ପୁଣି ଏସସିବିରେ ଟିକଟକ ମସ୍ତି

କଟକ : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଏବେ କଟକ ବଡ଼ ମେଡିକାଲ୍ରେ ମହିଳା କର୍ମଚାରୀଙ୍କ ଟିକ୍ଟକ୍ ଭିଡିଓ ଭାଇରାଲ ହୋଇଛି। ହସ୍ପିଟାଲ୍ ଭିତରେ ଓଡ଼ିଆ, ହିନ୍ଦୀ ଗୀତରେ କର୍ମଚାରୀ ଠୁମ୍କା ଲଗାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ରୋଗୀଙ୍କ ଉପସ୍ଥିତିରେ ବି ଭିଡିଓ ଶୁଟିଂ ହୋଇଛି। କେତେବେଳେ ରୋଗୀଙ୍କ ବେଡ୍ ନିକଟରେ ହସ୍ପିଟାଲର ଏହି କର୍ମଚାରୀ ଖାମଖିଆଲ ଭାବେ ନାଚୁଛନ୍ତି ତ ଆଉ କେତେବେଳେ ଗୀତ ଗାଉଛନ୍ତି।
ଅନ୍ୟପକ୍ଷରେ ଭାଇରାଲ ହୋଇଥିବା ଏହି ଭିଡିଓରେ ନଜର ଆସୁଥିବା ମହିଳା କର୍ମଚାରୀ ଅର୍ଥପେଡିକ୍ ଓ ଜରୁରୀକାଳୀନ ବିଭାଗରେ କାର୍ଯ୍ୟରତ ବୋଲି ଜଣାପଡ଼ିଛି। ଏଥିରୁ ଜଣକ ପ୍ରତିକ୍ରିୟା ହସ୍ତଗତ ହୋଇଛି। ଅଜାଣତରେ ସହଯୋଗୀ ଜଣକ ଏହି ଭିଡିଓ ଶୁଟିଂ କରିଥିବା ସେ କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଡ୍ୟୁଟି ବେଳେ ଟିକ୍ଟକ୍ କରି ଭାଇରାଲ ହୋଇଥିବା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୪ ଜଣ ନର୍ସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୋଶାଲ୍ ମିଡିଆରେ ଶସ୍ତା ଲୋକପ୍ରିୟତା ହାସଲ ପାଇଁ ନର୍ସମାନେ ଡ୍ୟୁଟିରେ ଥିଲା ବେଳେ ଟିକ୍ଟକ୍ ଭିଡିଓ କରିଥିଲେ। ଏହି ଚିତ୍ର ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ନର୍ସମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା ଏବଂ ଗତକାଲି ସେମାନଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଯାଇଛି।
Comments are closed.