ବିଜେପୁରରେ ନିର୍ବାଚନ: ଆଜି ନାମାଙ୍କନ ଭରିବେ ୩ ଦଳର ପ୍ରାର୍ଥୀ

ବରଗଡ଼: ବିଜେପୁର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ। ତେଣୁ ବିରାଟ ପାଟ ପଟୁଆରରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୩ ପ୍ରମୁଖ ଦଳର ପ୍ରାର୍ଥୀ ନାମାଙ୍କନ ଭରିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି।
ବିଜେଡିରୁ ରୀତା ସାହୁ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ଦିଲ୍ଲୀପ ପଣ୍ଡା ଏବଂ ବିଜେପିରୁ ସନତ ଗଡ଼ତିଆ ନିର୍ବାଚନ ଲଢୁଛନ୍ତି। ଗତ ବିଜେପୁର ଉପନିର୍ବାଚନରେ ରୀତା ସାହୁ ବିଜେଡି ଟିକେଟରେ ଜିତିଥିଲେ। ହେଲେ ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରୁ ବିପୁଳ ସମର୍ଥନରେ ବିଜୟୀ ହୋଇଥିଲେ। ଆଉ ସନତ ଗଡ଼ତିଆ, ନବୀନଙ୍କ ବିରୋଧରେ ଲଢ଼ି ଦ୍ବିତୀୟ ସ୍ଥାନରେ ରହିଥିଲେ।
ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡିବାରୁ ଏବେ ପୁଣି ଥରେ ସେଠାରେ ନିର୍ବାଚନ ହେବାକୁ ଯାଉଛି। ଦେଢ଼ ବର୍ଷ ଭିତରେ ବିଜେପୁରରେ ୩ ଥର ନିର୍ବାଚନ ହୋଇସାରିଲାଣି। ଏଥର ନିର୍ବାଚନୀ ମଇଦାନରେ କିଏ ବାଜି ମାରିବ। ତାହା ବିଜେପୁର ଭୋଟରଙ୍କ ଉପରେ ନିର୍ଭର କରୁଛି।
Comments are closed.