ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଓଏଲ୍ ବ୍ୟୁରୋ: ମନ୍ଦିର ଶିଖରରେ ଝଟକୁଛି ସୁବର୍ଣ୍ଣ। ଅଯୋଧ୍ୟାରେ ଶ୍ରୀରାମଙ୍କ ଦରବାରର ପ୍ରାଣପ୍ରତିଷ୍ଠା ଉତ୍ସବ ଆୟୋଜିତ ହେଉଛି। ୨ୟ ପର୍ଯ୍ୟାୟ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରାଣ ପ୍ରତିଷ୍ଠା ପାଇଁ ଚଳଚଞ୍ଚଳ ହୋଇଛି ଅଯୋଧ୍ୟା ନଗରୀ। ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଛି ପୂରା ପରିବେଶ। ୨୧ ଟି ନଦୀର ପବିତ୍ର ଜଳରେ ଶ୍ରୀରାମଙ୍କୁ କରାଯାଇଛି ଅଭିଷେକ। ରାମମନ୍ଦିରର ପ୍ରଥମ ମହଲାରେ ରାମ ଦରବାର ଏବଂ ଅନ୍ୟାନ୍ୟ ଦେବଦେବୀଙ୍କ ମୂର୍ତ୍ତିଗୁଡ଼ିକର ଅଭିଷେକ କରାଯାଇଛି। ନିର୍ଦ୍ଧାରିତ ଲଗ୍ନରେ ଆରମ୍ଭ ହେଉଛି ପୂଜା। ପ୍ରାଣ ପ୍ରତିଷ୍ଠାରେ ସାମିଲ ହୋଇଛନ୍ତି ୧୨୦ ଆଚାର୍ଯ୍ୟ। ସେମାନଙ୍କ ମଧ୍ୟରୁ ୧୦୦ ଜଣ କେବଳ ଅଯୋଧ୍ୟାରୁ। କାଶୀ, ପ୍ରୟାଗରାଜ ସମେତ ଅନ୍ୟ ତୀର୍ଥସ୍ଥାନରୁ ଆଚାର୍ଯ୍ୟ ଆସି ସାମିଲ ହୋଇଛନ୍ତି।
ଭଗବାନ ରାମ, ସୀତା, ଲକ୍ଷ୍ମଣ, ହନୁମାନଙ୍କ ପ୍ରତିମୂର୍ତ୍ତି ସମେତ ୬ଟି ମନ୍ଦିରର ବିଗ୍ରହଗୁଡିକର ପ୍ରାଣ ପ୍ରତିଷ୍ଠା କରାଯାଉଛି। ମୂର୍ତ୍ତି କଳାକାରଙ୍କ ସୂଚନାନୁଯାୟୀ, ମନ୍ଦିରର ମୂର୍ତ୍ତିଗୁଡିକ ୪୦ ବର୍ଷ ପୁରୁଣା ମାର୍ବଲ ପଥରରେ ନିର୍ମିତ। ସିଂହାସନ ସମେତ ରାମ ଦରବାର ମୂର୍ତ୍ତିର ମୋଟ ଉଚ୍ଚତା ସାତ ଫୁଟ ରହିଛି। ଏହାକୁ ତିଆରି କରିବାକୁ ୭ରୁ ୮ ମାସ ସମୟ ଲାଗିଥିବା ନେଇ କହିଛନ୍ତି। ଅନ୍ୟପଟେ ୨ୟ ପ୍ରାଣ ପ୍ରତିଷ୍ଠାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ପୁଲିସ ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି।