Odisha Link
Bridging the Missing Links in Odisha

ଆଜିଠୁ ଆସେସ୍‌ ସିରିଜ୍

ବିର୍ମିଙ୍ଗ୍‌ହାମ୍‌ : ଆଜିଠୁ ଆରମ୍ଭ ହେବ ଟେଷ୍ଟ କ୍ରିକେଟର ସବୁଠାରୁ ଚର୍ଚ୍ଚିତ ଆସେସ୍‌ ସିରିଜ। ସିରିଜର ପ୍ରଥମ ମ୍ୟାଚ୍‌ ବିର୍ମିଙ୍ଗ୍‌ହାମ୍‌ର ଏଜ୍‌ବାଷ୍ଟନ ପଡ଼ିଆରୁ ଅରମ୍ଭ ହେବ। ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦେଖିବାକୁ ମିଳିବ ଯୋରଦାର ଲଢେଇ। ଆସେସ୍‌ ହାତେଇବା ପାଇଁ ୨ଦଳ ବଦ୍ଧ ପରିକର ରହିଛନ୍ତି। ଏପରିସ୍ଥଳେ ନିକଟରେ ବିଶ୍ବକପ୍‌ ବିଜେତା ହୋଇଥିବା ଇଂଲଣ୍ଡ ଘରୋଇ ମାଟିରେ ଆସେସ୍‌ ଜିତି ଯୁଗଳ ସଫଳତା ହାସଲ ଲକ୍ଷ୍ୟ ରଖିଥିଲା ବେଳେ ୧୯ ବର୍ଷ ଧରି ଇଂଲଣ୍ଡ ମା‌ଟିରେ ଆସେସ୍‌ ଜିତିପାରିନଥିବା ଅଷ୍ଟ୍ରେଲିଆ ଏଥର ସେହି ଧାରାକୁ ଅଟକାଇ ଇତିହାସ ରଚିବା ଲକ୍ଷ୍ୟରେ ରହିଛି।

କେଉଁ ଦଳ ଭାରି ପଡ଼ିବ:
ଜୋ ରୁଟ୍‌ ଇଂଲଣ୍ଡ ଦଳର ନେତୃତ୍ବ ନେଉଥିଲା ବେଳେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଭାର ସମ୍ଭାଳିବେ ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ଟିମ୍‌ ପାଇନ୍‌। ଗତବର୍ଷ ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଅବସରରେ ବଲ୍‌ ବିକୃତ ମାମଲାରେ ଛନ୍ଦି ହୋଇ ବାସନ୍ଦ ଦଣ୍ଡ ଭୋଗିବା ପରେ ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌, ଡେଭିଡ୍‌ ୱର୍ନର ଏବଂ କାମେରନ୍‌ ବାନ୍‌କ୍ରଫ୍ଟ ଦଳକୁ ଫେରିବା ପାଇନ୍‌ଙ୍କ ପାଇଁ ଶକ୍ତିବର୍ଦ୍ଦକ ହୋଇଛି। ଏହି ତିନି ବ୍ୟାଟ୍‌ସମ୍ୟାନ୍‌ ମଧ୍ୟ ଏଜ୍‌ବାଷ୍ଟନ ଟେଷ୍ଟ ଖେଳିବା ପ୍ରାୟତଃ ନିଶ୍ଚିତ। ସେମାନଙ୍କ ମଧ୍ୟରୁ ବାନ୍‌କ୍ରପ୍ଟ ଇଂଲିସ୍‌ କାଉଣ୍ଟି ଦଳ ଡୁରାମ୍‌ର ନେତୃତ୍ବ ନେଇଥିବାରୁ ସ୍ଥାନୀୟ ପରିବେଶ ସହ ବେଶ୍‌ ପରିଚିତ ଅଛନ୍ତି। ଅନ୍ୟପକ୍ଷରେ ଇଂଲଣ୍ଡ ଦଳରେ ଅଧିକାଂଶ ବିଶ୍ବକପ୍‌ ବିଜେତା ସଦସ୍ୟ ରହିଛନ୍ତି। ତଥାପି ପ୍ରଥମ ଆସେସ୍‌ ଟେଷ୍ଟ ଜିତିବା ଉଭୟ ଦଳର ଆଗଧାଡ଼ିର ବ୍ୟାଟ୍‌ସମ୍ୟାନ୍‌ଙ୍କ ପ୍ରଦର୍ଶନ ଉପରେ ବିଶେଷକରି ନିର୍ଭର କରିବ। ସେଥିପାଇଁ ଇଂଲଣ୍ଡ ଅଧିନାୟକ ରୁଟ୍‌ ୩ ନମ୍ବର ସ୍ଥାନକୁ ଫେରିବାର ଯୋଜନା କରିଛନ୍ତି। ପୁଣି ଅଲ୍‌ ରାଉଣ୍ଡର ବେନ୍‌ ‌‌ଷ୍ଟୋକ୍ସଙ୍କ ଉପରେ ଇଂଲଣ୍ଡ ପୂରା ଭରସା ରଖିଛି। ୨୦୧୭ ସେପ୍ଟେମ୍ବରରେ ବ୍ରିଷ୍ଟଲର ଏକ ନାଇଟ୍‌ କ୍ଲବ୍‌ରେ ଗଣ୍ଡଗୋଳ ଘଟଣାରେ ସଂପୃକ୍ତ ଯୋଗୁଁ ୨୦୧୭-୧୮ ଆସେସ୍‌ ଖେଳିବାରୁ ବଞ୍ଚିତ ହୋଇଥିଲେ ଷ୍ଟୋକ୍ସ। ହେଲେ ଇଂଲଣ୍ଡକୁ ବିଶ୍ବକପ୍‌ ବିଜେତା କରାଇବାରେ ପ୍ରମୁଖ ଭୂମିକା ନେବା ପରେ ଏବେ ଷ୍ଟୋକ୍ସଙ୍କୁ ଦଳର ଉପଅଧିନାୟକ ପଦ ମିଳିଯାଇଛି। ମଧ୍ୟକ୍ରମରେ ତାଙ୍କ ପ୍ରଦର୍ଶନ ଇଂଲଣ୍ଡ ପାଇଁ ଫାଇଦା ଆଣିବ ବୋଲି ଅଧିନାୟକ ରୁଟ୍‌ କହିଛନ୍ତି।

ବୋଲିଂ ବିଭାଗରେ କେଉଁ ଦଳ ଆଗରେ:
ଇଂଲଣ୍ଡର ସର୍ବକାଳୀନ ଅଗ୍ରଣୀ ୱିକେଟ୍‌ ଦଖଲକାରୀ ବୋଲର ଜେମ୍‌ସ ଆଣ୍ଡରସନ୍‌ ଆହତ ପରେ ଏହି ଟେଷ୍ଟ୍‌କୁ ଫେରିବା ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି। ସେ ଘରୋଇ ଦଳର ବୋଲିଂ ଆକ୍ରମଣର ମଙ୍ଗ ଧରିବେ। ତାଙ୍କୁ ଆୟର୍ଲାଣ୍ଡ୍‌ ବିପକ୍ଷ ଏକମାତ୍ର ଟେଷ୍ଟ ବିଜୟର ନାୟକ କ୍ରିସ୍‌ ୱକ୍‌ସ ଓ ଷ୍ଟୁଆର୍ଟ ବ୍ରଡ୍‌ ସହାୟତା ଦେ‌ବେ। ସେହିପରି ବିଶ୍ବକପ୍‌ ହିରୋ ଜୋଫ୍ରା ଆର୍ଚର ପ୍ରଥମ ଟେଷ୍ଟ ନଖେଳିଲେ ମଧ୍ୟ ପରବର୍ତୀ ଟେଷ୍ଟ ଖେଳିବା ସମ୍ଭାବନା ଥିବାରୁ ଇଂଲଣ୍ଡ ଦ୍ରୁତ ବୋଲିଂ ଆହୁରି ଶାଣୀତ ହୋଇଯିବ। ଜବାବରେ ଜେମ୍‌ସ ପାଟିନ୍‌ସନ୍‌, ପ୍ୟାଟ୍‌ କମିନ୍ସ, ଜୋସ୍‌ ହାଜ୍‌ଲେଉଡ୍‌ ଓ ମିଚେଲ ଷ୍ଟାର୍କଙ୍କୁ ନେଇ ଗଠିତ ଦ୍ରୁତ ବୋଲିଂ ଆକ୍ରମଣ ଉପରେ ଅଷ୍ଟ୍ରେଲିଆର ଭାଗ୍ୟ ନିର୍ଭର କରିବ। ଅପରପକ୍ଷେ ୬ ସପ୍ତାହ ମଧ୍ୟରେ ୫ ଟେଷ୍ଟ୍‌ ଖେଳିବା ଦ୍ରୁତ ବୋଲରଙ୍କ ପାଇଁ କଡ଼ା ଆହ୍ବାନ ବୋଲି କହିଛନ୍ତି ୨୦୦୧ ଆସେସ୍‌ ବିଜେତା ଦଳର ଅଧିନାୟକ ଷ୍ଟିଭ୍‌ ୱ’।

ସିରିଜ୍‌ ପୂର୍ବରୁ କଣ କହୁଛନ୍ତି ଖେଳାଳି:
ଆସେସ୍‌ ସିରିଜ ପୂର୍ବରୁ ଏଜବାଷ୍ଟନ ହେଉ କି ଚନ୍ଦ୍ର, ଆମକୁ କିଛି ଫରକ ପଡ଼େନି। ଅମା ପାଇଁ ଏହା ମୂଲ୍ୟହୀନ। ଖେଳ ‌ଯେଉଁଠା‌ରେ ହେଉନା କାହିଁକି, ଆମେ ବିଜୟରୁ ଆସେସ୍ ଆରମ୍ଭ କରିବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି ଅଷ୍ଟ୍ରେଲିଆ ଦଳର ଅଧିନାୟକ ଟିମ୍‌ ପେନ୍। ଅପରପକ୍ଷେ ଉଭୟ ଦଳ ବିଜୟ ପାଇଁ ବ୍ୟଗ୍ର। ‌ଦୁଇଟି ଯାକ ଦଳର ଖେଳାଳି ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ବ୍ୟାକୁଳ, କାରଣ ଆସେସ୍ ଶୃଙ୍ଖଳା ଉପରେ ସମସ୍ତଙ୍କ ନଜର ରହିଥାଏ। ଏହି ଶୃଙ୍ଖଳାର ପ୍ରଦର୍ଶନ ଆଧାରରେ ହିଁ ପ୍ରଶଂସା ଓ ସମାଲୋଚନା ମିଳିଥାଏ ବୋଲି ଇଂଲଣ୍ଡ ଦଳର ଉପ-ଅଧିନାୟକ ବେନ୍‌ ଷ୍ଟୋକ୍ସ୍‌ କହିଛନ୍ତି।

Comments are closed.