ସଜ ସକାଳ

ରକ୍ଷକ ନାୟକଙ୍କ କବିତା
ସଜ ସକାଳ
ଏ କବିତାଟି ପେନ୍ ଇନ୍ ବୁକ୍ସ ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ ରକ୍ଷକ ନାୟକଙ୍କ ସଦ୍ୟତମ ସଂକଳନ ‘ଶେଷହୀନ ସନ୍ତରଣ’ରୁ ଅାସିଛି
ବହିଟି ଅାମାଜନରୁ ମଗାଇବା ପାଇଁ ଏଇଠି କ୍ଲିକ୍ କରନ୍ତୁ 〉
ବନ୍ଦ କବାଟ ଉପରେ
ଗତ ରାତି ସ୍ବପ୍ନଙ୍କ ଶବ ଝୁଲୁଛି
ବାସି ଫୁଲରେ ଲୁଚିଯାଇଛି ବାଟଘାଟ
ସକାଳ ଆସିବାକୁ ଡେରି ଅଛି
ଅନ୍ଧାର ତରଳୁଛି
କୂଳ ଲଙ୍ଘିଚାଲିଛି ନଈ ସୁଅ।
ସୂର୍ଯ୍ୟୋଦୟକୁ ଅପେକ୍ଷା,
ପକ୍ଷୀମାନେ ପ୍ରସ୍ତୁତ ଉଡ଼ାଣ ପାଇଁ,
ଆଲୁଅର ବନ୍ଦନା ପାଇଁ ଆକାଶ ବି ସଜବାଜ,
ଅଟକି ଯାଇଛି ସମୟ
ଭ୍ରଷ୍ଟ ଲୟ, ଅସହଜ ଆୟୁଧାର
ଏକ ଅଶ୍ରୁତ ଆର୍ତ୍ତ ଚିତ୍କାର
ଗ୍ରାସ କରିଛି ନିରବତା।
ମୁଦ ପଡ଼ିଛି ମନ୍ଦିର, ଅଶରୀରୀ
ଦର୍ଶନାର୍ଥୀଙ୍କ ଭିଡ଼,
ଶରୀର ସବୁ ପାଲଟିଛି ଶ୍ମଶାନ,
ଚାରିପଟର ଦିଗବଳୟ ଚାପି ଦେଉଛି
ଜୀବନର ବାଡ଼ିବଗିଚା।
ଲାଗୁଛି ସବୁଦୃଶ୍ୟ, ସବୁଦ୍ରବ୍ୟ
ସବୁ ପରମ ଓ ପାର୍ଥତ୍ବ
ଫୋଟକା ହୋଇ ଉଡ଼ିଯିବେ
ନିଶୂନ ହେଇଯିବ ନିର୍ମ।ଣ।
ଘୋଟି ଆସିଲାଣି ସେଇକାଳ
ଯାହାର ବର୍ଣ୍ଣନା ଦିଶିଥିଲା ବହୁ ଦିନ ତଳେ
ଧ୍ବଂସର ରାଗିଣୀରେ ଝଲସିଥିଲା ସବୁ ପୁର
ପ୍ରଥମରୁ ଶେଷ
ଏକ କ୍ଷୁଦ୍ର ବିନ୍ଦୁର ଆକାର।
ଭୟ ଓ ଆଶଙ୍କାରେ କମ୍ପୁଛି ମେଦିନୀ
ନିଃଶବ୍ଦ ଯନ୍ତ୍ରଣାରେ
ଭାଷା ଭାବ ଉଭେଇ ଯାଇଛି
ଅନ୍ଧମୂକ ଓ ବଧିର
ସଭିଙ୍କ ବେଭାର।
ବିଳମ୍ବରେ ହେଉ ବରଂ
ସକାଳ ଆସିଲା, ଶବସବୁ
ପୁଣି ଦୌଡ଼ିବାକୁ ଲାଗିଲେ ରାସ୍ତାରେ
କିଚିରିମିଚିରି, ହୋହଲ୍ଲା, ଗର୍ଜନ, ଭଜନ
ହସକାନ୍ଦରେ ଭରିଗଲା ଭୁବନ।
ପୁଣି ଅନ୍ୟ ଏକ ସକାଳକୁ ଅପେକ୍ଷା
ପୁଣି ଅନୁରୂପ ଆଶଙ୍କା, ସନ୍ଦେହ
ଲୁଚେଇବାକୁ ହେବ
ବୁଢ଼ିଆଣୀ ଜାଲରେ ନିଜ ନିଜ ଦେହ।
ସକାଳ ଆସୁଛି ଏବଂ ଆସିବ ନିଶ୍ଚୟ।