Odisha Link
Bridging the Missing Links in Odisha

୧୫ ଦିନ ପାଇଁ ବଢ଼ିଲା ସର୍ବକ୍ଷମା ଅବଧି

ଭୁବନେଶ୍ୱର: ଲୋକଙ୍କ ଆଗ୍ରହ ଓ ଭିଡକୁ ଦେଖି ଏହି ଅବଧି ବଢ଼ିଥିବାର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ସର୍ବକ୍ଷମା ଅବଧି ସରୁଥିବାବେଳେ ଆଉ ୧୫ ଦିନ ପାଇଁ ସମୟକୁ ବାଢ଼ିଦେଇଛନ୍ତି ରାଜ୍ୟ ସରକାର। କିନ୍ତୁ ଏହା ପରେ ଆଉ ମହଲତ ଦିଆଯିବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଅବଧି ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ ଭାବେ ଜଣାଇଦିଆଯାଇଛି। ସୂଚନା ଅନୁସାରେ ୨୦୧୮ ଜୁନ ୨୦ରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସର୍ବକ୍ଷମା ଯୋଜନା ଆରମ୍ଭ କରାଯାଇଥିଲା। ଯାହାକି ୨୦୧୯ ଜୁନ୍ ୧୯ରେ ଶେଷ ହୋଇଥିଲା। ତେବେ ଆଶାତୀତ ହିତାଧିକାରୀ ଆବେଦନ କରି ନଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ବକ୍ଷମା ଆବେଦନର ଅବଧିକୁ ଆଉ ୬ ମାସ ବୃଦ୍ଧି କରାଯାଇଥିଲା।
ତେବେ ସର୍ବକ୍ଷମା ଯୋଜନାରେ ଥିବା ନିୟମ କୋହଳ ହେଉ ନ ଥିବାରୁ ବହୁ ଲୋକ ଆବେଦନ କରୁ ନ ଥିବା ଜଣାପଡ଼ିଛି। ମହାନଗର ନିଗମ, ମ୍ୟୁନିସିପାଲିଟି, ଏନ୍‌ଏସି ଓ ଗ୍ରାମାଞ୍ଚଳ ଭଳି ୪ଟି ଭାଗରେ ଏହାକୁ ବିଭକ୍ତ କରାଯାଇଥିଲା। କମ୍ପାଉଣ୍ଡିଂ ଫି, ଏଫଏଆର ମୁଲ୍ୟ(ବେଞ୍ଚମାର୍କ ମୁଲ୍ୟ) ଓ ପାର୍କିଂ ଫି’ ହିସାବ କରି ଜରିମାନା ଧାର୍ଯ୍ୟ କରାଯାଇଥିଲା। ବିଭିନ୍ନ କର୍ତ୍ତୃପକ୍ଷଙ୍କ ପାଇଁ ଭିନ୍ନ ନିୟମ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା। ତେଣୁ ସମୟ ସୀମାକୁ ଫେବ୍ରୁଆରି ୫ ଯାଏ ବଢ଼ାଯାଇଥିଲା। ପୁଣି ଥରେ ୧୫ ଦିନ ପାଇଁ ଅବଧିକୁ ବଢାଯାଇଛି। ସୂଚନା‌ ଅନୁଯାୟୀ ବିଭିନ୍ନ କାରଣରୁ ସରକାରୀ ଅନୁମୋଦନ ନେଇ ନଥିବା ତଥା ଅନୁମୋଦିତ ନକ୍ସାରେ ବ୍ୟତିକ୍ରମ କରି ଗୃହ ନିର୍ମାଣ କରିଥିବା ବ୍ୟକ୍ତିବିଶେଷଙ୍କ ଲାଗି ରାଜ୍ୟ ସରକାର ‘ସର୍ବକ୍ଷମା’ ଯୋଜନା କରିଥିଲେ।

ଏହି ଯୋଜନା ଅନୁସାରେ ହିତାଧିକାରୀ ଜରିମାନା ଦେଇ ଅନିୟମିତତାକୁ ନିୟମିତ କରିପାରିବେ। ରାଜ୍ୟର ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷ ଓ ଆଞ୍ଚଳିକ ବିକାଶ ପରିଷଦ ଏବଂ ପୌର ସଂସ୍ଥା ଅଧୀନରେ ଥିବା ନିର୍ମାଣ ଲାଗି ଏହା ଉଦ୍ଦିଷ୍ଟ ରହିବ। ମହାନଗର ନିଗମ ଅଞ୍ଚଳ ବାସଗୃହ ପାଇଁ ବର୍ଗମିଟର ପିଛା ୧୦ ହଜାର ଟଙ୍କା ଓ ବ୍ୟାବସାୟିକ କୋଠା ପାଇଁ ୧୭ ହଜାର ୫୦୦ ଟଙ୍କା, ପୌରାଞ୍ଚଳରେ ବାସଗୃହ ପାଇଁ ବର୍ଗ ମିଟର ପିଛା ୮ ହଜାର ଓ ବ୍ୟାବସାୟିକ କୋଠା ପାଇଁ ୧୫ ହଜାର, ଏନଏସିରେ ବାସଗୃହ ପାଇଁ ବର୍ଗମିଟର ପିଛା ୬ ହଜାର ଓ ବ୍ୟାବସାୟିକ କୋଠା ପାଇଁ ୧୩ ହଜାର, ଉନ୍ନୟନ କର୍ତ୍ତୃପକ୍ଷ ଅନ୍ତର୍ଗତ ଗ୍ରାମାଞ୍ଚଳରେ ବାସଗୃହ ପାଇଁ ବର୍ଗ ମିଟର ପିଛା ୫ ହଜାର ଓ ବ୍ୟବସାୟିକ କୋଠା ପାଇଁ ୧୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି।

Comments are closed.