିତି ଦେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିମାନ ଦୁର୍ଘଟଣାରେ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଅହମ୍ମଦାବାଦର ଯେଉଁ ସ୍ଥାନରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଥିଲା, ସେହି ସ୍ଥାନରେ ପହଞ୍ଚି ସ୍ତିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ପରେ ଅହମ୍ମଦାବାଦର ସିଭିଲ୍ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଛନ୍ତି। ଆହତଙ୍କୁ ଭେଟିବା ପରେ ବରିଷ୍ଠ ଅଧିକାରୀଙ୍କ ସହ ଘଟଣା ସମ୍ପର୍କରେ ବୈଠକ ଜାରି ରହିଛି।

ସୂଚନା ଅନୁସାରେ, ଗତକାଲି ପ୍ରାୟ ଦିନ ୧.୩୮ ବେଳେ ଅହମ୍ମଦାବାଦ ଏୟାରପୋର୍ଟରୁ ଉଡ଼ାଣ ଭରିଥିଲା ଏୟାର ଇଣ୍ଡିଆର ଏକ ବିମାନ। ଅହମ୍ମଦାବାଦ ବିମାନ ବନ୍ଦରରୁ ଲଣ୍ଡନ ଅଭିମୁଖେ ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନ ଟେକ୍‌ଅଫ୍‌ କରିଥିଲା। ଏହି ବିମାନରେ ମୋଟ କ୍ର୍ୟୁ ମେମ୍ବରକୁ ମିଶାଇ ମୋଟ ୨୪୨ ଜଣ ଯାତ୍ରୀ ରହିଥିଲେ। ସେମାନଙ୍କ ମଧ୍ୟରେ ୧୬୯ ଭାରତୀୟ ନାଗରିକ, ୫୩ ବ୍ରିଟିସ ନାଗରିକ, ୭ ପର୍ତ୍ତୁଗାଲ ନାଗରିକ ଓ ଜଣେ କାନାଡାର ନାଗରିକ ଯାତ୍ରା କରୁଥିଲେ। ହେଲେ ମାତ୍ର ୫ ମିନିଟ ମଧ୍ୟରେ ଏହାରେ ବିଜେ ମେଡିକାଲ କଲେଜ୍ ଡାକ୍ତରୀ ଛାତ୍ରୀ ହଷ୍ଟେଲ କୋଠା ଉପରେ ଖସି ପଡ଼ିଥିଲା।

କେହି କିଛି ବୁଝିବା ପୂର୍ବରୁ ବିମାନଟି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ଯେଉଁଥିରେ ୨୪୧ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏଥିରେ କ୍ର୍ୟୁ ମେମ୍ବର ବି ସାମିଲ ରହିଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣାରେ ପ୍ରାୟ ୫୦ ଜଣ ସାଧାରଣ ନାଗରିକ ବି ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।