Odisha Link
Bridging the Missing Links in Odisha

ଭୀଷଣ ଗରମ କାରଣରୁ ସ୍କୁଲରେ ହିଁ ଅଚେତ ହେଲେ ୧୮ ଛାତ୍ରଛାତ୍ରୀ, ମେଡିକାଲରେ ଚାଲିଛି ଚିକିତ୍ସା

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାତିଠୁ ବଳି ଯାଉଛି ଚଳିତ ବର୍ଷ ଖରାର ତାତି। ଦେଶର ଅଧିକାଂଶ ସହରରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍‌ ମଧ୍ୟ ରେକର୍ଡ କରାଯାଉଛି। ଦିଲ୍ଲୀରେ ୪୯.୯ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ୧୦୦ ବର୍ଷର ରେକର୍ଡ ଭାଙ୍ଗିଛି ତାପମାତ୍ରା। କେବଳ ଦିଲ୍ଲୀ ନୁହେଁ, ମଧ୍ୟପ୍ରଦେଶ, ରାଜସ୍ଥାନ, ହରି୍ରାଣା, ବିହାର, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ମଧ୍ୟ ତାତି ବଢ଼ିବାରେ ଲାଗିଛି। ଦେଶର ପ୍ରାୟ ରାଜ୍ୟର ସ୍କୁଲ ଗୁଡ଼ିକ ବର୍ତ୍ତମାନ ଛୁଟି ଥିବା ବେଳେ ବିହାରରେ ସ୍କୁଲ ଖୋଲା ଅଛି। ପିଲାଙ୍କ ପାଠପଢ଼ା ମଧ୍ୟ ଚାଲିଛି। ଏସବୁ ମଧ୍ୟରେ ଅସହ୍ୟ ଗରମକୁ ସହ୍ୟ ନକରି ପାରି ଛାତ୍ରଛାତ୍ରୀ ଅଚେତ ହୋଇ ଯାଇଥିଲେ।

ମିଳିଥିବା ସୂଚନା ମୁତାବକ, ମାଟିହାନୀ ମଧ୍ୟ ବିଦ୍ୟାଳୟରେ ଭୀଷଣ ଗରମ କାରଣରୁ ୧୮ ଜଣ ଛାତ୍ରଛାତ୍ରୀ ଅଚେତ ହୋଇ ଯାଇଥିଲେ। ନିକଟସ୍ଥ ମେଡିକଲାରେ ଅଚେତ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଚାଲିଛି। ସେହି ଅଞ୍ଚଳର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ହେଲେ ବିହାରରେ ଏବେ ବି ସ୍କୁଲ ଖୋଲା ରହିଛି। ଯାହାକୁ ନେଇ ଅଭିଭାବକ ମାନେ ପ୍ରଶ୍ନ ଉଠାଇଛନ୍ତି।

ସ୍କୁଲର ଶିକ୍ଷକଙ୍କ କହିବା ମୁତାବକ, ପୂର୍ବାହ୍ନ ୧୦ଟା ପାଖାପାଖି ଜଣକ ପରେ ଜଣେ ଛାତ୍ରଛାତ୍ରୀ ଅଚେତ ହୋଇପଡ଼ିଥିଲେ। ଏହାପରେ ପ୍ରଧାନଶିକ୍ଷକ ଚନ୍ଦ୍ରକାନ୍ତ ସିଂହ ଓ ଶିକ୍ଷକ ମାନେ ଅଚେତ ଛାତ୍ରଛାତ୍ରୀଙ୍କୁ ଓଆରଏସ୍‌ ପାଣି ପିଇବାକୁ ଦେଇଥିଲେ। ଏହାପରେ ବି ଅଚେତ ହୋଇଥିଲେ ଛାତ୍ରଛାତ୍ରୀ। ଯାହାପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଥିଲା।