ବଉଦ ଜିଲ୍ଲା: ବର୍ଷାରେ ବାମଣ୍ଡାଗାଁ ଦାଣ୍ଡ ପାଲଟିଲା ପୋଖରୀ

ବଉଦ: ଆଉ ଅଳ୍ପ ଦିନପରେ ଓଡ଼ିଶା ଛୁଇଁବ ମୌସୁମୀ। କହିବାକୁ ଗଲେ ଓଡ଼ିଶାର ମୁଣ୍ଡ ଉପରେ ମୌସୁମୀ। ଗତକାଲି ରାତିରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା। ସେହିପରି ବଉଦ ଜିଲ୍ଲାର ବାମଣ୍ଡା ଗ୍ରାମରେ ମଧ୍ୟ ବର୍ଷା ହୋଇଥିଲା। କାଣିଚାଏ ବର୍ଷାରେ ମଧ୍ୟ ଗାଁ ଦାଣ୍ଡ ପୋଖରୀ ପାଲଟିଯାଇଛି। ଏହି ଗ୍ରାମ ବଉଦ ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୭କିମି ଦୂରରେ ଅବସ୍ଥିତ। ଏହି ଗ୍ରାମ ଦେଇ ଜାତୀୟ ରାଜପଥ-୫୭ ମଧ୍ୟ ଯାଇଛି। କିନ୍ତୁ ଗ୍ରାମରେ ଡ୍ରେନେଜ ସିଷ୍ଟମ ନଥିବାରୁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଗତକାଲି ରାତି ବର୍ଷାର ପ୍ରଭାବରେ ଗାଁ ରାସ୍ତା ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ଗ୍ରାମ ମଝିରେ ଡ୍ରେନଜ୍ ସିଷ୍ଟମ୍ ନଥିବାରୁ ଏବଂ ରାସ୍ତା ଦେଇ ଜାଇଥିବା ଡ୍ରେନେଜର ପୁନରଦ୍ଧାର କାର୍ଯ୍ୟ ନ ହୋଇଥିବାରୁ ଏଭଳି ସମସ୍ୟା ଦେଖା ଯାଇଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଆଜି ସକାଳ ହେବାପରେ କିଛି ଗ୍ରାମବାସୀ ଏକଜୁଟ ହୋଇ ଏନଏଚ-୫୭ ଦ୍ବାରା ନିର୍ମିତ ଡ୍ରେନକୁ ସଫା କରିଛନ୍ତି। ଏହାସହ ଲୋକଙ୍କୁ ସଚେତନ ମଧ୍ୟ କରିଛନ୍ତି। ଏହି ମହାନ କାର୍ଯ୍ୟପାଇଁ ବାମଣ୍ଡା ଗ୍ରାମବାସୀ ଅନ୍ୟ ଗ୍ରାମପାଇଁ ଆଦର୍ଶ ସାଜିଛନ୍ତି । ଗ୍ରାମବାସୀଙ୍କ ଏଭଳି କାର୍ଯ୍ୟପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି। ଗ୍ରାମବାସୀ ତ ତାଙ୍କ କାମ କରିଲେ ବାକି ଦେଖିବାକୁ ରହିଲା ପ୍ରଶାସନ ଏ ସମସ୍ୟାକୁ କେତେ ଗୁରୁତର ସହ ନେଇ ଗ୍ରାମବାସୀଙ୍କ କଷ୍ଟକୁ ଦୂର କରିବାରେ ସଫଳ ହେଉଛି।