Odisha Link
Bridging the Missing Links in Odisha

ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ କ୍ରୀଷ୍ଣା ଶ୍ରୀପଦ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ହାଇକୋର୍ଟ ଜଜ୍‌ ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ କ୍ରୀଷ୍ଣା ଶ୍ରୀପଦ। ହାଇକୋର୍ଟ ପୁରୁଣା ବିଲ୍ଡିଂରେ ହୋଇଥିଲା ଶପଥ ଗ୍ରହଣ ସମାରୋହ। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଜଷ୍ଟିସ ଦୀକ୍ଷିତ କ୍ରୀଷ୍ଣା ଶ୍ରୀପଦଙ୍କୁ ଶପଥ ପାଠ କରାଇଛନ୍ତି। ସୁପ୍ରିମ୍‌କୋର୍ଟ କଲେଜିୟମ୍ ଜଷ୍ଟିସ୍ ଶ୍ରୀପଦ୍‌ଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି କରିବାକୁ ସୁପାରିଶ କରିଥିଲେ। ୧୯୮୯ ମସିହାରେ ସେ ଓକିଲାତି ପେଶାରେ ନାମ ପଞ୍ଜିକରଣ କରିଥିଲେ। ବିଚାରପତି ପଦବୀ ଅଳଙ୍କୃତ କରିବା ପୂର୍ବରୁ ସେ କର୍ଣ୍ଣାଟକ ହାଇକୋର୍ଟରେ ଆମିକସ୍‌କ୍ୟୁରୀ ଭାବେ ନିଯୁକ୍ତି ପାଇଥିଲେ।

ସେହିପରି ବିଭିନ୍ନ ଜାତୀୟକରଣ ବ୍ୟାଙ୍କର ପ୍ୟାନେଲ୍ ଲୟର୍ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ବେଙ୍ଗାଲୁରୁ ଆଇନ ମହାବିଦ୍ୟାଳୟରେ ସେ ଆଇନ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ। କେନ୍ଦ୍ରୀୟ ନିର୍ବାଚନ ଆୟୁକ୍ତ ନିମନ୍ତେ ସେ ନିର୍ବାଚନୀ ମାମଲା ପରିଚାଳନା କରିଥିବା ବେଳେ କେନ୍ଦ୍ର ସରକାରଙ୍କ ଓକିଲ ଭାବେ ମଧ୍ୟ ମାମଲା ପରିଚାଳନା କରିଥିଲେ। ଏଥିସହିତ ବିଶ୍ୱବିଦ୍ୟାଳୟ ଗ୍ରାଣ୍ଟ କମିଶନ (ୟୁଜିସି)ପାଇଁ ଷ୍ଟାଣ୍ଡିଙ୍ଗ୍ କାଉନ୍‌ସେଲ୍‌,ଟେଲିକମ୍ ରେଗୁଲେଟୋରୀ ଅଥୋରିଟି ଅଫ୍ ଇଣ୍ଡିଆ, କର୍ଣ୍ଣାଟକ ଭେଟ୍‌ନାରୀ ସାଇନ୍‌ସ ୟୁନିଭର୍ସିଟି, ଭାବା ଆଟୋମିକ୍ ସେଣ୍ଟର ଭଳି ସଂସ୍ଥାର ମାମଲା ପରିଚାଳନା କରିଥିଲେ।