ହୋଟେଲରୁ ଉଦ୍ଧାର ହେଲା ଆର୍ମି ଅଫିସରଙ୍କ ମୃତଦେହ

ଝାରସୁଗୁଡ଼ା: ଝାରସୁଗୁଡ଼ା ସହର ମୁଖ୍ୟ ରାସ୍ତାରେ ଥିବା ଏକ ହୋଟେଲରୁ ଆର୍ମି ଅଫିସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପୋଲିସର ତଦନ୍ତରୁ ଜଣାପଡିଛି ମୃତ ଆର୍ମି ଅଫିସର ଜଣଙ୍କ ସିକିମ୍ ରେଜିମେଣ୍ଟ ୪୪ ନମ୍ବର ବାଟାଲିୟନର ନାଏବ ସୁବେଦାର ସିବନାପ୍ପା ସିଦ୍ଧାପ୍ପା ୱାରି। ତାଙ୍କ ଘର କର୍ଣ୍ଣାଟକର ବେଲଗାଓଁ ଜିଲ୍ଲାରେ ବୋଲି ଜଣାପଡିଛି। ହୋଟେଲ ମାନେଜରଙ୍କ କହିବା ଅନୁସାରେ ସିବନାପ୍ପା ଗତ ୨ ତାରିଖରୁ ଆସି ନିଜ ପରିଚୟ ପତ୍ର ଦେଇ ହୋଟେଲରେ ରହୁଥିଲେ।
ଗତ ବୁଧବାର ଅପରାହ୍ନରେ ହୋଟେଲ କର୍ମଚାରୀଙ୍କୁ ସିବନାପ୍ପାଙ୍କ ଝୁଲନ୍ତା ମୃତଦେହ ତାଙ୍କ କୋଠରୀରେ ମିଳିଥିଲା। କୋଠରୀର କବାଟ ଭିତରୁ ବନ୍ଦ ନଥିବାରୁ ହୋଟେଲ କର୍ମଚାରୀ ଭିତରକୁ ଯାଇ ଦେଖିଥିଲେ । ଏହାପରେ ହୋଟେଲ କତୃପକ୍ଷ ପୋଲିସକୁ ଖବର ଦେଇଥିଲେ। ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି। ତେବେ ସିବନାପ୍ପା କାହିଁକି ଓଡିଶା ଆସିଥିଲେ । କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କରିଥିଲେ, ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କର ହତ୍ୟା ହୋଇଛି, ସେନେଇ ପୋଲିସ ତଦନ୍ତ କରୁଛି ।