ଅଭିନେତା ଶ୍ରେୟସ୍ ତଲପଡ଼େଙ୍କୁ ହୃଦ୍ଘାତ, ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆଣିଲା ‘ଆଞ୍ଜିଓପ୍ଲାଷ୍ଟି’

ଓଏଲ୍ ବ୍ୟୁରୋ: ବଲିଉଡ୍ ଅଭିନେତା ଶ୍ରେୟସ୍ ତଲପଡ଼େଙ୍କୁ ହୃଦ୍ଘାତ। ଅକ୍ଷୟ କୁମାରଙ୍କ ସହ ଏକ ଫିଲ୍ମର ସୁଟିଂ ବେଳେ ହୃଦ୍ଘାତ ହୋଇଛି। ସୁଟିଂ ପରେ ତଳେ ବେହୋସ୍ ହୋଇ ପଡ଼ିଗଲେ ତଲପଡ଼େ। ହୃଦ୍ଘାତରେ ପୀଡ଼ିତ ହୋଇଥିବା ବଲିଉଡ୍ ଅଭିନେତା ଶ୍ରେୟସ୍ ତଲପଡ଼େଙ୍କର ‘ଆଞ୍ଜିଓପ୍ଲାଷ୍ଟି’ କରାଯାଇଛି ଓ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା ନିଉଜ୍ ଏଜେନ୍ସି ‘ଏଏନ୍ଆଇ’ ରିପୋର୍ଟ କରିଛି। ଗୁରୁବାର ସନ୍ଧ୍ୟା ବେଳେ ଶ୍ରେୟସ୍ଙ୍କର ହୃଦ୍ଘାତ ହେବାରୁ ତାଙ୍କୁ ମୁମ୍ବାଇ ଅନ୍ତର୍ଗତ ଅନ୍ଧେରୀ ଅଞ୍ଚଳରେ ଥିବା ବେଲିଭ୍ୟୁ ହସ୍ପିଟାଲ୍ରେ ଭର୍ତ୍ତି କରାଯିବା ପରେ ରାତି ୧୦ଟାରେ ତାଙ୍କର ‘ଆଞ୍ଜିଓପ୍ଲାଷ୍ଟି’ କରାଗଲା। ଏଥିପାଇଁ କରାଯାଇଥିବା ଅସ୍ତ୍ରୋପଚାର ସଫଳ ହୋଇଛି ଓ ସେ ଭଲ ଅଛନ୍ତି ବୋଲି ଡାକ୍ତରମାନେ କହିଛନ୍ତି।
ଗୁରୁବାର ସନ୍ଧ୍ୟା ସମୟରେ ‘ୱେଲ୍କମ୍ ଟୁ ଦି ଜଙ୍ଗଲ୍’ ଚଳଚ୍ଚିତ୍ର ନିମନ୍ତେ ସୁଟିଙ୍ଗ୍ ସାରିବା ପରେ ସେ ଅଶ୍ବସ୍ତି ଅନୁଭବ କରିଥିଲେ। ପରେ ପରେ ହୃଦ୍ଘାତ ଯୋଗୁଁ ପଡ଼ିଯିବାରୁ ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ୪୭ ବର୍ଷିୟ ତଲପଡ଼େ ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ ଜଣେ ଉଚ୍ଚ ପ୍ରଶଂସିତ ଅଭିନେତା। ୨୦୦୫ର ଚଳଚ୍ଚିତ୍ର ‘ଇକ୍ବାଲ୍’ରେ ସେ ପ୍ରଖ୍ୟାତ ଅଭିନେତା ନସୀରୁଦ୍ଦିନ୍ ଶାହଙ୍କ ସହିତ ଜଣେ ଭିନ୍ନକ୍ଷମ କ୍ରିକେଟ୍ ଖେଳାଳି ଭୂମିକାରେ ଅଭିନୟ କରି ଖୁବ୍ ଲୋକପ୍ରିୟ ହୋଇଥିଲେ। ‘ଇକ୍ବାଲ୍’ରେ ଅଭିନୟ କରିବା ପୂର୍ବରୁ ଶ୍ରେୟସ୍ ମରାଠୀ ଟେଲିଭିଜନ୍ ସୋ’ ଓ ନାଟକରେ ଅଭିନୟ କରୁଥିଲେ। ‘ଓମ୍ ଶାନ୍ତି ଓମ୍’, ‘ଗୋଲ୍ମାଲ୍ ରିଟର୍ଣ୍ଣସ୍’ ଏବଂ ‘ହାଉସ୍ଫୁଲ୍ ୨’ ଆଦି କେତେଗୁଡ଼ିଏ ‘ବକ୍ସ-ଅଫିସ୍ ହିଟ୍’ ଚଳଚ୍ଚିତ୍ରରେ ବି ସେ ଅଭିନୟ କରିଛନ୍ତି। ସେ ଅଭିନୟ କରିଥିବା ଅନ୍ୟ ଏକ ଉଚ୍ଚପ୍ରଶଂସିତ ଚଳଚ୍ଚିତ୍ର ହେଉଛି ‘ଡୋର୍’। ଏହାଛଡ଼ା, ସେ ‘ୱେଲ୍କମ୍ ଟୁ ସଜ୍ଜନପୁର’ରେ ମଧ୍ୟ ସେ ଉଚ୍ଚକୋଟୀର ଅଭିନୟ କରିଛନ୍ତି।