୨୦୧୯ ନିର୍ବାଚନ: ରାଜନୀତିକୁ ଓହ୍ଲାଇବେ ମହିଳା ଓ ପ୍ରଶାସକ

ଭୁବନେଶ୍ବର: ବିଜେଡି ମୁଖିଅା ନବୀନ ପଟ୍ଟନାୟକ ଲୋକସଭା ନିର୍ବାଚନରେ ତାଙ୍କ ଦଳ ଓଡ଼ିଶାରୁ ୩୩ ପ୍ରତିଶତ ମହିଳା ପ୍ରାର୍ଥୀ କରିବ ବୋଲି ଘୋଷଣା କରିବା ପରେ ଏବେ ଦଳରେ ମହିଳା ଅାଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନୁରୂପ ଭାବେ ବିଧାନସଭା ନିର୍ବାଚନରେ ମଧ୍ୟ ଦଳ ଅଧିକ ମହିଳାଙ୍କୁ ସୁଯୋଗ ଦେବ ବୋଲି ଅାଶା କରାଯାଉଛି।
ବର୍ତ୍ତମାନ ରାଜନୀତିରେ ସକ୍ରିୟ ଥିବା ଅନେକ ନେତାଙ୍କ ପତ୍ନୀ ଏବେ ବିଜେଡିରୁ ଟିକେଟ୍ ଅାଶାୟୀ ଥିବା ବେଳେ ଚାକିରି ଛାଡ଼ି ରାଜନୀତିକୁ ଲମ୍ଫ ଦେବାକୁ କିଛି ପ୍ରଶାସକ ଅାଗଭର ହାେଇଛନ୍ତି।
୭ଟି ଲୋକସଭା ଅାସନରେ ବିଜୁ ଜନତା ଦଳ ମହିଳାଙ୍କୁ ପ୍ରାର୍ଥୀ କରାଇବା ଏକ ପ୍ରକାର ନିଶ୍ଚିତ ହାେଇଥିବା ବେଳେ ୪୦ରୁ ଅଧିକ ବିଧାନସଭା ଅାସନରେ ମଧ୍ୟ ମହିଳାଙ୍କୁ ସୁଯୋଗ ମିଳିବ ବୋଲି ଅାଶା କରାଯାଉଛି।
କଳାହାଣ୍ଡି ସାଂସଦ ଅର୍କକେଶରୀ ସିଂହଙ୍କ ପତ୍ନୀ ଏଥର ସାଂସଦ ପ୍ରାର୍ଥୀ ହେବା ପେଡ଼ି ଚର୍ଚ୍ଚା ଯୋର ଧରିଥିବା ବେଳେ ନୟାଗଡ଼ରେ ଯଦି ଅରୁଣ ସାହୁଙ୍କୁ ଟିକେଟ ନମିଳେ ତାଙ୍କ ପତ୍ନୀ ନୟାଗଡ଼ କିମ୍ବା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ଅାଗ୍ରହୀ ଥିବା ସୂଚନା ମିଳୁଛି। କୋରାପୁଟ ଲୋକସଭା ପ୍ରସଙ୍ଗରେ ଝିନ୍ନ ହିକ୍କାଙ୍କ ପତ୍ନୀ କୌଶଲ୍ୟା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅାଲୋଚନା କରିଛନ୍ତି। ନୟାଗଡ଼ ଅାଶା ଛାଡ଼ି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ପୁଣି ଥରେ କନ୍ଧମାଳରୁ ସାଂସଦ ପ୍ରାର୍ଥୀ ହେବା ଅାଶା ରଖି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଅନ୍ୟପଟେ ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କ ଭଉଣୀ ଲେଖିକା ଇତିରାଣୀ ସାମନ୍ତଙ୍କ ନାମ ମଧ୍ୟ କନ୍ଧମାଳ ପାଇଁ ଚର୍ଚ୍ଚାରେ ରହିଛି। ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କ କନ୍ୟା ତନୟା ପଟ୍ଟନାୟକ ଖଣ୍ଡପଡ଼ାରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଚାଲିଛି। ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ସୁନ୍ଦରଗଡ଼ ଲୋକସଭାରୁ ବିଜେଡି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଲତିକା ପ୍ରଧାନ ଅାସ୍କାରୁ, ଶ୍ରୀମୟୀ ମିଶ୍ର ନହେଲେ ଟୁକୁନି ସାହୁ ବଲାଙ୍ଗୀରରୁ, ସୁବାସିନୀ ଜେନା ବାଲେଶ୍ବରରୁ, ମିନତୀ ବେହେରା ଅଥବା ରାଜଶ୍ରୀ ମଲ୍ଲିକ ଜଗତସିଂହପୁର ଲୋକସଭା ଅାସନରୁ ପ୍ରାର୍ଥୀ ହାେଇପାରନ୍ତି।
ଅନୁରୂପ ଭାବେ ବହୁ ସଂଖ୍ୟାରେ ବରିଷ୍ଠ ପ୍ରଶାସକ ଏଥର ଚାକିରି ଛାଡ଼ି ବିଜେଡି ରାଜନୀତିରେ ଯୋଗଦେବେ। ବରିଷ୍ଠ ଓଏଏସ୍ ଅଧିକାରୀ ରମେଶ ବେହେରା ନୟାଗଡ଼ ଜିଲ୍ଲା ଦଶପଲ୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେଉଥିବା ବେଳେ ଶର୍ମିଷ୍ଠା ସେଠୀ ଯାଜପୁର ଲୋକସଭା ଅାସନରୁ ପ୍ରାର୍ଥୀ ହାେଇପାରନ୍ତି। ଯୁଗ୍ମ ସଚିବ ପାହ୍ୟା ଅଧିକାରୀ ଅଖିଳ ନାୟକ କେନ୍ଦୁଝର ଜିଲ୍ଲା ପାଟଣା ଅାସନରୁ ପ୍ରାର୍ଥୀ ହେବେ। ପଞ୍ଚାୟତିରାଜ ବିଭାଗ ବରିଷ୍ଠ ଅଧିକାରୀ ନିରୂପମା ମଲ୍ଲିକ ଜି ଉଦୟଗିରି ବିଧାନସଭା ଅାସନରୁ ପ୍ରାର୍ଥୀ ହାେଇପାରନ୍ତି। ଅତିରିକ୍ତ କମିଶନର ଅମିର ଚନ୍ଦ୍ର ନାୟକ ମଧ୍ୟ ଅବସର ନେଇ ବିଜେଡିରୁ ଟିକେଟ ଅାଶୟୀ ଅଛନ୍ତି।
ଭୁବନେଶ୍ବରରୁ ଗୋଟିଏ ଅାସନରେ ବିଜେଡି ମହିଳା ପ୍ରାର୍ଥୀ ଦେବା ନେଇ ଚର୍ଚ୍ଚା ହେଉଛି। ପ୍ରତିଟି ଜିଲ୍ଲାରେ ଅତି କମରେ ଜଣେ ମହିଳାଙ୍କୁ ବିଜେଡି ବିଧାନସଭାକୁ ପଠାଇବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି।