କମଲନାଥଙ୍କ ଭଣଜା ରାତୁଲ ପୁରୀ ଗିରଫ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରାତୁଲ ପୁରୀ ଗିରଫ। ୩୫୪ କୋଟି ଟଙ୍କାର ଏକ ଋଣ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ମଙ୍ଗଳବାର ଗିରଫ କରିଛି। ରାତୁଲ ମୋଜର ବେୟର ନାମକ ଡିଜିଟାଲ ଡାଟା ଷ୍ଟୋରେଜ ଡିଭାଇସ ମାନୁଫାକ୍ଚରିଂ କମ୍ପାନୀର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ।
ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଋଣ ଠକେଇ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ନିକଟରେ ଅଭିଯୋଗ କରାଯାଇଥିଲା। ସିବିଆଇ ଏ ନେଇ ରାତୁଲ ପୁରୀ, ତାଙ୍କ କମ୍ପାନୀ, ତାଙ୍କ ବାପା ତଥା କମ୍ପାନୀର ପରିଚାଳନା ନିର୍ଦେଶକ ଦୀପକ ପୁରୀ ଏବଂ ରାତୁଲଙ୍କ ମା’ ତଥା କମ୍ପାନୀର ନିର୍ଦେଶକ ନିତା ପୁରୀ, ସଞ୍ଜୟ ଜୈନ ଓ ବିନୀତ ଶର୍ମାଙ୍କ ବିରୋଧରେ ଗତ ରବିବାର ମାମଲା ରୁଜୁ କରିଥିଲା। ଏହାର ୩ ଦିନ ପରେ ଇଡି ଆର୍ଥିକ ଅନିୟମିତତା ମାମଲାରେ ରାତୁଲଙ୍କୁ ଗିରଫ କରିଛି। ଅନ୍ୟପଟେ ଗତ ରବିବାର ସିବିଆଇ ପକ୍ଷରୁ ଅଭିଯୁକ୍ତମାନଙ୍କ ବାସଭବନ, କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା।
Comments are closed.