Odisha Link
Bridging the Missing Links in Odisha

ଅଇଏମ୍‌ଏସ୍ ଅନୁଷ୍ଠାନର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ସ୍ଥାନୀୟ ଇନିଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ ପରିସରରେ ଅନୁଷ୍ଠାନର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଉଦ୍ଘାଟନ କରି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତରେ ଭଲ ମଣିଷଟିଏ ହେବାକୁ ଆହ୍ୱାନ ଦେଇଥିଲେ। ଜଣେ ଭଲ ମଣିଷ ହେଲେହିଁ ଦେଶର ଓ ଜାତିର କଲ୍ୟାଣ ନିମନ୍ତେ ସେ ସଠିକ୍ ପଦକ୍ଷେପ ନେଇପାରିବ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଭାବରେ ଯୋଗ ଦେଇ ଦୈନିକ ଖବରକାଗଜ ସମ୍ବାଦର ସଂପାଦକୀୟ ମୁଖ୍ୟ ରଣଜିତ ଗୁରୁ ଛାତ୍ରଛାତ୍ରୀମାନଙ୍କୁ ବୃତିଗତ ଓ ବ୍ୟକ୍ତିଗତ ଜୀବନରେ ସଫଳତା ପାଇବାପାଇଁ କଠିନ ପରିଶ୍ରମ କରିବା ସହ ପ୍ରବଳ ଇଚ୍ଛାଶକ୍ତି ରଖିବାପାଇଁ ଉପଦେଶ ଦେଇଥିଲେ।

ସମାଜ ସେବା, ସାମ୍ବାଦିକତା ଓ ଅନ୍ୟାନ୍ୟ କ୍ଷେତ୍ରରେ ଅନେକ ଆହ୍ୱାନ ଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ଏଥିରେ ସଫଳ ପାଇବାପାଇଁ ଉଚିତ ଶିକ୍ଷା ସହିତ ସଠିକ୍ ଦକ୍ଷତା ରଖିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟର ସୁନାମଧନ୍ୟ ବେସରକାରୀ ଅନୁଷ୍ଠାନ ସି.ୱାଇ.ଏସ୍.ଡି.ର ଅଧ୍ୟକ୍ଷ ପ୍ରଫୁଲ କୁମାର ସାହୁ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଉଜ୍ଜଳ କାମନା କରି ସେମାନଙ୍କୁ ସମାଜସେବାରେ ନିୟୋଜିତ ରଖିବା ପାଇଁ ଆହ୍ୱାନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାର ୧୯ ଜଣ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢୀ ଓ ସମାଜ ସେବା ବିଭାଗର ମୁଖ୍ୟ ଡଃ ଗାୟତ୍ରୀ ପଟ୍ଟନାୟକ ନିଜର ମତାମତ ରଖିଥିଲେ। ଏଥିରେ ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା ଓ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Comments are closed.