ମୋଦିଙ୍କ ସ୍ୱପ୍ନ କେବେ ପୂରଣ ହେବନି: ମାସୁଦ

କରାଚି: ଧାରା ୩୭୦ ଉଚ୍ଛେଦକୁ ନେଇ ମୁହଁ ଖୋଲିଛି ଆତଙ୍କବାଦୀ ମାସୁଦ ଅଝାର। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଠିବା ପରେ ଗୋଟିଏ ପଟେ ପାକିସ୍ତାନ ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। କଶ୍ମୀର ପ୍ରସଙ୍ଗକୁ ନେଇ ଜୈଶ-ଏ-ମହମ୍ମଦର ମୁଖିଆ ମାସୁଦ ଅଝାର ପୁଣି ଥରେ ଭାରତ ବିରୋଧରେ ବିଷୋଦଗାର କରିଛି। ଅଝାର ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ବିଶ୍ୱସ୍ତରରେ ଆତଙ୍କବାଦୀ ଘୋଷିତ ହୋଇସାରିଛି। ମେସେଜିଙ୍ଗ ଆପ୍ ଟେଲିଗ୍ରାମ ସାହାଯ୍ୟରେ ଅଝାରର ବୟାନ ସାମ୍ନାକୁ ଆସିଛି।
କଶ୍ମୀରରୁ ୩୭୦ ଉଚ୍ଛେଦ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛି ମାସୁଦ। କଶ୍ମୀରବାସୀଙ୍କ କଥା ଚିନ୍ତା ନ କରି ମୋଦୀ ମନଇଚ୍ଛା ନିଷ୍ପତ୍ତି ନେଇଛନ୍ତି। ନିଜର ପରାଜୟ ସ୍ୱୀକାର କରିନେଇଛନ୍ତି ବୋଲି ସେ ଜାରି କରିଥିବା ବୟାନରେ କହିଛି ମାସୁଦ। ୩୭୦ ଉଚ୍ଛେଦ ପରେ କଶ୍ମୀରୀ ମୁସଲମାନମାନେ ନିଜର ଅଧିକାର ହରାଇବେ। ବାହାର ସ୍ଥାନରୁ ଉଦ୍ୟୋଗପତିମାନେ ଆସି ଜମି କିଣିବେ। ଅଝାର କହିଛି ଭାରତ ସରକାର ନିଜ ପାଦରେ କୁରାଢ଼ୀ ମାରିଛନ୍ତି। ମୋଦୀ ସରକାରଙ୍କ ସ୍ୱପ୍ନ କେବେ ପୂରଣ ହେବନି। କଶ୍ମୀରରେ ଜିହାଦର ଏକ ଅଧ୍ୟାୟ ପୂରା ହୋଇଛି ।ସୂଚନାଯୋଗ୍ୟ ଭାରତ ସରକାର ଜମ୍ମୁକ-କାଶ୍ମରୀରୁ ୩୭୦ ଧାରା ଉଚ୍ଛେଦ କରିଛନ୍ତି। ଏହାସହ ଜମ୍ମୁ-କଶ୍ମୀରକୁ କେନ୍ଦ୍ର ଶାସିତ ରାଜ୍ୟ ଘୋଷଣା କରିଛନ୍ତି।