Odisha Link
Bridging the Missing Links in Odisha

ସାମ୍ନାକୁ ଆସିଲା ’83’ରେ ଦୀପିକା-ରଣବୀରଙ୍କ ଲୁକ୍

ମୁମ୍ବାଇ: ରଣବୀର ସିଂହଙ୍କ ଅପ୍‌କମିଂ ଫିଲ୍ମ ‘83’କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଫିଲ୍ମର ଲିଡ୍‌ ହିରୋଇନ୍‌ ଦୀପିକାଙ୍କ ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି। ଦୀପିକା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରିଛନ୍ତି। ‘83’ ଫିଲ୍ମରେ ସେ ମହାନ କ୍ରିକେଟ୍‌ର କପିଲ୍‌ ଦେବଙ୍କ ପତ୍ନୀଙ୍କ ଭୂମିକାରେ ଅଭିନୟ କରିଛନ୍ତି।ଏହି ଫଟୋରେ ରଣବୀର ସିଂହ ଓ ସେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ କପିଲ୍‌ ଦେବ ଓ ତାଙ୍କ ପତ୍ନୀ ରୋମି ଭାଟିୟାଙ୍କ ଲୁକ୍‌ରେ ନଜର ଆସିବେ।

ଏହି ଫିଲ୍ମରେ ଦୀପିକା ଭିନ୍ନ ଲୁକ୍‌ରେ ନଜର ଆସିବେ। ଶର୍ଟ ହେୟାର୍‌ ଷ୍ଟାଇଲ୍‌ ଓ ହାଇନେକ୍‌ ଟପ୍‌ରେ ନଜର ଆସିବେ ଦୀପିକା। ଦୀପିକାଙ୍କ ଏହି ଫଟୋରେ ରଣବୀର ଓ ଦୀପିକୀଙ୍କ ଜବରଦସ୍ତ କେମେଷ୍ଟ୍ରୀ ବି ଦେଖିବାକୁ ମିଳିଛି। ଫିଲ୍ମରେ ଦୀପିକା ତାଙ୍କ ରୋଲ୍‌ ନେଇ କହିଛନ୍ତି ଯେ, “ଖେଳ ଇତିହାସର ଏକ ଚର୍ଚ୍ଚିତ ତଥା ଗୌରବାନ୍ୱିତ ମୁହୂର୍ତ୍ତର ଭାଗୀଦାର ହେବା ବଡ଼ ଗର୍ବର କଥା। ସ୍ୱାମୀଙ୍କ ପେସାଗତ ଓ ବ୍ୟକ୍ତିଗତ ଆକାଂକ୍ଷାର ସଫଳତାରେ ପତ୍ନୀଙ୍କର କେତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ, ତାହା ମୁଁ ନିଜ ମା’ଙ୍କ କ୍ଷେତ୍ରରେ ଦେଖିଛି। ମୋ ହିସାବରେ ‘83’ ସେ ସମସ୍ତ ମହିଳାଙ୍କୁ ସମର୍ପିତ, ଯେଉଁମାନେ ନିଜ ସ୍ୱପ୍ନ ଅପେକ୍ଷା ସ୍ୱାମୀଙ୍କ ସ୍ୱପ୍ନକୁ ଗୁରୁତ୍ୱ ଦିଅନ୍ତି।”

ସୂଚନାଯୋଗ୍ୟ, ଫିଲ୍ମ ’83’ ୧୯୮୩ ମସିହା କ୍ରିକେଟ୍ ବିଶ୍ୱକପ୍‌ ଉପରେ ଆଧାରିତ, ଯେଉଁଥିରେ ଭାରତ ବିଜୟୀ ହୋଇଥିଲା। ଏଥିରେ ରଣବୀର ପୂର୍ବତନ କ୍ୟାପ୍‌ଟେନ୍‌ ତଥା ମହାନ ଖେଳାଳି କପିଲ୍‌ ଦେବଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଦୀପିକା ଏଥିରେ ତାଙ୍କ ପତ୍ନୀ ଭୂମିକାରେ ଅଭିନୟ କରିବା ସହ ଫିଲ୍ମର ପ୍ରଯୋଜନା ମଧ୍ୟ କରିଛନ୍ତି। ପ୍ରଯୋଜକ ଭାବେ ‘ଛପାକ୍‌’ ପରେ ଏହା ଦୀପିକାଙ୍କ ଦ୍ୱିତୀୟ ଫିଲ୍ମ। କବୀର ଖାନ୍‌ଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଫିଲ୍ମଟି ଏପ୍ରିଲ୍‌ ୧୦ରେ ହିନ୍ଦୀ, ତାମିଲ୍ ଓ ତେଲୁଗୁ ଭାଷାରେ ରିଲିଜ୍‌ ହେବ।

Comments are closed.