ଆଜି ଭୁବନେଶ୍ୱରରେ ଅଧାରୁ ଅଫିସ ଛୁଟି, ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଓଏଲ୍ ବ୍ୟୁରୋ: ରାଜ୍ୟରେ ବିଜେପି ସରକାର ଶାସନକୁ ଏକ ବର୍ଷ ପୂରଣ ହୋଇଛି। ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସୁଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ମିଳିଛି। ଭାରତୀୟ ବାୟୁସେନାର ସ୍ଵତନ୍ତ୍ର ବିମାନ ଯୋଗେ ପହଞ୍ଚିବେ। ଆଜି ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ।
ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ସ୍ତରୀୟ ସମାବେଶ ହେବାକୁ ଥିବାରୁ ବିପୁଳ ଜନ ସମାଗମ ହେବାର ସମ୍ଭାବନା ଅଛି। ପ୍ରାୟ ୨ ଲକ୍ଷ ଲୋକ ଏଥିରେ ଯୋଗ ଦେବାର ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ଭୁବନେଶ୍ଵର ଗସ୍ତରେ ଆସୁଛନ୍ତି ଓ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଏକ “ରୋଡ୍ ଶୋ” ର ଯୋଜନା କରାଯାଇଛି। ଜନସାଧାରଣଙ୍କ ସୁଗମନାଗମନ ପାଇଁ ଟ୍ରାଫିକ କଟକଣା ଗୁଡ଼ିକ ଲାଗୁ କରାଯାଇଛି।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ଟ୍ରାଫିକ୍ ସମସ୍ୟା ଉପୁଜିବା ଆଶଙ୍କା କରି ଭୁବନେଶ୍ବରରେ ଆଜି ହାଫ୍ ଡେ’ ଡ୍ୟୁଟି ଘୋଷଣା କରାଯାଇଛି। ଆଜି ଦ୍ବିତୀୟାର୍ଦ୍ଧରେ ଭୁବନେଶ୍ବରରେ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ଭୁବନେଶ୍ବର ମହାନଗର ନିଗମ ଅନ୍ତର୍ଗତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ରାଜସ୍ବ ଓ ମାଜିଷ୍ଟେରିଆଲ କୋର୍ଟ ମଧ୍ୟ ଛୁଟି ରହିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।