ରାଜ୍ୟରେ ଆଜିଠୁ ଗଡ଼ିବ ନାହିଁ ଘରୋଇ ବସ୍

ଭୁବନେଶ୍ୱର: ଘରୋଇ ବସ ମାଲିକ ସଙ୍ଘ ପରେ ଏବେ ପରିବହନ କର୍ମଚାରୀ ସଙ୍ଘ ରାଜ୍ୟ ସରକାରଙ୍କ ପରିବହନ ବିଭାଗକୁ ଘେରିଛି। ସରକାର ଦାବି ଶୁଣୁ ନ ଥିବାରୁ ରାଜ୍ୟରେ ଆଜି ଠାରୁ ଆଉ ଗଡ଼ିବନି ଘରୋଇ ବସ୍। କର୍ମଚାରୀ ଯୋଗ ଦେବେନି କାମରେ। ବରମୁଣ୍ଡାରେ ବୁଧବାର ଦିନ ହୋଇଥିବା ପରିବହନ କର୍ମଚାରୀ ସଙ୍ଘର ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି।
ନିଷ୍ପତ୍ତି ଅନୁସାରେ ଗୁରୁବାର ଠାରୁ ରାଜ୍ୟରେ ଗଡିବ ନାହିଁ ଘରୋଇ ବସ। ରାଜ୍ୟ ପରିବହନ କର୍ମଚାରୀ ସଙ୍ଘର ସଭାପତି ନବ କିଶୋର ମହାନ୍ତି କହିଛନ୍ତି ଯେ ‘‘ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ମାତ୍ର ୩୦ଟି ବସ୍ ଗଡୁଥିଲା । ସରକାର ଦାବି ଗ୍ରହଣ କରୁ ନ ଥିବାରୁ କାଲି ଠୁ କୌଣସି କର୍ମଚାରୀ ଯୋଗ ଦେବେନି। ରାଜ୍ୟର ବସରେ କାମ କରୁଥିବା ୫୬,୦୦୦ କର୍ମଚାରୀଙ୍କୁ ସରକାର ଧୋକା ଦେଇଛନ୍ତି।’’
କରୋନାରେ ଯଦି କୌଣସି ବସ କର୍ମଚାରୀ ଯଥା ଡ୍ରାଇଭର, କଣ୍ଡକ୍ଟର, ହେଲ୍ପର ବା ସୁପରଭାଇଜରଙ୍କ ମୃତ୍ୟୁ ହୁଏ ତେବେ ତାଙ୍କୁ କରୋନା ଯୋଦ୍ଧା ଭାବରେ ଘୋଷଣା କରାଯାଉ ଓ ତାଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯାଉ ବୋଲି ରାଜ୍ୟ ପରିବହନ କର୍ମଚାରୀ ସଙ୍ଘ ଦାବି କରିଛି। ତା’ ସହ ବସ୍ କର୍ମଚାରୀ ଯଦି ଆକ୍ରାନ୍ତ ହୁଅନ୍ତି ତେବେ ଛଅ ମାସ ଯାଏ ତାଙ୍କ ପରିବାରକୁ ୧୦ ହଜାର ଟଙ୍କା ମିଳୁ ଓ ଗତ ତିନି ମାସ ହେବ କର୍ମଚାରୀ ହାତ ବାନ୍ଧି ବସିଥିବାରୁ ପ୍ରତ୍ୟେକଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ଓ କର୍ମଚାରୀମାନଙ୍କୁ ପ୍ରୋଭିଡେଣ୍ଟ ଫଣ୍ଡ ଓ ଇଏସଆଇରେ ସାମିଲ କରାଯାଉ ବୋଲି ବି ଦାବି ରଖିଛି ରାଜ୍ୟ ପରିବହନ କର୍ମଚାରୀ ସଙ୍ଘ।