ମୋଦି ସରକାରଙ୍କ ଶାସନର ୧୧ ବର୍ଷ, ପୁରୀ ବେଳାଭୂମିରେ ସ୍ୱତନ୍ତ୍ର ବାଲୁକାକଳା

ଓଏଲ୍ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ୧୧ ବର୍ଷ ପୂରଣ କରିଛନ୍ତି। ୨୦୧୪ ମସିହା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଶ୍ରୀ ମୋଦିଙ୍କ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ଦେଶରେ ୩୦ ବର୍ଷର ରାଜନୈତିକ ଅସ୍ଥିରତାରେ ପୂର୍ଣ୍ଣଛେଦ ପକାଇ ଭାରତର ଆଧୁନିକ ରାଜନୈତିକ ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଥିଲା। ପୂର୍ଣ୍ଣ ବହୁମତ ସହ ବିଜେପି ଦେଶର ଜନସାଧାରଣଙ୍କୁ ସେହିଦିନ ଠାରୁ ସ୍ୱଚ୍ଛ ଶାସନ ଦେଇଆସୁଛି। ପ୍ରଧାନମନ୍ତ୍ରୀଙ୍କ ୧୧ ବର୍ଷର ପୂର୍ତ୍ତି ଅବସରରେ ପୁରୀରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ସ୍ୱତନ୍ତ୍ର କଳାକୃତି ଦେଖିବାକୁ ମିଳିଛି।
୨୦୧୪ ମସିହା ମେ’ ମାସ ୨୬ ତାରିଖରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ନରେନ୍ଦ୍ର ମୋଦି ଭାରତର ଚତୁର୍ଦଶ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଦେଶର ଜନସାଧାରଣ ଶ୍ରୀ ମୋଦିଙ୍କୁ ଏକ ଦୃଢ଼, ଦୂରଦର୍ଶୀ ଏବଂ ବିକାଶମୁଖୀ ନେତୃତ୍ୱ ଭାବେ ଦେଖଥିଲେ। ବିକାଶ ଉପରେ ଗଭୀର ଧ୍ୟାନ, ସୂକ୍ଷ୍ମ ଦୃଷ୍ଟିକୋଣ ଏବଂ ଦେଶର ସବୁଠୁ ଗରିବ ଲୋକଙ୍କ ଜୀବନରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ପ୍ରଚେଷ୍ଟା ନରେନ୍ଦ୍ର ମୋଦୀଙ୍କୁ ସମଗ୍ର ଦେଶରେ ଏକ ଲୋକପ୍ରିୟ ନେତାରୂପେ ଚିହ୍ନିତ କରିଛି। ଶ୍ରୀ ମୋଦୀଙ୍କ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ସହିତ ସବୁଠାରୁ ପ୍ରଥମେ ଦେଶରେ ଏକ ବିକାଶମୂଳକ ରାଜନୀତିର ଆରମ୍ଭ ହେଲା – ଯାହାର ମୁଖ୍ୟ ମନ୍ତ୍ର ଥିଲା ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ।
ଗତ ୧୧ ବର୍ଷରେ ଦେଶର ସମସ୍ତ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଛି ଏବଂ ଏହି ଦେଶ ଏକ ନୂଆ ଆତ୍ମବିଶ୍ୱାସ ଅର୍ଜନ କରିଛି। ସାଧାରଣ ଲୋକଙ୍କ ପାଇଁ ମୌଳିକ ସୁବିଧା ବୃଦ୍ଧି କରିବା, ଭିତ୍ତିଭୂମି ଢାଞ୍ଚାକୁ ଶକ୍ତିଶାଳୀ କରିବା, ଅର୍ଥନୀତିକୁ ମଜବୁତ କରିବା, ରୋଜଗାର ସୃଷ୍ଟି କରିବା, ଦେଶର ଅନ୍ତର୍ନିହିତ ସୁରକ୍ଷା ନିଶ୍ଚିତ କରିବା ଏବଂ ଭାରତକୁ ବିଶ୍ୱରେ ନୂଆ ପରିଚୟ ଦେବା କ୍ଷେତ୍ରରେ ମୋଦୀଙ୍କ ନେତୃତ୍ୱ ସଫଳତା ହାସଲ କରିଛି।