ବାର୍ଡ-ଫ୍ଲୁ ପାଇଁ ବାଜିଲା ସତର୍କ ଘଣ୍ଟି; କରୋନାଠୁ ୧୦୦ ଗୁଣା ମାରାତ୍ମକ ଏହି ରୋଗ!

ଓଏଲ୍ ବ୍ୟୁରୋ: ସାରା ଦେଶରେ କରୋନା ମହାମାରୀର ଭୟାବହରୁ ଟିକେ ମୁକ୍ତି ମିଳିଥିବାବେଳେ ଆଉ ଏକ ମହାମାରୀ ଆଶଙ୍କା ଖବର ଚଡକ ପକାଇଛି। ବାର୍ଡଫ୍ଲୁ ମହାମାରୀ ବ୍ୟାପିବା ନେଇ ସତର୍କ ସୂଚନା ଜାରି କଲେଣି ବିଶେଷଜ୍ଞ। ଏହା କୋଭିଡ୍-୧୯ ଠାରୁ ବି ବିନାଶକାରୀ ହେବ ବୋଲି କୁହାଯାଉଛି। ବିଶେଷ କରି H5N1 ଷ୍ଟ୍ରେନ୍ ଅଧିକ ବିପଦ ସୃଷ୍ଟି କରିବ। କାରଣ ଏହି ଷ୍ଟ୍ରେନ୍ ବିଶ୍ୱରେ ପୁଣି ଏକ ବିନାଶକାରୀ ମହାମାରୀ ସୃଷ୍ଟି କରିବା ଦିଗରେ ଭୟଙ୍କର ଭାବେ ଅଗ୍ରସର ହେଉଛି ବୋଲି ବିଶେଷଜ୍ଞମାନେ ଚେତାଇଲେଣି। ସେପଟେ ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ୍ କହିଛି ଫ୍ଲୁ ବ୍ୟାପିବା ସ୍ଥିତି ଉପରେ ସତର୍କତାର ନଜର ରଖାଯାଇଛି।
ଭାରତର ଖ୍ୟାତନାମା ବାର୍ଡ ଫ୍ଲୁ ଗବେଷକ ଡ. ସୁରେଶ କୁଚିପୁଡି ଏନେଇ ସତର୍କ ସୂଚନା ଜାରି କରିଛନ୍ତି। H5N1 ପାଇଁ ଆମେ ପୁଣି ଏକ ମହାମାରୀର ଦ୍ୱାରଦେଶରେ ପହଞ୍ଚିଲେଣି ବୋଲି କୁଚିପୁଡ଼ି କହିଛନ୍ତି। ମହାମାରୀ ଖେଳାଇବା ପାଇଁ ଏହି ଭାଇରସ ମଣିଷ ସମେତ ସ୍ତନ୍ୟପାୟୀ ପ୍ରାଣୀଙ୍କ ଦେହର କେତେ ଶୀଘ୍ର ବ୍ୟାପେ ତା’ର ଦକ୍ଷତା ପୂର୍ବରୁ ଦେଖାଯାଇ ସାରିଛି। ତେବେ ସବୁଠାରୁ ବଡ଼ କଥା ହେଲା ଏହି ଭୂତାଣୁ ଦ୍ରୁତ ବ୍ୟାପିବା ସହିତ ମୃତ୍ୟୁ ଆଶଙ୍କା ଉଚ୍ଚ ସ୍ତରରେ ରହିଛି। ତେଣୁ କୋଭିଡ୍ ଭଳି ଏହା ବିଶ୍ୱ ମହାମାରୀ ସୃଷ୍ଟି କରିପାରେ ବୋଲି ଫାର୍ମସୁଟିକାଲ ଇଣ୍ଡଷ୍ଟ୍ରୀ କନସଲ୍ଟାଣ୍ଟ ଜନ ଫୁଲଟନ କହିଛନ୍ତି। ଯଦି ମୃତ୍ୟୁ ଆଶଙ୍କା ଏହିଭଳି ରହେ ତେବେ H5N1ଫ୍ଲୁ କୋଭିଡ୍-୧୯ ଠାରୁ ୧୦୦ ଗୁଣା ଖରାପ ସ୍ଥିତି ସୃଷ୍ଟି କରିବ ବୋଲି ଫୁଲ୍ଟନ କହିଛନ୍ତି।
ବିଭିନ୍ନ ସ୍ଥାନରେ ଗାଈ, ବିଲେଇ ଏବଂ ମଣିଷ ଭଳି ସ୍ତନ୍ୟପାୟୀ ପ୍ରାଣୀଙ୍କ ଦେହରେ H5N1 ଚିହ୍ନଟ ହେଉଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିଯାଇଛି। କାରଣ ଏହା ମଣିଷ ଦେହରେ ସହଜରେ ପ୍ରବେଶ କରିବା ପାଇଁ ରୂପାନ୍ତରିତ ହୋଇ ଚାଲିଛି। ଆମେରିକାର ଟେକ୍ସାସ ସହରରେ ଗୋପାଳନ କରୁଥିବା ଜଣେ ଚାଷୀ H5N1 ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ୬ଟି ରାଜ୍ୟରେ ଗାଈମାନଙ୍କର ୧୨ଟି ଦଳ ଓ ଟେକ୍ସାସର ୩ଟି ବିଲେଇଙ୍କର ଏହି ଭାଇରସରେ ସଂକ୍ରମିତ ହୋଇ ମୃତ୍ୟୁ ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି।