ରଥଯାତ୍ରା ପୂର୍ବରୁ ସ୍ୱତନ୍ତ୍ର ପ୍ରସ୍ତୁତି: ପୁରୀରେ ପୁଲିସ ଡିଜିଙ୍କ ସମୀକ୍ଷା ବୈଠକ

ଓଏଲ୍ ବ୍ୟୁରୋ: ଆଗାମୀ ସ୍ନାନଯାତ୍ର ଓ ରଥଯାତ୍ରା ସୁରକ୍ଷିତ, ଶୃଙ୍ଖଳିତ ଭାବେ କରିବା ନେଇ ପୁଲିସ ଡିଜି ପୁରୀ ଠାରେ ଆଜି ସମୀକ୍ଷା କରିଛନ୍ତି। ବୈଠକରେ ଦେଶରେ ବର୍ତମାନର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ସହ ରଥଯାତ୍ରା ସମୟରେ ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ତଥା ଆଇନ ଶୃଙ୍ଖଳା ବ୍ୟବସ୍ଥା ନେଇ ଆଲୋଚନା କରାଯାଇଥିଲା। ରାଜ୍ୟ ପୁଲିସ ବିଭାଗର ବରିଷ୍ଠ ପଦାଧିକାରୀ ମାନେ ଏହି ବୈଠକରେ ଯୋଗଦାନ କରିଥିବା ବେଳେ ଶୃଙ୍ଖଳିତ ରଥଯାତ୍ରା କରିବା ନେଇ ପୁଲିସ ପକ୍ଷରୁ ବିହିତ ପଦକ୍ଷେପ ନିଆଯାଇ ଥିବା ପୁଲିସ ଡିଜି ବୈଠକ ପରେ ସୂଚନା ଦେଇଛନ୍ତି।
ଏଥର ରଥଯାତ୍ରାରେ କଡା ସୁରକ୍ଷା ନେଇ କୋଷ୍ଟଗାର୍ଡ, ଭାରତୀୟ ନୌସେନା ର ସହଯୋଗ ନିଆଯିବ ସହ ସହରରେ ସିସିଟିଭି ଓ AI କ୍ୟାମେରା ଲଗାଯିବାକୁ ନିଷ୍ପତି ନିଆଯାଇଅଛି। ଚଳିତ ବର୍ଷ ରଥଯାତ୍ରା ଶୃଙ୍ଖଳିତ ଭାବେ ଶେଷ ନେଇ ପୁରୀ ପୁଲିସ ବଡ଼ ଚ୍ୟାଲେଞ୍ଜ ରହିଥିବା ଡ଼ିଜି ମତ ରଖିଛନ୍ତି। ବର୍ତ୍ତମାନର ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯିବା ସହ କୋଷ୍ଟଗାର୍ଡ ଓ ଭାରତୀୟ ନୌସେନା ର ସହଯୋଗ ଲୋଡ଼ାଯାଇଥିବା ବେଳେ ସୁରକ୍ଷା ଦୃଷ୍ଟି କୋଣରୁ ସ୍ୱତ୍ରନ୍ତ୍ର AI ଟେକନୋଲୋଜି ସହ ସିସିଟିଭି ବ୍ୟବହାର କରାଯିବ।
ସାଧାରଣତଃ ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ କୁ ନଜର ରେ ରଖି ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ସୁବ୍ୟବସ୍ଥା ନେଇ ମଧ୍ୟ ଆଜିର ବୈଠକରେ ଆଲୋଚନା କରାଯାଇଥିଲା। ଭୁବନେଶ୍ୱରରୁ ପୁରୀ ଆସୁଥିବା ଯାନ ବାହାନର ଚଳାଚଳର ସୁବ୍ୟବସ୍ଥା ସହ ବଡ଼ ଦାଣ୍ଡରେ ଭକ୍ତ ଭିଡ଼ ନିୟନ୍ତ୍ରଣ ସମେତ ଶୃଙ୍ଖଳିତ ରଥ ଟଣା କରାଇବା ନେଇ ସବିଶେଷ ଆଲୋଚନା ହୋଇଥିଲା। ସ୍ୱତନ୍ତ୍ର ଭାବେ ଚଳିତ ବର୍ଷ ସୁରକ୍ଷାକୁ ଆଖି ଆଗରେ ରଖି କୋଷ୍ଟାଲ ସିକ୍ୟୁରିଟିକୁ ବ୍ୟାପକ କରାଯଇଥିବା ଡ଼ିଜି ମତ ରଖିଥିଲେ। ତେବେ ଆଜି ବୈଠକ ପୂର୍ବରୁ ପୁଲିସ ଡ଼ିଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିବା ବେଳେ ଶ୍ରୀମନ୍ଦିର ଓ ପୁରୀର ସୁରକ୍ଷା ନେଇ ଏକ ସ୍ୱତ୍ରନ୍ତ୍ର ବୁଲେଟ ପ୍ରୁଫ ରକ୍ଷକ ଗାଡିକୁ ଉଦ୍ଘାଟନ କରିଥିଲେ। ତେବେ ବୈଠକରେ ରାଜ୍ୟ ପୁଲିସ ପ୍ରଶାସନର ବହୁ ବରିଷ୍ଠ ପଦାଧିକାରୀ ମାନେ ଯୋଗଦାନ କରିଥିବା ପରିଲକ୍ଷିତ ହୋଇଥିଲା।