Odisha Link
Bridging the Missing Links in Odisha

କ୍ରିକେଟ ବିଶ୍ବକପ୍: ପାକିସ୍ତାନକୁ ୩୩୭ ରନ୍‌ ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ, ରୋ-ହିଟ୍‌ ସୋ ଦେଖିଲେ କ୍ରିକେଟ ପ୍ରେମୀ

ମାଞ୍ଚେଷ୍ଟର: ରୋହିତ ଶର୍ମାଙ୍କ ଶତକ, ଅଧିନାୟକ ବିରାଟ କୋହଲି ଓ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ସୁପର ସଣ୍ଡେ ମୁକାବିଲାରେ ପାକିସ୍ତାନକୁ ଭାରତ ୩୩୭ ରନ୍‌ ଟାର୍ଗେଟ ଦେଇଛି। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ଓ୍ଵିକେଟ ହରାଇ ମୋଟ୍‌ ୩୩୬ ରନ୍‌ ସଂଗ୍ରହ କରିଛି। କ୍ରିକେଟ ବିଶ୍ବକପ୍‌ ୨୦୧୯ର ୨୨ତମ ମ୍ୟାଚରେ ପାକିସ୍ତାନ ଅଧିନାୟକ ସରଫରାଜ ପ୍ରଥମେ ଟସ୍‌ ଜିତି ବୋଲିଂର ନିଷ୍ପତ୍ତି ନେଇଥିଲେ। ଭାରତ ପକ୍ଷରୁ ଆସିଥିବା ରୋହିତ-ରାହୁଲ ଯୋଡ଼ି ଭାରତକୁ ଦମଦାର ଆରମ୍ଭ ଦେଇଥିଲେ।

ଟିମ୍‌ର ଓପନର ଯୋଡ଼ିଙ୍କ ଦମଦାର ବ୍ୟାଟିଂ ଯୋଗୁଁ ଭାରତ ପ୍ରଥମ ଓ୍ଵିକେଟ୍‌ରେ ୧୩୬ ରନ୍‌ ସଂଗ୍ରହ ହୋଇଥିଲା। ଲୋକେଶ ରାହୁଲ ଆଉଟ୍‌ ହେବା ପରେ କ୍ରିଜ୍‌କୁ ଅଧିନାୟକ ବିରାଟ କୋହଲି ପ୍ରବେଶ କରିଥିଲେ। ଭାରତ ୨୩୪ ରନ୍‌ରେ ରୋହିତ ଶର୍ମାଙ୍କୁ ହରାଇଥିବା ବେଳେ ସ୍କୋର ୨୮୫ ରନ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ। ପାକସ୍ତାନର ୪ର୍ଥ ଶିକାର ହୋଇଥିଲେ ମହେନ୍ଦ୍ର ସିଂହ ଧୋନି। ଧୋନି ଆଉଟ୍‌ ହେବା ସମୟରେ ଭାରତର ସ୍କୋର ୪୫.୧ ଓଭରରେ ୨୯୮ ରନ୍‌ ପହଂଚି ସାରିଥିଲା। ମ୍ୟାଚର ୪୬ତମ ଓଭରରେ ବର୍ଷା ହେବା ହେତୁ ଖେଳରେ ବିଳମ୍ବ ହୋଇଥିଲା। ବର୍ଷା ଛାଡ଼ିବା ପରେ ବିରାଟ ୭୭ରନ୍‌ କରି ପ୍ୟାଭିଲିଆନ୍‌ ଚାଲିଯାଇଥିଲେ। ବିଜୟ ଶଙ୍କରଙ୍କ ୧୫ ଏବଂ କେଦାର ଯାଦବଙ୍କ ୯ରନ୍‌ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୩୩୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ପାକିସ୍ତାନ ପକ୍ଷରୁ ଦ୍ରୁତ ବୋଲର ମହମ୍ମଦ ଅମୀର ୩ଟି ଓ୍ବିକେଟ ନେଇଥିବା ବେଳେ ଓ୍ବହାବ ରିଆଜ ଏବଂ ହାସନ୍‌ ଅଲ୍ଲୀ ଗୋଟାଏ ଲେଖାଏଁ ଓ୍ବିକେଟ ନେଇଛନ୍ତି। ପାକିସ୍ତାନକୁ ଜିତିବାକୁ ହେଲେ ୩୩୭ରନ୍‌ କରିବାର ଆବଶ୍ୟକତା ରହିଛି। ସୂଚନାଯୋଗ୍ୟ, ଭାରତ ବିଶ୍ବକପରେ ପାକିସ୍ତାନ ବିପକ୍ଷ ମ୍ୟାଚରେ କେବେ ହେଲେ ହାରିନାହିଁ।

Comments are closed.