Odisha Link
Bridging the Missing Links in Odisha

ଆଶା ବଢ଼ାଉଛି ପ୍ଲାଜମା ଚିକିତ୍ସା, ଗଞ୍ଜାମରୁ ୩ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏପରିକି ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ହେଲେ ଏସବୁ ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ବସ୍ତି ଖବର। କରୋନା ସଂକ୍ରମଣକୁ ନଜରରେ ରଖି ସରକାର ରାଜ୍ୟରେ ପ୍ଲାଜମା ଚିକିତ୍ସା କରିବାକୁ ଅନୁମୋଦନ ଦେଇଥିଲେ। ବର୍ତ୍ତମାନ ସମୟରେ କରୋନା ଟୀକା ବାହାରି ନଥିବା ବେଳେ ପ୍ଲାଜମା ଚିକିତ୍ସା ବେଶ୍‌ ଫଳପ୍ରଦ ହେବାରେ ଲାଗିଛି। ବର୍ତ୍ତମାନ ସମୟରେ କରୋନା ସଂକ୍ରମିତଙ୍କ ପାଇଁ ସଂଜୀବନୀ ହେଉଛି ପ୍ଲାଜମା ଚିକିତ୍ସା।

ପ୍ଲାଜମା ନେଇ ଗଞ୍ଜାମ ଜିଲ୍ଲାର ୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାଯାଇଛି। ୩ କରୋନା ଆକ୍ରାନ୍ତ ସୁସ୍ଥ ହେବା ନେଇ ଜିଲ୍ଲାପାଳ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ଏଥିସହ କରୋନାରୁ ସୁସ୍ଥ ଲୋକଙ୍କୁ ପ୍ଲାଜମା ଦାନ ପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି।

ପ୍ରକାଶ ଯେ, ରାଜ୍ୟରେ କରୋନା ମହାମାରୀ ଅଣାୟତ୍ତ। ତିନି ମାସ କାଁ ଭାଁ ଜଣେ ଦୁଇ ଜଣ ଲୋକ ମହାମାରୀରେ ଆକ୍ରାନ୍ତ ହେଉଥିବାବେଳେ ଏବେ ଦିନକୁ ଶହ ଶହ ସଂଖ୍ୟାରେ ସଂକ୍ରମିତ ବାହାରୁଛନ୍ତି। ରାଜ୍ୟରେ ପରିସ୍ଥିତି ଏପରି ହେଲାଣି ଯେ, ସଂକ୍ରମଣ ଦିନ କେଇଟାରେ ସବୁ ଅଙ୍କକୁ ଓଲଟପାଲଟ କରିଦେଇଛି। ପୂର୍ବରୁ ଜଣେ ଆକ୍ରାନ୍ତ ବାହାରିଲେ ତା’ର ଠିକଣା ଖୋଜି ଲୋକେ ତୁଣ୍ଡରେ ଘୋଷି ଦେଉଥିଲେ। ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଆଉ ଗଣି ହେଉନାହିଁ। ସବୁଠାରୁ ବଡ଼ କଥା ହେଲା ଏବେ ସବୁ ବର୍ଗର ଲୋକେ ସଂକ୍ରମିତ ହୋଇସାରିଲେଣି।