ଅଣସରରେ ମହାପ୍ରଭୁ, ଦାରୁଦିଅଁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ

ଓଏଲ୍ ବ୍ୟୁରୋ: ଅଣସରରେ ମହାପ୍ରଭୁ। ଆଜି ଅନବସରର ପଞ୍ଚମୀ ତିଥିରେ ଦାରୁଦିଅଁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି ହେବ। ଦଇତାପତି ସେବକମାନେ ଏହି ଫୁଲୁରୀ ତେଲ ଲାଗି କରିବେ। ବଡ ଓଡ଼ିଆ ମଠ ପକ୍ଷରୁ ମହାପ୍ରଭୁଙ୍କ ଉଦେଶ୍ୟରେ ଏହି ଫୁଲୁରୀ ତେଲ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇ ଶ୍ରୀମନ୍ଦିରକୁ ଯୋଗାଇ ଦିଆଯାଇଥାଏ।
ଗତ ହେରାପଞ୍ଚମୀ ଦିନ ଠାରୁ ଘଣାପେଡ଼ା ରାଶିତେଲରେ କର୍ପୁର, ଚୁଆ, ପରଖ, ପିଙ୍ଗଳ ଆଦି ସହ ୧୪ ପ୍ରକାର ଫୁଲ, ୭ ପ୍ରକାର ଔଷଧୀୟ ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ପକାଯାଇ ମାଟି ତଳେ ଏକ ପାତ୍ରରେ ଦୀର୍ଘ ଏକବର୍ଷ ଧରି ଏହାକୁ ପୋତାଯାଇ ସ୍ୱତନ୍ତ୍ର ଭାବେ ଔଷଧୀୟ ତୈଳ ପ୍ରସ୍ତୁତ କରାଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମାଟିତଳୁ ଏହି ତେଲକୁ ବାହାର କରାଯାଇ ରଖାଯାଇଥିଲା।
ପଞ୍ଚମୀ ଦିନ ଅର୍ଥାତ ଆଜି ତେଲକୁ ଛଣାଯାଇ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଲାଗି ପାଇଁ ପଠାଯିବ। ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣୀ ଘର ଭୋଗ ସମ୍ପନ୍ନ ହେବା ପରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ଅଣସର ଘର ଦ୍ୱାର ଖୋଲାଯାଇ ଏହି ତେଲ ଲାଗି ନୀତି ଆରମ୍ଭ ହେବ। ପତି ମହାପାତ୍ର ସେବକ ୩ଟି ରୂପା ପିଙ୍ଗଣରେ ଫୁଲୁରୀ ତେଲ ନେଇ ସଂସ୍କାର କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହାକୁ ମର୍ଦନ କରିବେ। ବିଶ୍ୱାସ ରହିଅଛି ଏହି ତେଲ ଲାଗି ପରେ ଶ୍ରୀବିଗ୍ରହ ମାନଙ୍କର ଜ୍ୱର ଉପସମ ହୋଇଥାଏ।