Odisha Link
Bridging the Missing Links in Odisha

ବାହାନଗା ଦୁର୍ଘଟଣାକୁ ଦୁଇ ବର୍ଷ, ସାରା ବିଶ୍ୱକୁ ସ୍ତବ୍ଧ କରିଥିଲା କରମଣ୍ଡଳ ଏକ୍ସପ୍ରେସ

ଓଏଲ୍‌ ବ୍ୟୁରୋ: ବାଲେଶ୍ବରର ବାହାନଗାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାକୁ ୨ ବର୍ଷ ପୂରି ସାରିଛି। ଆଜି ବି ସେ କାଳରାତି କଥା ମନେ ପଡିଲେ ଲୋମ ଟାଙ୍କୁରି ଉଠୁଛି। ସେଦିନ ଥିଲା ୨୦୨୩ ଜୁନ୍ ୨ ଶୁକ୍ରବାର, ସମୟ ପାଖାପାଖି ୭ଟାରେ ହୋଇଥିଲା ଶତାବ୍ଦୀର ବଡ଼ ରେଳ ଦୁର୍ଘଟଣା। ମାଲ୍ ବାହୀ ଟ୍ରେନ୍, କରମଣ୍ଡଳ ଏକ୍ସପ୍ରେସ୍ ଓ ଯଶୋବନ୍ତପୁର ଏକ୍ସପ୍ରେସ୍ ମଧ୍ୟରେ ଦୁର୍ଘଟଣା ଘଟି ଛାରଖାର ହୋଇଯାଇଥିଲା ଅନେକ ଧନ ଜୀବନ। ସାରା ବିଶ୍ବକୁ ସ୍ତବ୍ଧ କରିଥିଲା କରମଣ୍ଡଳ ଟ୍ରେନ ଦୁର୍ଘଟଣା। ଆଜି ଏହି ଘଟଣାକୁ ଦୁଇ ବର୍ଷ ପୁରିଛି। ଏହି ଦୁର୍ଘଟଣାରେ ୨୯୪ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୧ ଶହରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ। କିଛି ମୃତ ବ୍ୟକ୍ତିଙ୍କ କୌଣସି ପରିଚୟ ଆଜି ବି ମିଳିପାରି ନାହିଁ। ଆଜି ବାହାନଗା ରେଳ ଷ୍ଟେସନ ଦେଇ ଦୌଡୁଛି ହଜାର ହଜାର ଟ୍ରେନ। ହେଲେ ସେଦିନର ସେ କାଳରାତି ଅନେକଙ୍କ ଜୀବନରେ ଯେଉଁ ଚିହ୍ନ ଛାଡି ଯାଇଛି ତାହା ଲିଭିବା ସହଜ ନୁହେଁ।

ସୂଚନା ଅନୁସାରେ, ୨୦୨୩ ଜୁନ୍ ୨ ଶୁକ୍ରବାର ହାୱଡାରୁ ଆସୁଥିଲା କରମଣ୍ଡଳ ଏକ୍ସପ୍ରେସ, ଅନ୍ୟପଟୁ ବେଙ୍ଗାଲୁରୁରୁ ହାୱଡା ଯାଉଥିଲା ଯଶୋବନ୍ତପୁର ସୁପରଫାଷ୍ଟ ଏକ୍ସପ୍ରେସ। ବାହାନଗା ଠାରେ ପୂର୍ବରୁ ଠିଆ ହୋଇଥାଏ ଲୁହା ବୋଝେଇ ମାଲବାହୀ ଟ୍ରେନ। ଘଣ୍ଟାକୁ ୧୨୮ କିଲୋମିଟର ପ୍ରତି ବେଗରେ ଆସୁଥିବା କରମଣ୍ଡଳ ଟ୍ରେନକୁ ବାଲେଶ୍ଵର ପରେ ଲୁପ ଲାଇନରେ ଯିବାକୁ ସିଗନାଲ୍ ମିଳିଥିଲା। କିନ୍ତୁ ସେହି ଲାଇନରେ ପୂର୍ବରୁ ମାଲବାହୀ ଟ୍ରେନଟି ଛିଡା ହୋଇଥିଲା। ଯେଉଁଥିପାଇଁ ବାହାନାଗରେ ଉଭୟ ଟ୍ରେନ ମଧ୍ୟରେ ହୋଇଥିଲା ଧକ୍କା। ଏହି ଦୁର୍ଘଟଣାରେ କରମଣ୍ଡଳର ୨୧ଟି ବଗି ଓଲଟି ପଡିଥିଲା ଆଉ ସେଥିରୁ ୩ଟି ରେଲୱେ ଟ୍ରାକରେ ପଡିଥିଲା। ସେପଟେ ଅନ୍ୟ ପଟରୁ ଆସୁଥିବା ଯଶୋବନ୍ତପୁର ସୁପରଫାଷ୍ଟ ଏକ୍ସପ୍ରେସ୍ ଧକ୍କା ହୋଇଥିଲା।

ଏହି ଧକ୍କା ଫଳରେ ଯଶୋବନ୍ତପୁର ଏକ୍ସପ୍ରେସର ମଧ୍ୟ କିଛି ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଶବ୍ଦ ଶୁଣି ଧାଇଁ ଆସିଥିଲେ ବାହାନଗାବାସୀ। କିଏ ଟ୍ରେନ ତଳେ ଚାପି ହୋଇ ରହିଯାଇଥିଲା ତ ଆଉ କାହାର ମୁଣ୍ଡ ନଥିଲା। ଆଉ କିଏ ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରୁଥିଲା । ବିଭିନ୍ନ ସ୍ଥାନରୁ ଲୋକମାନେ ଆସି ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ। ସଙ୍ଗେ ସଙ୍ଗେ ରେଳ ଲାଇନ ପାଖରେ ଲାଗିଯାଇଥିଲା ଲୋକଙ୍କ ଭିଡ଼। ଯିଏ ଯେମିତି ପାରିଥିଲା ଆହତ ଲୋକମାନଙ୍କୁ ଉଦ୍ଧାର କରିବାରେ ଲାଗି ପଡିଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନମାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଥିଲା। ବିପତ୍ତି ସମୟରେ ବାଲେଶ୍ବରବାସୀ ଯେଉଁଭଳି କାର୍ଯ୍ୟ କରିଥିଲେ ତାହା ଉଦାହରଣ ସୃଷ୍ଟି କରିଥିଲା।