Odisha Link
Bridging the Missing Links in Odisha

ଆଜି ଶେଷ ରଜ, ଉତ୍ସବମୁଖର ଓଡ଼ିଆ ଘର

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ପର୍ବ ରଜ। ଆଜି ଶେଷ ରଜକୁ ଧୁମଧାମରେ ପାଳୁଛନ୍ତି ଓଡ଼ିଶାବାସୀ। ଏହି ଗଣ ପର୍ବ ପାଇଁ ଉତ୍ସବମୁଖର ହୋଇଛି ଗାଁ ଠାରୁ ସହର। ଚାରିଆଡେ ଉତ୍ସବର ମାହୋଲ। ପିଠାପଣାର ବାସ୍ନାରେ ମହକୁଛି ପ୍ରତିଟି ଓଡ଼ିଆ ଘର। ରଜ ଏକ କୃଷି ଭିତ୍ତିକ ପର୍ବସମସ୍ତ କୃଷି କାର୍ଯ୍ୟରୁ ବିରତି ନେଇ ଆନନ୍ଦଉଲ୍ଲାସରେ ମାତି ଯାଇଥାନ୍ତି କୃଷକଭାଇ। ଏହି ପର୍ବକୁ ମାଟି ଓ ମୌସୁମୀର ମିଳନ ପର୍ବ ବୋଲି କୁହାଯାଏ। କାରଣ ଏହି ଦିନଠାରୁ ମୌସୁମୀ ଆସିଥାଏ।

ବର୍ଷାର ପହିଲି ବୁନ୍ଦାରେ ଭିଜିଥାନ୍ତି ପୃଥିବୀ ମାତା। ସାଧାରଣତଃ କୃଷକମାନେ ରଜ ସଂକ୍ରାନ୍ତି ପୂର୍ବରୁ ଜମିରେ ଧାନ ବୁଣି ବର୍ଷାର ଆଗମନକୁ ଅପେକ୍ଷା କରିଥାନ୍ତି। ଆଷାଢର ପ୍ରଥମ ବର୍ଷା ପୃଥିବୀକୁ ଶୀତଳ କରିଥାଏ । ରଜ ତିନିଦିନ ଧରା ଉପରେ କୌଣିସ କାର୍ଯ୍ୟ କରାଯାଇନଥାଏ। ଆଷାଢ଼ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ। ମାଟି ମା’ ହୁଏ ରଜସ୍ୱଳା। ମାଟି ମା’ ବହୁ କିସମର ଫସଲ ଫଳାଇ ଆମରି ହାତରେ ଅଜାଡ଼ି ଦିଏ।

ମା’ଟିଏ ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ସେମିତି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମା’କୁ ରଜ ତିନିଦିନ ବିଶ୍ରାମ ଦିଆଯାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ତିନିଦିନ ଧରି ପାଳିତ ହେଉଥିବା ଏହି ଗଣ ପର୍ବର ଆଜି ତୃତୀୟ ଦିନ। ଚଳଚଞ୍ଚଳ ଗାଁରୁ ସହର। ବିଶେଷ କରି ଗ୍ରାମାଞ୍ଚଳରେ ଏହି ପର୍ବ ଅଧିକ ଉତ୍ସାହର ସହ ପାଳନ ହୋଇଥାଏ। କୁଆଁରୀ ଝିଅ ଠାରୁ ନବ ବିବାହିତା ଝିଅମାନେ ବି ଏହି ପର୍ବ ପାଳନ ନେଇ ନିଜର ଶାଶୂ ଘରୁ ନିଜ ଘରକୁ ଆସିଥାନ୍ତି।

ମଉଜମଜଲିସ କରି ପୁଣି ସମସ୍ତେ ନିଜ ନିଜ ସ୍ଥାନକୁ ଫେରିଯାଆନ୍ତି। ଏହି ପର୍ବରେ ପ୍ରତିଟି ଓଡିଆ ଜଡ଼ିତ। ରାଜ୍ୟ ବାହାରେ ଥିବା ଓଡିଆ ମଧ୍ୟ ଏହି ଦିନଟିକୁ ପାଳନ ପାଇଁ ନିଜର ସମୟ ବାହାର କରି ପିଠାପଣାର ବ୍ୟବସ୍ଥା କରିବା ସହ ଦୋଳି ଖେଳି ମିଠାପାନ ଖାଇଥାନ୍ତି।