Odisha Link
Bridging the Missing Links in Odisha

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ସାକ୍ଷ୍ୟ ଦେଲେ କ୍ରାଇମବ୍ରାଞ୍ଚ ଡିଏସପି

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ କୋର୍ଟରେ ହାଜର ହେଲେ ମାମଲାର ତଦନ୍ତକାରୀ ଅଧିକାରୀ। କ୍ରାଇମବ୍ରାଞ୍ଚ ଡିଏସପି ଅନିଲ କୁମାର ଦାସ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ମାମଲାର ୬୨ ନଂ ସାକ୍ଷୀ ଭାବେ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ଭିସିରେ ଉପସ୍ଥିତ ରହିଥିଲେ ପୁଞ୍ଜିଲାଲ ମେହେର।

ସୂଚନା ଅନୁସାରେ, ୨୦୧୮ ଫେବୃୟାରୀ ୨୩ରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା। ଏଥିରେ ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା। ନବବଧୂ ରିମା ସାହୁ ଗୁରୁତର ଆହତ ହୋଇ ଦୀର୍ଘଦିନ ଧରି ଚିକିତ୍ସିତ ହୋଇଥିଲେ।

ବିବାହ ଉତ୍ସବର ୫ ଦିନ ପରେ ଉପହାର ପ୍ୟାକେଟ୍‌ ଜରିଆରେ ଏହି ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିବା ରାଜ୍ୟ ତଥା ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ଘଟଣାରେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ବଲାଙ୍ଗୀର, ପାଟଣାଗଡ ରାୟପୁର ଅଞ୍ଚଳରେ ତଦନ୍ତ କରି ଭଇଁଷା କଲେଜ ଇଂଲିଶ ବିଭାଗ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଘଟଣାର ମାଷ୍ଟରମାଇଣ୍ଡ ଓ ଅଭିଯୁକ୍ତ ଦର୍ଶାଇ ଗିରଫ କରିଥିଲେ।

ଭଇଁଷା କଲେଜରେ ମୃତ ସୌମ୍ୟଶେଖରଙ୍କ ମା’ ସଂଯୁକ୍ତା ସାହୁ ଅଧ୍ୟକ୍ଷା ଭାବେ କାମ କରୁଥିଲେ। ସଂଯୁକ୍ତାଙ୍କ ପ୍ରତି ପ୍ରତିଶୋଧପରାୟଣ ହୋଇ ପୁଞ୍ଜିଲାଲ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟାଇଥିଲେ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା। ଏହି ଘଟଣାକୁ ନେଇ ‘ପାଟଣାଗଡ଼’ ଶୀର୍ଷକରେ ଏକ ଚଳଚ୍ଚିତ୍ର ନିର୍ମାଣ ହେଉଥିବା ଜଣାପଡିବା ପରେ ଏହାକୁ ସୌଦାମିନୀ ବିରୋଧ କରିଥିଲେ। ‘ପାଟଣାଗଡ଼’ ଚଳଚ୍ଚିତ୍ରର ପ୍ରଯୋଜକ, ନିର୍ମାତା ଓ ନିର୍ଦ୍ଦେଶକ ଓ କଳାକାରଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ଅରୁଣ ବୋଥ୍ରାଙ୍କ କାରଣରୁ ତାଙ୍କ ସ୍ବାମୀ ପୁଞ୍ଜିଲାଲ ଓ ପରିବାରର ମାନହାନି ହୋଇଥିବା ଦର୍ଶାଇ ତାଙ୍କୁ ଲିଗାଲ ନୋଟିସ ପ୍ରଦାନ କରିଥିଲେ। ଏହା ପରେ ଏହି ବିସ୍ଫୋରଣ ମାମଲାର ତତ୍କାଳୀନ ତଦନ୍ତକାରୀ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କୁ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ସ୍ତ୍ରୀ ସୌଦାମିନୀ ମେହେର ଓକିଲ ଜରିଆରେ ଲିଗାଲ ନୋଟିସ୍‌ ପଠାଇଥିଲେ।