ଜଳିଗଲା ଟ୍ରେନ୍: ୯ ମୃତ, ୨୦ରୁ ଅଧିକ ଗୁରୁତର

ଓଏଲ୍ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣା ଦେଶବାସୀଙ୍କ ମନରୁ ଲିଭିନଥିବା ବେଳେ ଆଜି ଭୋରୁ ଏକ ଟ୍ରେନ୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ତାମିଲନାଡୁ ମଦୁରାଇ ଷ୍ଟେସନ ନିକଟରେ ଆଜି ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୯ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୨୦ ଜଣ ଗୁରୁତର ହୋଇଛନ୍ତି। କିଛି ଯାତ୍ରୀ ଟ୍ରେନ୍ରେ ଅବୈଧ ଭାବେ ଗ୍ୟାସ୍ ସିଲିଣ୍ଡର ନେଇ ଯାଉଥିବା ବେଳେ ତାହା ଫାଟି ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାଯାଇଛି।
ସୂୂଚନା ମୁତାବକ, ସକାଳ ପ୍ରାୟ ୫ଟା୧୫ରେ ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ତାମିଲନାଡ଼ୁର ରାମେଶ୍ୱରମ ଯାଉଥିବା ଟ୍ରେନ୍ରେ ନିଆଁ ଲାଗିଥିଲା। ମଦୁରାଇ ଷ୍ଟେସନର ଜଙ୍କସନ୍ରେ ଅଟକିଥିବା ବେଳେ ଏହି ଅଘଟଣ ଘଟିଥିଲା। ଆଖି ପିଛୁଳାକେ ନିଆଁ ଟ୍ରେନ୍ର ଗୋଟିଏ ବଗିକୁ ମାଡ଼ି ଯାଇଥିଲା। ଫଳରେ ଉକ୍ତ ବଗିରେ ଥିବା ଯାତ୍ରୀମାନେ ଜୀବନ ବଞ୍ଚାଇବାକୁ ଆକୁଳ ଚିତ୍କାର କରୁଥିଲେ।
ଖବର ପାଇ ଦମକଳ ବାହିନୀ ପ୍ରାୟ ୫ଟା ୪୫ ମିନିଟ୍ରେ ଷ୍ଟେଶନରେ ପହଞ୍ଚିଥିଲେ। ଏହାପରେ ପ୍ରାୟ ୨ ଘଣ୍ଟାର ପରିଶ୍ରମ ପରେ ନିଆଁକୁ କାବୁ କରାଯାଇଥିଲା। ଏହି ଦୁର୍ଘଟଣାରେ ୯ ଜଣ ଜୀଅନ୍ତା ଜଳି ଯାଇଥିବା ବେଳେ ୨୦ ଜଣ ଗୁରୁତର ହୋଇଛନ୍ତି। ଟ୍ରେନ୍ରେ କିଛି ଯାତ୍ରୀ ଗ୍ୟାସ୍ ସିଲିଣ୍ଡର ନେଇ ଯାଉଥିବା ବେଳେ କୌଣସି କାରଣରୁ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଥିବା ରେଳୱେ ଅଧିକାରୀ ସୂଚନା ଦେଇଛନ୍ତି।