Odisha Link
Bridging the Missing Links in Odisha

ବ୍ରିଟେନ୍‌ରୁ ୧୦୦ ଟନ୍‌ ସୁନା ଫେରାଇ ଆଣିଲା ଭାରତ, ଜାଣନ୍ତୁ କେଉଁଠି ରହିବ ଏତେ ସୁନା

ଓଏଲ୍‌ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନେଲା ବଡ଼ ପଦକ୍ଷେପ। ବ୍ରିଟେନ୍‌ରୁ ୧୦୦ ଟନ୍‌ରୁ ଅଧିକା ସୁନା ଭାରତକୁ ଫେରାଇ ଆଣିଛି। ଏଥିସହିତ ସୁନାକୁ ଦେଶର ଭଣ୍ଡାରକୁ ସ୍ଥାନାନ୍ତର କରିଛି। ବ୍ୟାଙ୍କ ଅଫ୍‌ ଇଂଲଣ୍ଡରେ ଗଚ୍ଛିତ ରଖିଥିବା ସୁନା ମଧ୍ୟରୁ ଆରବିଆଇ ପୁଣି ଥରେ ୧୦୦ ଟନ୍ ସୁନା ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି। ଆଗାମୀ ଦିନରେ ଏସବୁ ସୁନା ଭାରତକୁ ଫେରିବ।

ବିଜନେସ୍‌ ଟୁଡେ ରିପୋର୍ଟ ଅନୁସାରେ, ଏବେ ଇଂଲଣ୍ଡରୁ ୧୦୦ ଟନ୍‌ ସୁନା ଫେରାଇ ଆଣି ଭାରତର ଭଣ୍ଡାରରେ ରଖାଯାଇଛି। ଆରବିଆଇ ଅଧିକାରୀମାନେ କହିଛନ୍ତି, ଆଗାମୀ ଦିନରେ ମଧ୍ୟ ସମାନ ପରିମାଣର ସୁନା ଭାରତକୁ ଫେରାଇ ଅଣାଯିବ। ଭବିଷ୍ୟତରେ ଆର୍ଥିକ ସ୍ଥିରତା ବଜାୟ ରଖିବା ପାଇଁ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଦେଶର ରାଜକୋଷରେ ସୁନା ପରିମାଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏପରି ନିଷ୍ପତ୍ତି ନିଆଯାଇଛି।

ବ୍ୟାଙ୍କ ଅଫ୍ ଇଂଲଣ୍ଡ (BOI) ହୋଉଛି ବିଶ୍ୱର ଦ୍ୱିତୀୟ ସୁନା ଭଣ୍ଡାର। ଅନେକ ଦେଶ ଏହି ସୁନା ଭଣ୍ଡାରରେ ନିଜର ସୁନା ରଖନ୍ତି। ଏଥିପାଇଁ ସେମାନଙ୍କୁ ବ୍ରିଟେନର ସେଣ୍ଟ୍ରାଲ ବ୍ୟାଙ୍କକୁ ମଧ୍ୟ ଦେୟ ଦେବାକୁ ପଡ଼ିଥାଏ। ଭାରତ ମଧ୍ୟ ଏହି ଫି ପ୍ରଦାନ କରୁଛି। ସ୍ୱାଧୀନତା ପୂର୍ବରୁ ମଧ୍ୟ ଭାରତ ଲଣ୍ଡନ ବ୍ୟାଙ୍କରେ ସୁନା ରଖିଛି।

ସରକାରୀ ସୂତ୍ରରୁ ପ୍ରକାଶ ତଥ୍ୟ ଅନୁସାରେ, ମାର୍ଚ୍ଚ ଶେଷ ସୁଦ୍ଧା ଆରବିଆଇ ପାଖରେ ୮୨୨.୧ ଟନ୍ ସୁନା ରହିଛି, ସେଥିମଧ୍ୟରୁ ୪୧୩.୮ ଟନ୍ ବିଦେଶରେ ଅଛି। ବର୍ତ୍ତମାନ ଏହି ସୁନା ଧୀରେ ଧୀରେ ଭାରତକୁ ଅଣାଯାଉଛି।