ଯୋଗୀ ସରକାରଙ୍କ ‘ମିଶନ ଶକ୍ତି’ ଅଭିଯାନ, ୨ ଦିନରେ ୧୪ଜଣ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡ

ଲକ୍ଷ୍ନୌ: ଆକ୍ସନ ମୁଡରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ଆକ୍ସନ ନେଉଛନ୍ତି ଯୋଗୀ ଆଦିତ୍ୟନାଥ। ବର୍ତ୍ତମାନ ସାରା ଦେଶରେ ପାର୍ବଣର ମାହୋଲ ରହିଛି। ନବରାତ୍ରୀ ଚାଲିଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶରେ ଆରମ୍ଭ କରାଯାଇଛି ଅଭିଯାନ ‘ମିଶନ ଶକ୍ତି’। ଏହି ଅଭିଯାନରେ ମହିଳାଙ୍କୁ ପ୍ରତି ହେଉଥିବା ଅପରାଧରେ ଗତ ଦୁଇ ଦିନ ମଧ୍ୟରେ ୧୪ ଅଭିଯୁକ୍ତଙ୍କୁ ଫାଶୀ ଏବଂ ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତତ୍ପରତା ଦେଖାଇ ଅଭିଯୁକ୍ତଙ୍କୁ ଦଣ୍ଡ ଦେବାର କାର୍ଯ୍ୟ କରିଛି।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବନୀଶ କୁମାର ଆବସ୍ତି କହିଛନ୍ତି ଯେ, ଅପରାଧୀଙ୍କୁ ଦଣ୍ଡ ଦେଲେ ହିଁ ଆଇନର ନିୟମ ପ୍ରତିଷ୍ଠା ହୋଇପାରିବ। ଏହି କ୍ରମରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚିହ୍ନଟ କରିଥିବା ମାମଲାରେ ଅନେକ ଘଟଣାରେ ଦଣ୍ଡ ବିଧାନ ଦିଆଯାଇଛି। ଏଥିରେ ୧୧ଟି ମାମଲାରେ ୧୪ଜଣ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ, ୫ଟି ମାମଲାରେ ୧୧ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଏବଂ ୮ଟି ମାମଲାରେ ୨୨ ଅଭିଯୁକ୍ତଙ୍କୁ ଜେଲ ଦଣ୍ଡ ଏବଂ ଜରିମାନା ଦଣ୍ଡାଦେଶ ଦିଆଯାଇଛି । ୮୮ଟି ମାମଲାରେ ମହିଳା ଏବଂ ଶିଶୁ ଅପରାଧରେ ଜଡିତ ଥିବା ୧୧୭ ଜଣ ଅଭିଯୁକ୍ତଙ୍କ ଜାମିନକୁ ନିର୍ଦ୍ଦେଶାଳୟ ପ୍ରତ୍ୟାଖ୍ୟାନ କରିଛି।
ଏଡିଜି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଆଶୁତୋଷ ପାଣ୍ଡେ କହିଛନ୍ତି ଯେ, ମହିଳାମାନଙ୍କ ପ୍ରତି ହେଉଥିବା ଅପରାଧ ମାମଲାରେ ଦଣ୍ଡ ଦେବାରେ ଉତ୍ତରପ୍ରଦେଶ ଏକ ନମ୍ବର ସ୍ଥାନରେ ରହିଛି। ସୂଚନାଥାଊକି, ମହିଳାମାନଙ୍କ ପ୍ରତି କରାଯାଉଥିବା ଅପରାଧକୁ ନେଇ ବିରୋଧୀଙ୍କ ଟାର୍ଗେଟରେ ଆସିଥିବା ଯୋଗୀ ସରକାର ଅକ୍ଟୋବର ୧୭ରୁ ଅକ୍ଟୋବର ୨୫ ଯାଏଁ ‘ମିଶନ ଶକ୍ତି’ ଅଭିଯାନ ଆରମ୍ଭ କରିଛନ୍ତି।