Odisha Link
Bridging the Missing Links in Odisha

ବଡ଼ ଡାକ୍ତରଖାନାରେ ବଡ଼ ପାପ, ଗିରଫ ହେଲେ ଡାକ୍ତର

ଓଏଲ୍‌ ବ୍ୟୁରୋ: କଟକ ଏସ୍‌ସିବି ମେଡିକାଲ କଲେଜ ପରିସରରେ ଦୁଇ ମହିଳାଙ୍କୁ ଦୁଷ୍କର୍ମ ଅଭିିଯୋଗ ଘଟଣାରେ ଗିରଫ ହେଲେ ଅଭିଯୁକ୍ତ ଡାକ୍ତର ଦିଲବର ସିଂହ ଠାକୁର। ମଙ୍ଗଳବାଗ ଥାନା ପୁଲିସ ତାଙ୍କୁ ଗିରଫ କରି କୋର୍ଡ ଚାଲାଣ କରିଛି। ଦୁଇ ପୀଡ଼ିତା ମହିଳା ଏବେ ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

କଟକ ବଡ଼ଡାକ୍ତରଖାନା ହୃଦ୍‌ରୋଗ ବିଭାଗକୁ ଗଲା ରବିବାର ଦିନ ପ୍ରାୟ ୧୦ଟା ବେଳେ ଜଣେ ପିଜି ଦ୍ବିତୀୟ ବର୍ଷ ଡାକ୍ତରୀ ଛାତ୍ର ତାଙ୍କ ମା’ ଓ ମାଇଁଙ୍କୁ ଚିକିତ୍ସା ପାଇଁ ଆଣିଥିଲେ। ଉଭୟ ହୃଦ୍‌ରୋଗରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ସେଦିନ ଛୁଟି ଥିବାରୁ ବିଭାଗ ଏକପ୍ରକାର ଖାଲିଥିଲା। ଡାକ୍ତର ଦିଲବର ସିଂହ ଠାକୁର ସେମାନଙ୍କୁ ‌ଇକୋ ରୁମ୍‌କୁ ନେଇ ଯାଇଥିଲେ। ଅନ୍ୟ କୌଣସି କର୍ମଚାରୀ ସେଠାରେ ନଥିବା ବେଳେ ଦିଲବର ସେମାନଙ୍କର ପରୀକ୍ଷା ଆଳରେ ଦୁଷ୍କର୍ମ କରିଥିଲେ। କିନ୍ତୁ ଏହି ପରୀକ୍ଷା ପରେ ସେମାନେ ଛାତି ଓ ଯୌନାଙ୍ଗରେ ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ।

ପରେ ଡାକ୍ତର ଉଭୟଙ୍କ ଯୌନାଙ୍ଗରେ ପରୀକ୍ଷା ସମୟରେ ବାରମ୍ବାର କିଛି କରିଥିବା ସେମାନେ ଅନୁଭବ କରିଥିଲେ। ୪୪ ଓ ୫୦ ବର୍ଷୀୟା ଏହି ଦୁଇ ମହିଳା ଘଟଣା ସଂପର୍କରେ ଡାକ୍ତରୀ ପଢୁଥିବା ପୁଅକୁ ପ୍ରଥମେ ଜଣାଇଥିଲେ। ଏହା ପରେ ଡାକ୍ତରୀ ଛାତ୍ରଙ୍କ ମା’ ଓ ମାଇଁ ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗରେ ଭର୍ତ୍ତି ହୋଇଥିଲେ। ଦିଲବରର ଏଭଳି କାର୍ଯ୍ୟକଳାପ ସଂପର୍କରେ ଜଣାପଡ଼ିବା ପରେ ତାଙ୍କୁ ପୁରୁଣା ଜେଣ୍ଟସ୍ ପିଜି ହଷ୍ଟେଲକୁ ଟେକି ନେଇ କେତେକ ଯୁବକ ନିସ୍ତୁକ ଛେଚିଥିଲେ।

କଟକ କମିସନରେଟ୍ ପୁଲିସ ଡିସିପି ଦାୟିତ୍ବରେ ଥିବା ଡିଆଇଜି ପ୍ରକାଶ. ଆରଙ୍କ ସୂଚନା ଅନୁଯାୟୀ, ଦୁଇ ପୀଡ଼ିତାଙ୍କୁ ଦୁଷ୍କର୍ମ ଘଟଣାରେ ଗୋଟିଏ ମାମଲା ରୁଜୁ ହୋଇ ଅଭିଯୁକ୍ତ ଡାକ୍ତରକୁ ଗିରଫ କରାଯାଇଛି। ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ ଆଧାରରେ ଆଉ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଜାରି ରହିଛି। ଏଡିସିପି ଅନିଲ ମିଶ୍ର କହିଛନ୍ତି ବର୍ତ୍ତମାନ ମାମଲାର ତଦନ୍ତ ଆରମ୍ଭ ହୋଇଛି। ପୀଡ଼ିତାଙ୍କ ବୟାନ ପୁଲିସ ରେକର୍ଡ କରିବା ସହିତ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ବୟାନ ରେକର୍ଡ କରିବାକୁ ପଦକ୍ଷେପ ନେଉଛି। ଏହି ଘଟଣାରେ ସାକ୍ଷୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଉଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

Leave A Reply

Your email address will not be published.