Odisha Link
Bridging the Missing Links in Odisha

ମଧ୍ୟରାତ୍ର ପର୍ଯ୍ୟନ୍ତ ଲୋକସଭାରେ ଚାଲିଲା ବିତର୍କ, କଣ ପାଇଁ ଜାଣନ୍ତୁ

ନୂଆଦିଲ୍ଲୀ: ୧୮ ବର୍ଷ ପରେ ପ୍ରଥମ ଥର ପାଇଁ ମଧ୍ୟରାତ୍ର ପର୍ଯ୍ୟନ୍ତ ସଂସଦରେ ଚର୍ଚ୍ଚା ଚାଲିଥିଲା। ଲୋକସଭାରେ ରେଳ ବଜେଟ୍(ଅନୁଦାନ ଦାବି) ଉପରେ ଚର୍ଚ୍ଚା ରାତି ୧୨ଟା ପର୍ଯ୍ୟନ୍ତ ହୋଇଥିଲା। ଏହି ଆଲୋଚନାରେ ପ୍ରାୟ ୧୦୦ରୁ ଅଧିକ ସାଂସଦ ଉପସ୍ଥିତ ଥିଲେ। ଏଥି ସହିତ ବିପକ୍ଷ ଦଳର ସାଂସଦ ମାନେ ଉପସ୍ଥିତ ଥିଲେ। ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ଗୁରୁବାର ରାତି ୧୧ଟା ୫୮ ମିନିଟ୍ ପର୍ଯ୍ୟନ୍ତ ସଂସଦ ଚାଲିଥିଲା। ଉପସ୍ଥିତ ଥିବା ସାଂସଦ ମାନେ ନିଜ ଅଞ୍ଚଳର ସମସ୍ୟା କଥା ଉଠାଇଥିଲେ। ଏସବୁକୁ ଦୃଷ୍ଟିରେ ରଖି ବାଚସ୍ପତି ଓମ୍ ବିର୍ଲା ସମସ୍ତ ପ୍ରକାର ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ଫଳରେ ବିଳମ୍ବିତ ରାତି ଯାଏ ରାତ୍ରିଭୋଜନ ଓ ଚା-କଫିର ବ୍ୟବସ୍ଥା ହୋଇଥିଲା। ଏଥି ସହିତ ସାଂସଦ ଏବଂ ସାମ୍ବାଦିକଙ୍କ ପାଇଁ ରାତିସାରା କ୍ୟାଣ୍ଟିନ ଖୋଲା ରହିଥିଲା।

ଲୋକସଭାରେ ରେଳ ବଜେଟ୍ ଉପରେ ସବୁଠୁ ଲମ୍ବା ଚର୍ଚ୍ଚାର କିର୍ତ୍ତୀମାନ ପିଏମ ସାଙ୍ଗମା ବାଚସ୍ପତି ଏବଂ ରାମବିଳାସ ପାସଓ୍ଵାନ ରେଳ ମନ୍ତ୍ରୀ ଥିବା ସମୟରେ ୧୯୯୬ରେ ହୋଇଛି। ସେହି ସମୟରେ ବଜେଟ୍ ଉପରେ ଚର୍ଚ୍ଚା ଜୁଲାଇ ୨୫ରୁ ଆରମ୍ଭ ହୋଇ ଜୁଲାଇ ୨୬ ସକାଳ ୭ଟା ୧୭ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଏହି ସମୟରେ ୧୧୧ ସାଂସଦ ଗୃହରେ ଉପସ୍ଥିତ ଥିଲେ।

ଏହା ପରେ ୧୯୯୮ରେ ମଧ୍ୟ ଜିଏମସି ବାଲଯୋଗୀ ବାଚସ୍ପତି ଓ ନୀତିଶ କୁମାର ରେଳ ମନ୍ତ୍ରୀ ଥିବା ସମୟରେ ରେଳ ବଜେଟ୍ ଉପରେ ଲମ୍ବା ସମୟ ଧରି ଚର୍ଚ୍ଚା ହୋଇଥିଲା। ଜୁନ ୮ରେ ଆରମ୍ଭ ହୋଇଥିବା ଚର୍ଚ୍ଚା ଜୁନ ୯ ସକାଳ ୬ଟା ୦୪ ମିନିଟ୍ ଯାଏ ଚାଲିଥିଲା। ଏହି ସମୟରେ ୯୦ ସାଂସଦ ଗୃହରେ ଉପସ୍ଥିତ ଥିଲେ।

Comments are closed.