ଏନସିପି ଟାର୍ଗେଟରେ ମୋଦି, କହିଲା ଯଦି ଅନନ୍ତଙ୍କ କଥା ସତ ହୁଏ ତେବେ…

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ରୋଚନକ ମୋଡ ଆଣିଛି ବିଜେପି ନେତା ଅନନ୍ତ ହେଗଡେଙ୍କ ମନ୍ତବ୍ୟ। ଯାହାକୁ ନେଇ ରାଜନୀତି ଥମିବାର ନାଁ ଧରୁନି। ଯାହାକୁ ନେଇ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି ଏନସିପି।
ଏନସିପିର ମୁଖପାତ୍ର ନବାବ ମଲ୍ଲିକ କହିଛନ୍ତି ଯେ, ରାଜ୍ୟ ସରକାର ପାଇଁ ଆସିଥିବା ୪୦ ହଜାର କୋଟି ଟଙ୍କା ଫେରେଇବା ଅସମ୍ଭବ। ଯଦି ଏହି କଥା ସତ ହୋଇଥାଏ ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ତଫା ଦେବା ଦରକାର ବୋଲି କହିଛନ୍ତି ମଲ୍ଲିକ। ଏଥିସହିତ ଗଣମାଧ୍ୟମକୁ କହିଛନ୍ତି ଯେ, ଯଦି ଏପରି ହୋଇଥାଏ ତେବେ କେବଳ ମହାରାଷ୍ଟ୍ର ନୁହେଁ ଅନ୍ୟ ରାଜ୍ୟମାନଙ୍କ ପ୍ରତି ମଧ୍ୟ ଅନ୍ୟାୟ। ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ, ଓଡ଼ିଶା, ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର ଜନତା ଏଭଳି ଅନ୍ୟାୟକୁ ବରଦାସ୍ତ କରିବେ ନାହିଁ।
ସୂଚନାଯୋଗ୍ୟ, ଅନନ୍ତ ହେଗଡେ କହିଥିଲେ ଯେ, କେନ୍ଦ୍ର ମହାରାଷ୍ଟ୍ରକୁ ୪୦ ହଜାର କୋଟି ଟଙ୍କା ଦେଇଥିଲା। ହେଲେ ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ସରକାର ଆସିଲେ ଏହି ଟଙ୍କା ଦୂରୁପଯୋଗ ହେବାର ସମ୍ଭାବନା ଅଧିକ ଥିଲା। ତେଣୁ ଏହି ଟଙ୍କା ଠିକଣା ଜାଗାରେ ପହଞ୍ଚାଇବାକୁ ଯାଇ ଫଡନାବିସ ଏଭଳି ନାଟକ କରିଥିଲେ ବୋଲି ହେଗଡେ କହିଛନ୍ତି। କେନ୍ଦ୍ରର ୪୦ ହଜାର କୋଟି ଟଙ୍କା ଏହି ତିନି ଦଳି ମିଳି ମିଶି ଖାଇଦେବେ ବୋଲି ଆଶଙ୍କା କରିଥିଲେ ଫଡନାବିସ। ସେଥିପାଇଁ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ସେହି ୪୦ ହଜାର କୋଟି ଟଙ୍କାକୁ କେନ୍ଦ୍ରକୁ ଫଡନାବିସ ଫେରାଇ ଦେଇଥିଲେ ବୋଲି ହେଗଡେ କହିଛନ୍ତି।