ରାଜ୍ୟରେ ଡାଇରିଆ ଭୟ, ସଚେତନତା ପାଇଁ ସ୍ୱତନ୍ତ୍ର ଅଭିଯାନ

ଓଏଲ୍ ବ୍ୟୁରୋ: ଯାଜପୁରରେ ବ୍ୟାପୁଛି ଝାଡ଼ାବାନ୍ତି। ୫୦୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଗତ ମଙ୍ଗଳବାରଠାରୁ ଅଚାନକ ଶତାଧିକ ରୋଗୀ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଯୁବକ, ଶିଶୁ, ମହିଳା, ବୟସ୍କ ସବୁ ବର୍ଗର ଲୋକେ ଆକ୍ରାନ୍ତ ହୋଇଛନ୍ତି।
ଦୁଇ ମୁନିସପାଲିଟି, ଧର୍ମଶାଳା, ରସୁଲପୁର, କୋରେଇ, ଦାନଗଦିରେ ବ୍ୟାପୁଛି। ଉକ୍ତ ଅଞ୍ଚଳର ଅନେକ ପଞ୍ଚାୟତର ଲୋକେ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ଥିବାବେଳେ ମେଡିକାଲ ପରିସରରେ ରୋଗୀ ଓ ପରିବାର ଲୋକଙ୍କ ଭିଡ ଦେଖିବାକୁ ମିଳୁଛି। ଯାଜପୁରରେ ଝାଡ଼ାବାନ୍ତି ସ୍ଥିତି ଅଣାୟତ୍ତ ଥିବାବେଳେ ୬ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା।
ଯାଜପୁର ବିଞ୍ଝାରପୁରରେ ଝାଡ଼ାବାନ୍ତି ବ୍ୟାପିବା କାରଣରୁ ସମସ୍ତ ଢାବା ଓ ଫାଷ୍ଟଫୁଡ୍ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ଚାଟ୍, ଗୁପ୍ଚୁପ୍, ଆଇସ୍କ୍ରିମ୍ ଫ୍ୟାକ୍ଟ୍ରି, ପାଣି ପାଉଚ୍, ମାଛ, ଚିକେନ୍, ମଟନ୍ ଦୋକାନ ବି ବନ୍ଦ ରହିବ। ୨ ସପ୍ତାହ ପାଇଁ ବନ୍ଦ ରଖିବାକୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।
ରାଜ୍ୟରେ ଡାଇରିଆ ନିରାକରଣ ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଡାଇରିଆ ଜୁଲାଇ ୩୧ ପର୍ଯ୍ୟନ୍ତ ଅଭିଯାନ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ସଂଯୁକ୍ତା ସାହୁ ସୂଚନା ଦେଇଛନ୍ତି। ଏହି ଅଭିଯାନ ଦେଢ଼ ମାସ ଧରି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଲୋକଙ୍କୁ ORS ଓ ଜିଙ୍କ୍ ଯୋଗାଇବାକୁ ସବସେଣ୍ଟରକୁ ଦିଆଯାଇଛି। ଯାଜପୁର ଜିଲ୍ଲାରେ ମୃତ ରୋଗୀଙ୍କ ନମୂନାରୁ କଲେରା ଭୂତାଣୁ ମିଳିଛି। ଘାତକ ଭାରିଆଣ୍ଟ ଭିବ୍ରିଓ କଲେରା ଚିହ୍ନଟ ହୋଇଛି।