ଗ୍ରୀନ୍ ଜୋନରେ ଗଡ଼ିବ ସରକାରୀ ବସ୍

ଭୁବନେଶ୍ୱର: ଗ୍ରୀନ୍ ଜୋନରେ ଚାଲିବ ସରକାରୀ ବସ୍। ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଣିକି ଗ୍ରୀନ ଜୋନରେ ଓଏସଆରଟିସି ବସ ଚଳାଚଳ କରିବ। ସେଥିରେ ୫୦% ଯାତ୍ରୀ ଯାଇପାରିବେ। ଗ୍ରୀନ ଜୋନରେ ଘରୋଇ ବସ ଚଳାଚଳ କରିବାକୁ ପୂର୍ବରୁ ଅନୁମତି ଦିଆଯାଇଥିଲା।
ହେଲେ ଘରୋଇ ବସ୍ ମାଲିକ ମାନେ ବିଭିନ୍ନ ଦାବି ରଖିବା ସହ ସେଗୁଡ଼ିକ ପୂରଣ କରାନଗଲେ ବସ ଚଳାଇବେ ନାହିଁ ବୋଲି ସ୍ପଷ୍ଟଭାବେ ମନା କରିଦେଇଥିଲେ। ଫଳରେ ସରକାର ଗ୍ରୀନ ଜୋନରେ ସରକାରୀ ବସ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ବସ ଯାତ୍ରୀଙ୍କୁ ସେବା ଯୋଗାଇ ଦିଆଯିବ। ତେବେ ଯାତ୍ରୀଙ୍କୁ ଦୁଇ ଗୁଣ ଭଡ଼ାଦେବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି। ଏହାଛଡ଼ା ସରକାରୀ କର୍ମଚାରୀଙ୍କ ପାଇଁ ଗୋଟିଏ ବସ ଚାଲିଛି। ଆଗକୁ ଅଧିକ ବସ ଚାଲିବ। ତେବେ ରେଡ ଜୋନ ଦେଇ ବସ ଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।
ସେପଟେ ଲକ୍ଡାଉନ୍ ପାଇଁ ଦୀର୍ଘ ଦିନ ଧରି ଗାଡ଼ି ଚଳାଚଳ ବନ୍ଦ ଥିବା ବେଳେ ଆଜି କଟକ ଭୁବନେଶ୍ୱର ମଧ୍ୟରେ ବସ୍ ଗଡ଼ିଛି। କଟକରୁ ସରକାରୀ କର୍ମଚାରୀଙ୍କୁ ନେଇ ବସ୍ ଭୁବନେଶ୍ୱର ପହଂଚିଛି। ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ ବସ ଚଳାଇଛନ୍ତି ରାଜ୍ୟ ସରକାର। ପୂର୍ବରୁ ଅଫିସ ସମୟରେ ଗୋଟିଏ ବସ ଭୁବନେଶ୍ୱର ଓ କଟକ ମଧ୍ୟରେ ଚଳାଚଳ କରିବ ବୋଲି ସୂଚନା ଦେଇଥିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଆଜି କଟକରୁ ଭୁବନେଶ୍ୱରକୁ ୩୦ ଟଙ୍କା ଭଡା ଦେଇ ସରକାରୀ କର୍ମଚାରୀ ଆସିଛନ୍ତି।