Odisha Link
Bridging the Missing Links in Odisha

ଓଡ଼ିଶା ରସଗୋଲାକୁ ମିଳିଲା ଜିଆଇ ମାନ୍ୟତା

ଭୁବନେଶ୍ବର: ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଜିଆଇ ଯୁଦ୍ଧରେ ବିଜୟୀ ହୋଇଛି ଓଡ଼ିଶାର ରସଗୋଲା। ଓଡ଼ିଶାର ରସଗୋଲାକୁ ଭୌଗୋଳିକ ସଙ୍କେତ (ଜିଆଇ) ମିଳିଛି। ଭାରତ ସରକାରଙ୍କ ଶିଳ୍ପ ଓ ଅନ୍ତର୍ଦେଶୀୟ ବ୍ୟବସାୟ ପ୍ରୋତ୍ସାହନ ବିଭାଗ ଅଧୀନ ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି ଇଣ୍ଡିଆ ପକ୍ଷରୁ ଆଜି ଓନିଶାର ରସଗୋଲାକୁ ଏହି ମର୍ଯ୍ୟାଦାଜନକ ମାନ୍ୟତା ମିଳିଛି।

ଓଡ଼ିଶାରୁ ରସଗୋଲାର ଉତ୍ପତ୍ତି ହୋଇଥିଲେ ହେଁ ପୂର୍ବରୁ ପଶ୍ଚିମ ବଙ୍ଗ ବଂଲାର ରସଗୋଲା ଭାବେ ଜିଆଇ ମାନ୍ୟତା ହାତେଇ ନେଇଥିଲା। ତେବେ ୨୦୧୮ ମସିହା ଫେବ୍ରୁଆରୀ ୨୩ ତାରିଖରେ ଓଡ଼ିଶାର ରସଗୋଲାର ସ୍ବାତନ୍ତ୍ର‍୍ୟ ବର୍ଣ୍ଣନା କରି ଓଡ଼ିଶା କ୍ଷୁଦ୍ର ଉଦ୍ୟୋଗ ନିଗମ ଲିମିଟେଟ୍‌ (ଓଏସ୍ଆଇସି) ଓ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟ ସମିତି ପକ୍ଷରୁ କେନ୍ଦ୍ର ସରକାରଙ୍କ ପାଖରେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ଦେବା ପାଇଁ ଆବେଦନ କରାଯାଇଥିଲା।

ଦେଢ଼ ବର୍ଷ ପରେ ଆଜି (୨୯ ଜୁଲାଇ ୨୦୧୯) ଓଡ଼ିଶାର ରସଗୋଲାକୁ ଏହି ସ୍ବୀକୃତି ମିଳିଛି। ଏହି ସ୍ବୀକୃତି ୨୨ ଫେବ୍ରୁଆରୀ ୨୦୧୮ (ଆବେଦନ ଦିନ ଠାରୁ ୧୦ ବର୍ଷ) ଯାଏଁ ବୈଧ ରହିବ ବୋଲି ସରକାରୀ ଓ୍ବେବସାଇଟରେ ଉଲ୍ଲେଖ ରହିଛି। ଓ୍ବେବସାଇଟରେ ଓଡ଼ିଶା ରସଗୋଲାର ଏକ ସଙ୍କେତ (Logo) ମଧ୍ୟ ରହିଛି।

ଏଯାବତ ପ୍ରାୟ ୩୦୦ରୁ ଅଧିକ ଭାରତୀୟ ଉତ୍ପାଦକୁ ସରକାର ଜିଆଇ ମାନ୍ୟତା ଦେଇଥିବା ବେଳେ ଓଡ଼ିଶାରୁ ରସଗୋଲା ସମେତ ୧୭ଟି ଉତ୍ପାଦ ରହିଛି। ପୂର୍ବରୁ କୋଟପାଡ଼ ଶାଢ଼ୀ, ଓଡ଼ିଶା ଇକାତ୍‌ ଶାଢ଼ୀ, କୋଣାର୍କ ପଥର ଖୋଦେଇ, ଓଡ଼ିଶା ପଟ୍ଟଚିତ୍ର, ପିପିଲି ଚାନ୍ଦୁଆ, ଖଣ୍ଡୁଆ ପାଟ, ଗୋପାଳପୁର ଟସର କପଡ଼ା, ଗଞ୍ଜାମ କିଆ ତେଲ, ଗଞ୍ଜାମ କିଆ ଫୁଲ, ଧଳାପଥର ଶାଢ଼ୀ, ସମ୍ବଲପୁରୀ ବାନ୍ଧ, ବୋମକାଇ ଶାଢ଼ୀ, ହବସପୁରୀ ଶାଢ଼ୀ, ବ୍ରହ୍ମପୁରୀ ପାଟ ଓ ଶାଢ଼ୀ, ଅରକୁ ଭାଲି ଆରବିକ କଫି ଓ କନ୍ଧମାଳ ହଳଦୀକୁ ଜିଆଇ ମାନ୍ୟତା ମିଳିଛି।

Comments are closed.