ବର୍ଷାରେ ବେହାଲ ହେବ ଓଡ଼ିଶା! ୧୧ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ଅନୁଗୁଳରେ ସର୍ବାଧିକ ବର୍ଷା ରେକର୍ଡ

ଓଏଲ୍ ବ୍ୟୁରୋ: ବର୍ଷାରେ ବେହାଲ ହୋଇଛି ଓଡ଼ିଶା। ସାରା ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା। ସମ୍ପୂର୍ଣ୍ଣ ଓଡ଼ିଶାକୁ ଅଗ୍ରସର ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଲାଗିରହିଛି। ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ଅନୁଗୁଳରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି।
ଏହା ସହ ଆଗାମୀ ୨୪ ଘଣ୍ଟା ପାଇଁ ୧୧ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଝାରସୁଗୁଡା, ବରଗଡ, ସୁନ୍ଦରଗଡ, ସମ୍ବଲପୁର ଜିଲ୍ଲାରେ କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ତଥା ନୂଆପଡା ବଲାଙ୍ଗୀର, ବୌଦ୍ଧ, ସୋନପୁର, ଅନୁଗୁଳ, ଦେବଗଡ ଏବଂ କେନ୍ଦୁଝର ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
ଆଗାମୀ #୨୪ଘଣ୍ଟା ପାଇଁ #୧୧ଜିଲ୍ଲାକୁ ଅରେଞ୍ଜ ଚେତବାନୀ#ଝାରସୁଗୁଡା, #ବରଗଡ, #ସୁନ୍ଦରଗଡ, #ସମ୍ବଲପୁର ଜିଲ୍ଲାରେ କିଛି କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ତଥା #ନୂଆପଡା ବଲାଙ୍ଗୀର , ବୌଦ୍ଧ, ସୋନପୁର, ଅନୁଗୁଳ, ଦେବଗଡ ଏବଂ #କେନ୍ଦୁଝର ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଚେତବାନୀ
— Meteorological Centre, Bhubaneswar (@mcbbsr) June 26, 2023
ଖବର ଅନୁସାରେ, ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଯାଏଁ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ଓଡିଶା ଉପକୂଳ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରକୁ ଯିବାକୁ ସମ୍ପୂର୍ଣ ବାରଣ କରାଯାଇଛି। ଲଘୁଚାପ ଜନିତ ବର୍ଷାର ପ୍ରଭାବରେ ତଳୁଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା ରହିଛି।
ସହରାଅଞ୍ଚଳରେ ତୀବ୍ର ବର୍ଷା ସମୟରେ ଦୃଶ୍ୟମାନ ଦୂରତା କମିବା ସହ ଟ୍ରାଫିକ ଜନିତ ସମସ୍ୟା ଉପୁଜିପାରେ। କଚ୍ଚା ରାସ୍ତା ପ୍ରଭାବିତ ହେବା ସହ ମାଟିଚାଳ ଘରର କାନ୍ଥ ପଡ଼ିବାର ସମ୍ଭାବନା ରହିଛି। ତଳୁଆ ଚାଷଜମି ଗୁଡିକରେ ପାଣିଜମିବାର ସମ୍ଭାବନା ଥିବାରୁ ଜଳନିସ୍କାସନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।