Odisha Link
Bridging the Missing Links in Odisha

ବିନା ଟ୍ୟୁସନରେ ମିଳିବନି ମାର୍କ, ଅଭିଯୋଗ ଆଣିଲେ ବାଚସ୍ପତି

ବ୍ରହ୍ମପୁର: ଟ୍ୟୁଶନ ପଢିବାକୁ ଆସିବେ ନାହିଁ ତ ମାର୍କ ନାଇଁ। ଏଭଳି ଧମକ ଦେଉଛନ୍ତି ଅଧ୍ୟାପକ। ଖୋଦ୍‌ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଏଭଳି ଅଭିଯୋଗ ଆଣିଛନ୍ତି। ବାଚସ୍ପତିଙ୍କ ଏଭଳି ଅଭିଯୋଗ ପରେ ଆକ୍ସନ ମୁଡରେ ଉଚ୍ଚଶିକ୍ଷା ବିଭାଗ। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ। ଜଣେ ଅଧ୍ୟାପକଙ୍କ ବିରୋଧରେ ବାଚସ୍ପତିଙ୍କ ଅଭିଯୋଗ ପରେ ରାଜ୍ୟର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ମନରେ ଛନକା ଭରି ଦେଇଛି।

ଦିଗପହଣ୍ଡିସ୍ଥିତ ବିଜୁ ପଟ୍ଟନାୟକ ମହିଳା କଲେଜ ଇଂରାଜୀ ଅଧ୍ୟାପକ ସୁଧୀରକାନ୍ତ ପଣ୍ଡା ଘରୋଇ ଟ୍ୟୁଶନ ପଢ଼ାଉଛନ୍ତି। ଯେଉଁ ଛାତ୍ରୀମାନେ ଟ୍ୟୁଶନ ପଢ଼ିବେ ନାହିଁ, ପରୀକ୍ଷାରେ ସେମାନଙ୍କ ମାର୍କ କମାଇଦେବାକୁ ଧମକ ଦେଉଛନ୍ତି। ପୂର୍ବରୁ କଲେଜ ଅଧ୍ୟାପିକା ଅଧ୍ୟାପକମାନେ ଘରେ ଟ୍ୟୁଶନ ପଢ଼ାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ତଥାପି ଏହାକୁ ଅଧ୍ୟାପକମାନେ ଖାତିର୍‌ କରୁନାହାନ୍ତି। ଟ୍ୟୁଶନ ନ ପଢ଼ିଲେ ପରୀକ୍ଷାରେ ମାର୍କ କମାଇଦେବେ ବୋଲି କେତେଜଣ ଅଧ୍ୟାପକ ଧମକ ଦେଉଥିବା ନେଇ ବହୁଥର ଅଭିଯୋଗ ହୋଇଛି।

ଏପର୍ଯ୍ୟନ୍ତ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଗତ ୨୮ତାରିଖରେ ବାଚସ୍ପତି ସୂର୍ଯନାରାୟଣ ପାତ୍ର ବିଜୁ ପଟ୍ଟନାୟକ ମହିଳା କଲେଜ ଅଧ୍ୟାପକ ପଣ୍ଡାଙ୍କ ବିରୋଧରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ନିକଟରେ ଅଭିଯୋଗ କରିଥିଲେ। ସେ ଅଭିଯୋଗରେ ଦର୍ଶାଇଥିଲେ ଯେ, ଅଧ୍ୟାପକ ପଣ୍ଡା ନିଜ ଘରେ ୩୦ରୁ ଅଧିକ ପିଲାଙ୍କୁ ଟ୍ୟୁଶନ୍‌ କରୁଛନ୍ତି। ଟ୍ୟୁଶନ ନ ହେବା ପିଲାଙ୍କୁ ମାର୍କ କମାଇଦେବା ଧମକ ଦେଉଛନ୍ତି । ଏଭଳି କରି ସେ ଆଇନକୁ ଅମାନ୍ୟ କରୁଛନ୍ତି । ପଣ୍ଡାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଚସ୍ପତି ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ଏପରିକି ଏ ସମ୍ପର୍କରେ ସଂପୃକ୍ତ ମହାବିଦ୍ୟାଳୟର ଛାତ୍ରୀମାନେ ଅଧ୍ୟାପକ ପଣ୍ଡାଙ୍କ ବିରୋଧରେ କରିଥିବା ଅଭିଯୋଗ ପତ୍ରକୁ ମଧ୍ୟ ସଂଲଗ୍ନ କରିଥିଲେ।

ଅଭିଯୋଗର ଏକ ନକଲ ଉଚ୍ଚ ଶିକ୍ଷା ବିଭାଗର ସଚିବଙ୍କ ପାଖକୁ ମଧ୍ୟ ପଠାଇଥିଲେ। ଅଭିଯୋଗ ପାଇବା ପରେ ଶୁକ୍ରବାର ଅଧ୍ୟାପକ ପଣ୍ଡାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ବିଭାଗର ଉପସଚିବ ପ୍ରାଣବନ୍ଧୁ ରାଉତ। ଏହାର ତଦନ୍ତ କରିବା ସହ ଆସନ୍ତା ୨୫ତାରିଖ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।