Sun. Sep 15th, 2019

Odisha Link

bridging the missing links in odisha

ଗୋଟିଏ ଦହିତ ଦିଗର କାହାଣୀ

1 min read
  •  
  • 1
  •  
  •  
  •  
  •  
  •  

କ୍ଷୀରୋଦ ବିହାରୀ ବିଶ୍ୱାଳଙ୍କ ଗପ

ଗୋଟିଏ ଦହିତ ଦିଗର କାହାଣୀ

ଆଜି ଦୀପାବଳି। ବାହାରେ ଫୁଟୁଥିବା ବାଣର ଶବ୍ଦ ଆଉ ଗନ୍ଧ , ଟିକେ ଟିକେ କବାଟ ଫାଙ୍କରେ ହସ୍ପିଟାଲ ଭିତରକୁବି ଚାଲି ଆସୁଛି। ହସ୍ପିଟାଲ କାନ୍ଥ ଘଣ୍ଟାରେ ରାତି ଏଗାର ବାଜିଲାଣି। ମୋ ହାତ ଘଣ୍ଟାରେ ଦଶ ମିନିଟ ଲେଟ। ଜୀବନରେ ସବୁ କାମରେ ମୁଁ ଏମିତି ଲେଟ କରିଦିଏ ,ଏଇ ଘଣ୍ଟା ପାଇଁ ବୋଧହୁଏ।

ଏଇ ଘଣ୍ଟା ଟି ବି ସେ ହିଁ ଦେଇଥିଲା, ଯିଏ ଏବେ ହସ୍ପିଟାଲର ଅପରେସନ ଥିଏଟରରେ ଜୀବନ ସହିତ ସଂଘର୍ଷ କରୁଛି।

ଭିତରକୁ ପଶିବା ନିଷେଧ। ଅବଶ୍ୟ ମୁଁ ହସ୍ପିଟାଲ ଷ୍ଟାଫ ଓ ଲିପିର ପରିଚିତ ଭାବରେ ଭିତରକୁ ଯାଇପାରେ। ସେ ସୁଯୋଗ ନେବାକୁ କିନ୍ତୁ ମୋର ମନ କହୁନଥିଲା।

ବାହାରେ ଆମେ ତିନିଜଣ ବସିଥିଲୁ। ଲିପିର ସ୍ୱାମୀ ଜୀବନ ବାବୁ , ଲିପିର ପୂର୍ବତନ ସମ୍ପର୍କୀୟ ( ପୂର୍ବତନ ପ୍ରେମିକ ମଧ୍ୟ ) ମୁଁ ଓ ଆମ ହସ୍ପିଟାଲର ସିକ୍ୟୁରୀଟି ଗାର୍ଡ ମୋହନ। ମୋହନ ବି ଆମ ଗାଁ ପିଲା। ଆଉଟସୋର୍ସିଙ୍ଗ କଣ୍ଟ୍ରାକ୍ଟର କୁ କହି ମୁଁ ହିଁ ତାକୁ ଚାକିରୀ ରେ ରଖେଇଦେଇଥିଲି।

ଲିପିର ହୋସ ଆସିନାହିଁ। ଲିପି ପୋଡ଼ି ହେଇଥିବା ଜାଣି ମୋହନ ହିଁ ମତେ ଫୋନ କରି ଜଣେଇଥିଲା। ଜୀବନ ବାବୁ ମତେ ଚିହ୍ନନ୍ତି କିନ୍ତୁ ବୋଧହୁଏ ଭୁଲିଯାଇଛନ୍ତି। ବହୁତ ଦିନ ତଳେ ଥରେ ଦେଖା ହୋଇଥିଲା। ଏବେ ଇମିତି ପରିସ୍ଥିତିରେ କୋଉ ତାଙ୍କର ମନେ ପଡୁଥିବ ?

ଷ୍ଟାଫନର୍ସ କହିବା ଅନୁଶାରେ ଲିପିର ସତୁରି ଭାଗ ଦେହ ପୋଡି ଯାଇଛି। ସିନ୍ଥେଟିକ ଶାଢ଼ୀ ଦେହରେ ଲାଖି ଯାଇଛି। ଏବେ କଣ୍ଡିସନ ବହୁତ ଖରାପ , ଆଗେ ଜୀବନ ବଂଚିଯାଉ ତା’ ପରେ ଜଣାପଡିବ କେତେ ଥର ପ୍ଲାଷ୍ଟିକ ସର୍ଜରୀ ଦରକାର ପଡିବ।

ଲିପିର ସ୍ୱାମୀ ବାରମ୍ବାର ଘରକୁ ଫୋନ ଲଗାଉଥିଲେ। ବୋଧ ହୁଏ ଘରେ କେହି ଫୋନ ରିସିଭ କରୁନାହାନ୍ତି। ଆମ ହସ୍ପିଟାଲର ଅପରେସନ ଥିଏଟର ବାହାର ବାରଣ୍ଡା ସବୁରାତି ପରି ଆଜି ଗହଳ ଚହଳ ନାହିଁ। ନହେଲେ ଗୋଟେ ଡେଲିଭେରି କେସ୍ ଆସିଲେ ଅପରେସନ ଥିଏଟର୍ ବାହାରେ ପନ୍ଦର କୋଡିଏ ଜଣ ଭିଡ କରିଥିବେ। ଓଲମ ବିଳମ କିଛି ହେଲେ ଡାକ୍ତରଙ୍କୁ ମାଡ଼ , ଷ୍ଟାଫନର୍ସ କୁ ଠେଲାପେଲା। ସେଥିପାଇଁ ଏ ସିକ୍ୟୁରୀଟି ବ୍ୟବସ୍ଥା।

ଜୀବନ ବାବୁଙ୍କ ଫୋନ୍ କେହିଜଣେ ରିସିଭ୍ କଲେ।

– ବାପା ଜଲ୍ଦି ଆସନ୍ତୁ। ଲିପି ନିଆଁରେ ପୋଡ଼ି ଯାଇଛି। ତାକୁ ହସ୍ପିଟାଲ କୁ ନେଇ ଆସିଛି। କିଛି ଟଙ୍କା ଧରି ଆସିଥିବ। ତାକୁ କଟକ କି ଭୁବନେଶ୍ୱର ନେବା ବ୍ୟବସ୍ଥା କରିବାକୁ ହବ। ଜୀବନ ପୁଣି ଅନ୍ୟ କାହାକୁ ଫୋନ ଲଗାଉଥିଲେ।
ମୁଁ ପଚାରିଲି “କେମିତି ହେଲା ?”

ସେ କିଛି ନଶୁଣିବା ପରି ଓଟି କବାଟ ଫାଙ୍କ ରୁ ଲିପି କୁ ଦେଖିବାକୁ ପ୍ରୟାସ କରୁଥିଲେ।

ଏତିକି ବେଳେ ପୋଲିସ ଆସି ପହଁଚିଲା। ଯେକୌଣସି ଦୁର୍ଘଟଣା ହେଲେ ଡାକ୍ତରଖାନାରୁ ଥାନାକୁ ଖବର ଯାଏ। ଦୁଇଜଣ କନେଷ୍ଟବଳ ବାହାରେ ରହିଲେ , ଜଣେ ମହିଳା ପୋଲିସ ଓ ଥାନା ବାବୁ ଭିତରକୁ ଗଲେ। କିଛି ସମୟ ପରେ ଫେରିଆସିଲେ।

-ଆପଣଙ୍କ ଭିତରୁ ପୋଡ଼ିଯାଇଥିବା ପେସେଣ୍ଟ ର ନିଜ ଲୋକ କିଏ ?
– ମୁଁ ତାଙ୍କ ହଜେବ୍ୟାଣ୍ଡ । ଜୀବନ କହିଲେ ।
– ସେ ଏବେ କିଛି କହିବା ଅବସ୍ଥାରେ ନାହାନ୍ତି। ଦୁର୍ଘଟଣା କେମିତି ହେଲା ?
– ମୁଁ ବାହାରେ କଲୋନୀ ପିଲାଙ୍କ ସହ ବାଣ ଫୁଟଉଥିଲି। ସେ ଠାକୁର ଘରେ ଥିଲା। କେମିତି କେଜାଣି ନିଆଁ ଲାଗିଲା ମୁଁ ଜାଣି ନାହିଁ। ବାହାରେ ବହୁତ ଶବ୍ଦ ଆଉ ଧୂଆଁ ହଉଥିଲା ବୋଲି ସେ ଭିତରୁ କବାଟ କିଳିଦେଇଥିଲା। ତା’ ଚିତ୍କାର ଶୁଣି ମୁଁ କବାଟ ଭାଙ୍ଗି ଭିତରକୁ ପଶିଲା ବେଳକୁ ସେ ଜଳୁଥିଲା। ତା ଉପରେ ବାଲ୍ଟିରେ ପାଣି ଢାଳି ତାକୁ ମୋ କାର ରେ ହସ୍ପିଟାଲ ନେଇଆସିଲି।
– ଘରେ ଆଉ କିଏ କିଏ ଥିଲେ ?
– କେହି ନଥିଲେ। ବାପା ବଉ ଗାଁ ରେ ରୁହନ୍ତି। ମୋ ଚାକିରୀ ପାଇଁ ଆମେ ଏଠି ଭଡାରେ ରହୁଚୁ।
– ବାହାଘରକୁ କେତେ ବର୍ଷ ହେଲାଣି ?
– ଚାରି ବର୍ଷ
– ଲଭ ମ୍ୟାରେଜ ?
– ନାଇଁ ସାର , ଘରଲୋକ ଠିକ କରିଥିଲେ। ମୁଁ ତାକୁ ବହୁତ ଭଲପାଏ।
– ସବୁ ସ୍ୱାମୀ ତାଙ୍କ ସ୍ତ୍ରୀକୁ ବହୁତ ଭଲ ପାଆନ୍ତି , ଏଥିରେ ନୂଆ କଥା କଣ ?
– ସେ ଜଳୁଥିଲା ବେଳେ, କି ତୁମେ ତାକୁ ହସ୍ପିଟାଲ ଆଣିଲା ବେଳେ ଆଉ କିଏ ଦେଖିଥିଲେ ସେଠି ? କେହି ତୁମକୁ ସାହାଯ୍ୟ କରିଥିଲେ ତାକୁ ଏଠିକି ଆଣିବା ପାଇଁ ?
– ନାଇଁ ସାର ସେଠି ଆଉ କେହି ନଥିଲେ।
– ତୁମେ ଏବେ କହୁଥିଲ କଲୋନୀ ପିଲାମାନଂକ ସହ ବାଣ ଫୁଟଉଥିଲ ?
– ହଁ ସାର ସେମାନେ ଯେମିତି ଦେଖିଲେ ଏମିତି ଘଟଣା ହେଇଚି , ଭୟରେ ପଳେଇଗଲେ। ଛୁଟ ପିଲା ଗୁଡାକ।
– ହଉ ପେସେଣ୍ଟ୍ କୁ ଛାଡି କୁଆଡେ ଯିବନି। ଆମର ଜଣେ କନେଷ୍ଟବଳ ଏଇଠି ରହିବ। ସେ ହୋସରେ ଆସିଲେ ଭଲ। ନହେଲେ ତୁମେ ବହୁତ ବଡ ସମସ୍ୟାରେ ଫସିବ ।
– ଆମେ ତାକୁ କଟକ ନେଇଯିବୁ ସାର। ଏଠି କିଛି ବି ଭଲ ଟ୍ରିଟମେଣ୍ଟ ହେଉ ନାହିଁ।
– ତୁମେ କେମିତି ଜାଣିଲ ଟ୍ରିଟମେଣ୍ଟ ହେଉନାହିଁ ବୋଲି , ତୁମେ କଣ ଡାକ୍ତର ? ଡାକ୍ତର ଯଦି କହିଲେ ପେସେଣ୍ଟ କୁ ବାହାରକୁ ନେବା ଦରକାର ତେବେ ଡିସ୍ଚାର୍ଜ୍ ହେଲେ ଯିବ। ଆମ ପୋଲିସ ବି ତୁମ ସହିତ ଯିବ। ଏକୁଟିଆ ଯାହା କଲ କଲ, ଏବେ ପୋଲିସ୍ ତୁମକୁ ସାହାଯ୍ୟ କରିବ।

ଥାନା ବାବୁ ଯାଉ ଯାଉ ରହିଗଲା। ମତେ ପଚାରିଲା ତୁମେ କିଏ ?
– ମୁଁ ହସ୍ପିଟାଲ ଷ୍ଟାଫ୍। ଆପଣ ନୂଆ ଆସିଛନ୍ତି ତ ମତେ ଦେଖିନଥିବେ। ଏ ପେସେଣ୍ଟ୍ ମୋ ଗାଁ ଝିଅ। ଗୋଟିଏ ସାହିର। ସେଥିପାଇଁ ଭଲମନ୍ଦ ଜାଣିବା ପାଇଁ ରାତିରେ ପଳେଇ ଆସିଲି।
– ତୁମେ ମୋ ସହ ଟିକେ ବାହାରକୁ ଆସ।
ମୁଁ ପଛେ ପଛେ ବାହାରକୁ ଆସିଲି।
– ଝିଅ ତୁମ ସମ୍ପର୍କରେ କ’ଣ ହେବ ?
ଲିପି ସହ ମୋର ସମ୍ପର୍କ କଣ। ସେକଥା ଯଦି ପୋଲିସ କୁ ସତକହିବି , ଆଜି ବନ୍ଧା ହୋଇ ଥାନାରେ ରହିବି। କାଲି ସକାଳ କୁ ଚାକିରୀ ବି ନଥିବ।
– ସାହି ଝିଅ। ତା ବାପା ମୋର ସମ୍ପର୍କରେ ଭାଇ ହେବେ । ସେମାନେ ଆମକୁ ଦାଦା ଦାଦା ଡାକନ୍ତି।
– ସେ ତୁମ ନିଜ ଝିଆରୀ ?
– ନା, ନିଜର ନୁହଁ ସାହିରେ ଏମିତି ଡକାଡକି ରେ ସମ୍ପର୍କ। ରକ୍ତ ସମ୍ପର୍କ କିଛି ନାହିଁ।
– ତା ସ୍ୱାମୀଟି କେମିତିକା ଲୋକ।
– ମୁଁ ଜାଣିନି ସାର। ମୁଁ ରହିଲି ବାହାରେ , ଗାଁ କୁ ଯିବା ବହୁତ କମ। ଗାଁ ରେ କାହାସହ ମିଶିବା ତ ଦୂରର କଥା ଏବେକା ପିଲା ମତେ ଚିହିଁ ବି ନାହାନ୍ତି।

ପୋଲିସ ସହ କଥା ହେଉ ହେଉ ହସ୍ପିଟାଲ ଆଗ ଗହଳି ବଢିଗଲା। ପୁଅ ଘର ଲୋକ, ସମ୍ପର୍କୀୟ , ଲିପିର ବାପା, ମାଁ , ଗାଁ ର କିଛି ଲୋକ ସବୁ ଜମା ହୋଇଗଲେ। ଲିପିର ବାପା ମତେ ଦେଖି ଆଶ୍ଚର୍ଯ୍ୟ ହେବାର କିଛି କାରଣ ନଥିଲା। କିନ୍ତୁ କାହିଁକି କେଜାଣି ମତେ ନିଜକୁ ନିଜେ ଅସ୍ୱାଭାବିକ ଲାଗୁଥିଲା ଏ ପରିସ୍ଥିତି ରେ ଏହି ସ୍ଥାନରେ ମୋ ଉପସ୍ଥିତି। ଲିପିର ବାପା ଅତି ନିଜର ଭଳି ମୋ ପାଖକୁ ଆସିକହିଲେ ” ଡାକ୍ତର ଙ୍କ ସହିତ କିଛି କଥା ହେଲୁକି ? କଣ କହୁଛନ୍ତି ?

– ମୁଁ କହିଲି “କଣ୍ଡିସନ ଏତେ ଭଲ ନାହିଁ। ଆଜି ରାତି ପାହିଲେ ଜଣାପଡିବ। ଏଠି ଜଳା ପୋଡ଼ା ରୋଗୀଙ୍କ ପାଇଁ ପ୍ରପର ବେଡ ନାହିଁ। ଡାକ୍ତର ଭଲ ଅଛନ୍ତି କିନ୍ତୁ ଟ୍ରିଟମେଣ୍ଟ ସୁବିଧା ଏତେ ଭଲ ନାହିଁ। ଯେତେ ଜଲ୍ଦି ବଡ ହସ୍ପିଟାଲ କୁ ନେଇଗଲେ ଭଲ ହବ।

ଲିପି ର ମାଁ ଛାତି ଫଟେଇ କାନ୍ଦୁଥିଲେ। ମୁଁ ବା କଣ ସାହାର୍ଯ୍ୟ କରିପାରିଥାନ୍ତି। ଲିପି ଓ ମୋର ସମ୍ପର୍କ ବିଷୟରେ ଉଣାଅଧିକେ ସମସ୍ତେ ଜାଣନ୍ତି। କିନ୍ତୁ କଥା ଟା ଅତି ପୁରୁଣା ହେଲାଣି ବୋଲି ମୋର ଉପସ୍ଥିତି କୁ କେହି ସେତେଟା ଗୁରୁତ୍ୱ ଦେଉନଥିଲେ।

ଓଟି ଭିତକକୁ କାହାକୁ ଯିବା ନିଷେଧ। ସେଥିପାଇଁ ଓଟି ବାହାରେ ଭିଡ। ସିକ୍ୟୁରୀଟି ମୋହନ ବି ଗାଁ ପିଲା , ଏମିତି ଦୁଃଖ ବେଳରେ କାହାକୁ କଢ଼ା କଥା କହି ବାହାରକୁ ଠେଲିବ ? ଶେଷରେ ଷ୍ଟାଫନର୍ସ ଆସି ଲୋକଙ୍କୁ ବାହାରକୁ ବିଦା କରି ମତେ ଭିତରକୁ ଡାକିଲେ।
– ଦେଖ କ୍ଷୀରୋଦ ପେସେଣ୍ଟ୍ କଣ୍ଡିସନ ଭଲ ନାହିଁ, କଟକ ନେଇ ଯିବାବେଳେ କିଛି ବି ଅଘଟଣ ଘଟିପାରେ।

ଏତିକି ବେଳେ ମତେ ଲାଗୁଥିଲା ଲିପି ଆଖି ପତା ଉଠେଇ ମତେ ଚାହିଁବ , ମୋ ନାଁ ଶୁଣି ଜୀବନ ପାଇଯିବ ? ବିବାହର ଚାରିବର୍ଷ ପରେ ବି ସେ କଣ ମତେ ମୋ ନାଁ କୁ ଏତେ ଭଲ ପାଏ ସେ ବିଶ୍ୱାସ ଟିକକ ସେ ହିଁ ମୋ ମନଭିତରେ ପୂରେଇଦେଇଥିଲା ।
ମୁଁ ଲିପି ପାଖକୁ ଯାଇ କିଛି ପଚାରିବାକୁ ଚେଷ୍ଟା କରୁଥିଲି। ଡାକ୍ତର ବେହେରା ମନକଲେ ” ସେ ଏବେ କଥା ହୋଇପାରିବ ନାହିଁ। ତା ଗଳା ସିଝି ଯାଇଛି। ”

କେତେ କଷ୍ଟ ହେଉଥିବ ତାକୁ। ମୋର ସାହସ ନଥିଲା ବେଶୀ ସମୟ ଲିପି କୁ ଏମିତି ଅବସ୍ଥାରେ ଦେଖିବାପାଇଁ।

ପ୍ରେମ ମଣିଷ କୁ ସାହସୀ କରିଦିଏ। କିନ୍ତୁ ମୋର ସାହସ ନଥିଲା ଲିପି କୁ ଏମିତି ଅବସ୍ଥାରେ ବେଶୀ ସମୟ ଦେଖିପାରିବି । ମୁଁ ବାହାରକୁ ଆସିଲି। କାନ୍ଦିବାକୁ ବହୁତ ଇଚ୍ଛା ହେଉଥିଲା କିନ୍ତୁ କେଉଁ ସମ୍ପର୍କରେ କେଉଁ ପରିଚୟରେ ମୁଁ କାନ୍ଦିବି ? କାହିଁକି କାନ୍ଦିବି ? ଜୀବନ ପ୍ରଶ୍ନ କରିବ ତୁମେ କିଏ ମୋ ସ୍ତ୍ରୀପାଇଁ କାନ୍ଦିବାକୁ ? କି ଉତ୍ତର ଅଛି ମୋ ପାଖରେ ?

ଓଟି ବାହାରେ ବାରଣ୍ଡାରେ ଦୁଇ କାନ୍ଥ କୁ ଆଉଜି, ଦୁଇଧାଡ଼ି ହୋଇ ବସିଥିଲେ ବର ପକ୍ଷ ଓ କନ୍ୟା ପକ୍ଷ। ଯେମିତି ସେଦିନ ବିବାହ ପ୍ରସ୍ତାବ ଫାଇନାଲ ହେବା ଦିନ ଲିପି ଘର ବାରଣ୍ଡାରେ ବସିଥିଲେ ଦୁଇ ପକ୍ଷ।

ମୁଁ ବି ଥିଲି ସେଇଠି। ପାନ ଭାଙ୍ଗି ବଢ଼େଇଦେଲି ବର ର ବାପାଙ୍କୁ। ଜୀବନର ବାପା କହୁଥିଲେ- ଆମର କିଛି ଦରକାର ନାହିଁ। ଆମର ଶିକ୍ଷିତା ବହୁ ଟିଏ ଦରକାର, ଯିଏ ଆମ ବଂଶର ଆଗାମୀ ପିଢ଼ିକୁ ଶିକ୍ଷିତ କରିପାରିବ। ମୁଁ ଭାବୁଥିଲି ବୁଢାକୁ ସବୁ ଦରକାର କିନ୍ତୁ ଲାଜରେ କିଛି ମାଗୁନାହିଁ। ସେ ଜାଣିଚି ଲିପି ବାପାଙ୍କର ସରକାରୀ ଚାକିରୀ , ଗୋଟିଏ ଝିଅ କିଛି ନାମାଗିଲେବି ସବୁ ଦେବେ , ମାଗିକି ନିଜ ଇଜ୍ଜତ କିଆଁ ତଳେ ପକେଇବ।

ବାହାଘର ହେଲା। ଆମ ସମ୍ପର୍କକୁ ଜାଣିଥିବା ଲୋକେ ଭାବୁଥିଲେ ଲିପି ବାହାଘରରେ ମୁଁ କିଛି ବାଧା ଘଟେଇବି। ଆଉ କିଛି ଲୋକ ଭାବୁଥିଲେ ମୁଁ ମଦପିଇ ରାସ୍ତାରେ ଭୁଲିବି , ଦୁଃଖରେ ଭାଙ୍ଗିପଡ଼ିବି। ସେମାନଙ୍କ ସବୁ ଚିନ୍ତାକୁ ଭୁଲ ପ୍ରମାଣିତ କରି ଲିପି ବିବାହ ଦିନ ମୁଁ ବରପକ୍ଷଙ୍କୁ ରସଗୋଲା ବାଂଟୁଥିଲି।

ଯାହା ମୋ ଭାଗ୍ୟରେ ନାହିଁ ତା ପାଇଁ ଚିନ୍ତା କରି ଲାଭ କଣ। ବରଂ ଲିପି ଭଲ ଜୀବନ ସାଥି ଟେ ପାଇଁ ଖୁସିରେ ରହିଲେ ମୁଁ ଖୁସି।

ଲିପି ବାହାଘର ବର୍ଷେ ପରେ ମୋରବି ବାହାଘର ହୋଇଗଲା। ମୋ ପତ୍ନୀ ଲିପି ଠାରୁ ସୁନ୍ଦରୀ ବି ଥିଲା ଆଉ ପାଠୋଈ ବି। ସେଥିପାଇଁ ଲିପି ଯିବାର ଦୁଃଖ ମୁଁ ସାଦରେ ଗ୍ରହଣ କରିନେଇଥିଲି। ଲିପି ସହିତ ମୋର ପୂର୍ବ ସମ୍ପର୍କ ବିଷୟରେ ଗାଁ ମାଇପୀ ଙ୍କ ଠାରୁ ଟେର ପାଇଥିଲା ମୋ ସ୍ତ୍ରୀ। କିନ୍ତୁ ମତେ କେବେ ମୁହଁ ଖୋଲି ପ୍ରଶ୍ନ କରିନି।

ଲିପି ଗାଁ କୁ ଆସିଲେ ଆମ ଘରକୁ ଆସେ , ମୁଁ ସହରରେ ରହୁଥିବାରୁ ମୋ ସହ ଦେଖ ହୁଏନି। ମୋ ସ୍ତ୍ରୀ ସହ କଥାହୁଏ ଭଲ ମନ୍ଦ ବୁଝେ। ମୋ ସ୍ତ୍ରୀ ବହୁତ ଚାଲାକ , ସେ ଲିପି ଆଗରେ ମୋର ଏତେ ପ୍ରଶଂସା କରେ ଯେ ଲିପି କାନ୍ଦ କାନ୍ଦ ହୋଇଯାଏ। ଘରକୁ ଗଲେ ସବୁ ଘଟଣା ମୋ ସ୍ତ୍ରୀ ମତେ କହେ , ମୁଁ ବିରକ୍ତି ହୁଏ ସେ କିନ୍ତୁ ଖୁସି ପାଏ।

ମୋର ବିବାହ ଗୋଟିଏ ବର୍ଷ ପରେ ମୋର ପୁଅଟେ ହୋଇଯାଇଥିଲା। ସେ ଖବର ଲିପି ରଖିଥିଲା। ଦିନେ ରାତି ବାରଟା ରେ ଫୋନ ଆସିଲା ଗୋଟେ ଅଜଣା ନମ୍ବର ରୁ। ମୁଁ ରାତିରେ ପ୍ରାୟତଃ ଫୋନ ଅଫ ରଖେ , ସେଦିନ କାହିଁକି କେଜାଣି ବନ୍ଦ କରିନଥିଲି । କଲ ରିସିଭ କଲି। ସେପଟରୁ କେହି କିଛି କହୁନଥିଲେ। ମୁଁ ହ୍ୟାଲୋ ହ୍ୟାଲୋ କହି ଫୋନ ରଖିଲି। ପୁଣି କଲ ଆସିଲା। ରିସିଭ କଲି , କେହି କିଛି କହୁନଥିଲେ। ମୁଁ ସେ ନମ୍ବର କୁ ରିଟନ କଲ କଲି ନମ୍ବର ବିଜି ଦେଖେଇଲା।

ନମ୍ବର କୁ ମୁଁ ମୋବାଇଲ ରେ ସେଭ କଲି ଆଉ ମନରୁ ଭୁଲି ଗଲି।

ଦିନେ ଅଫିସ ରେ ଥିବା ବେଳେ ସେହି ନମ୍ବର ରୁ କଲ ଆସିଲା।
– ମୁଁ ଲିପି କହୁଛି।
ବହୁତ ଦିନ ତଳେ ଶୁଣିଥିଲି ସେହି ନାଁ ଟା ସେହି ସ୍ୱର ଯାହା ଅତି ନିଜର। ସତ କହିଲେ ନା ମୁଁ ଲିପି କୁ ଭୁଲିପାରି ଥିଲି ନା ଲିପି ଦେହର ଭୋଗଳ କୁ । ସ୍ତ୍ରୀ ସହ ପ୍ରେମ କଲା ବେଳେ ଲିପିର ସ୍ମୃତି ମନକୁ ଆପେ ଆପେ ଚାଲିଆସେ।
-ଏତେଦିନ ପରେ ? ମୋ ନମ୍ବର କେମିତି ପାଇଲ ?
– ତୁମର ତ ସେହି ଗୋଟିଏ ନମ୍ବର , ଦଶ ବର୍ଷ ହେଲା ଚେଞ୍ଜ ହେଇନି।
– ମୁଁ ବି ଚେଞ୍ଜ ହେଇନି।
– ଜାଣେ
– କଣ ଜାଣ ?
– ଏହି ଯେ ତୁମେ ଚେଞ୍ଜ ହେଇନ , ନିଜର ଲୋକଙ୍କ ପ୍ରତି ତୁମର ଭଲପାଇବା ସେମିତି ଅଛି। କେବଳ ଯାହା ଗୋଟିଏ ସ୍ତ୍ରୀ ର ସ୍ୱାମୀ ଆଉ ଗୋଟିଏ ସୂଂଦୁରିଆ ପୁଅର ବାପା ହେଇଯାଇଛ।
– ମୋ ପୁଅ କୁ କେମିତି ଦେଖିଲ ?
– ଗାଁ କୁ ଯାଇଥିଲି ..
– ତୁମର କେବେ ହେଉଛି ?
– ତୁମେ ଅଭିଶାପ ଦେଇଛ , ମୋର ହବ କେମିତି ?
– ସେମିତି କୁହନି। ମୁଁ କାହିଁକି ଅଭିଶାପ ଦେବି !
– ତିନିଥର ଗର୍ଭରେ ପିଲା ରହିବ ପରେ ବି ତିନିମାସ ଚାରିମାସରେ ମିଶକେରେଜ ହେଲାଣି। ବହୁତ ଜାଗାରୁ ଔଷଧ ଖାଇଲିଣି। କିଛି ଫଳ ହେଉନି। ତୁମେତ ହସ୍ପିଟାଲରେ ଚାକିରୀ କରୁଛ , କିଏ ଭଲ ଡାକ୍ତର ଅଛନ୍ତି ଟିକେ ଯୋଗାଯୋଗ କର।

ସେଇ ଦିନ ଠାରୁ ଲିପି ପ୍ରାୟ ପ୍ରତିଦିନ କଥାହୁଏ। ମୁଁ ଆଉ ରାତିରେ ମୋବାଇଲ ସୁଇଚ ଅଫ କରେ ନାହିଁ। ମୋ ସ୍ତ୍ରୀ କଲ କଲେ କଲ ୱେଟିଂ ଦେଖାଏ। ମୋ ଉପରେ ଥିବା ତାର ଆଗଡ଼ ବିଶ୍ୱାସ ପାଇଁ କେବେବି ସେ ପ୍ରଶ୍ନ କରେ ନାହିଁ କି ତୁମେ କାହାସହ କଥାହେଉଚ।

ଲିପି ତା’ ଘର କଥା ସବୁ ମୋତେ କହେ । ତା’ କଥାରୁ ଲାଗେ ସେ ଯେତିକି ଖୁସି ରେ ଥିବାପରି ଦେଖାଯାଏ ସେତିକି ଖୁସିରେ ନାହିଁ । ଘରେ ତା’ ବାପା ବୋଉ ଆଗରେ ନିଜ ସ୍ୱାମୀ ଶାଶୁ ଶଶୁର ଙ୍କ ଏତେ ପ୍ରଶଂସା କରୁଥିବା ଝିଅ କିନ୍ତୁ ମୋତେ କହିଦିଏ ଶାଶୁ ଗାଳିଦେବା କଥା । ଶଶୁର ତରକାରୀ ଲୁଣିଆ ହେଇଛି କହି ଖାଇବା ଫିଙ୍ଗିବା କଥା ।

ଲିପି ଦିନେ ଫୋନ କରି କହିଲା- ମୁଁ ତୁମ ଘରକୁ ଯିବି।
– ମୁଁ କହିଲି ତୁମେ ତ ସବୁ ବେଳେ ଆସୁଛ ଆମଘରକୁ । ମୋ ଠାରୁ ବି ଅଧିକ।
ସେ କହିଲା ନା ନା ତୁମେ ରହୁଥିବା ଭଡା ଘରକୁ
-କାହିଁକି ?
-କ’ଣ ଅସୁବିଧା ଅଛି କି ?
– ନାଁ କିଛି ଅସୁବିଧା ନାହିଁ। ତୁମ ସ୍ୱାମୀ ବି ସାଙ୍ଗରେ ଆସିବେ।
– ସେ ଯଦି ସାଙ୍ଗରେ ଆସିବେ ତେବେ ମୋର ଲାଭ କଣ ?
– ମାନେ ?
– ମୁଁ ତୁମ କ୍ଵାଟର ପାଖାପାଖି ଅଛି , ମାନେ ଟା ତୁମ ଘରକୁ ଆସିକି ଜଣେଇବି।
ଏତିକି କହି ଫୋନ ରଖିଦଲା ଲିପି।

ମୁଁ ଡରିଯାଇଥିଲି। ଭାବିଲି ଲିପି କୁ ଫୋନ କରି କହିଦେବି ମୁଁ ଘରେ ନାହିଁ , ଗାଁ କୁ ଆସିଛି। କିନ୍ତୁ ଲିପି ତ କହୁଥିଲା ଘର ପାଖାପାଖି ଅଛି ବୋଲି। ଏତିକି ଚିନ୍ତା କରୁ କରୁ କେହି ଜଣେ କଲିଙ୍ଗ ବେଲ ମାରିଲା। କବାଟ ଖୋଲି ଦେଖିଲି ଜୀବନ ଆଉ ଲିପି ଦୁଇଜଣ। ଜୀବନ ମତେ କାକା ବୋଲି ସମ୍ବୋଧନ କରି ପ୍ରଣାମ କଲେ। ଲିପି ବୋଧହୁଏ ମୋ ପରିଚୟ କରେଇଛି ତା କାକା ବୋଲି।

ଲିପି କହିଲା ଆମେ ଟିକେ ଡାକ୍ତର ଦେଖେଇ ଆସିଥିଲୁ। ତାଙ୍କର କଚେରୀ ପାଖରେ କାମ ଅଛି। ବାହାରେ ବହୁତ ଖରା , ମୁଁ କାହିଁକି ବାହାରେ ବସିବି ସେଥିପାଇଁ ଚାଲି ଆସିଲି। ଜୀବନ ଲିପି ସହିତ କଣ ଫୁସ ଫୁସ କଥାହେଲେ ଆଉ ଚାଲିଗଲେ।

ଏବେ ଘରେ ଲିପି ଆଉ ମୁଁ। କଣ କହିବି ଭାବିପାରୁନଥିଲି। ଲିପି ଆଗ ଅପେକ୍ଷା ମୋଟୀ ହୋଇଯାଇଥିଲା , ସୁନ୍ଦରୀ ବି। ସେ ଯେ ଖୁସିରେ ଅଛି ସେଇଟା ତା ଚେହେରା କହୁଥିଲା। କିନ୍ତୁ ପିଲା ଟେ ନହେବାର ଦୁଃଖ ତାକୁ ଘାରି ଦେଉଥିଲା।
ମୁଁ ପଚାରିଲି ”କଣ ସେବା କରିବି କୁହ ?”
– ମତେ ପିଲା ଟେ ଦେଇପାଇବ ?
– ତୁମର ଗର୍ଭ ରହିକି ନଷ୍ଟ ହେଉଛି, ମାନେ ଅସୁବିଧା ତୁମ ପାଖରେ ଅଛି। ଯଦି ତୁମର ଆଦୌ ଗର୍ଭ ରହୁ ନଥାନ୍ତା ଜାଣିଥାନ୍ତି ଜୀବନ ବାବୁଙ୍କର କିଛି ଅସୁବିଧା ଅଛି ଆଉ ମୁଁ ସାହାଯ୍ୟ କରିଥାନ୍ତି।

ମୁଁ ଏହି କଥା ମଜାକ ରେ କହିଦେଲି। କିନ୍ତୁ ଲିପି ବହୁତ ସମୟ ଚୁପ ରହିଲା। ଜୀବନ ବାବୁ ଆସିବା ପର୍ଯ୍ୟନ୍ତ।

ମୁଁ ଦେଇଥିବା କୋଲଡ ଡ୍ରିଙ୍କସ ସେମିତି ଥୁଆହୋଇଥିଲା ଟେବୁଲ ଉପରେ। ଜୀବନ ଆସିଲେ, ଲିପି ବାହାରିଲା ଯିବା ପାଇଁ। ଜୀବନ ଗାଡି ଷ୍ଟାର୍ଟ ମାରିଲେ , ମୋବାଇଲ ଛାଡି ଆସିଥିବାର ବାହାନା କରି ଲିପି ପୁଣି ମୋ ରୁମ ଭିତରକୁ ଆସିଲା। ଆଉ କହିଲା “ତୁମ ଇଚ୍ଛା ମୁଁ ପୁରଣ କରିବି”। ଏତିକି କହି ଚାଲିଗଲା।

କୋଉ ଇଚ୍ଛା ? ମୁଁ ସେସବୁ ମଜା ରେ କହିଦେଲି। ମୋର ସ୍ତ୍ରୀ ଅଛି , ପୁଅ ଅଛି , ସମାଜରେ ସମ୍ମାନ ଅଛି। ମତେ କ’ଣ ଚିହିଁ ପାରିଲୁନି ଲିପି। ଚିହିଁ ପାରିଲୁନି ବୋଲିତ ଦୂରେଇଗଲୁ , ଚିହିଁ ପାରିଲୁନି ବୋଲି ଆଜି ହସ୍ପିଟାଲ ବେଡ ରେ ଜୀବନ ସହ ସଂଘର୍ଷ କରୁଚୁ। ଅବଶ୍ୟ ତୋର ଭୁଲ କିଛି ନାହିଁ। ମୁଁ ସାହସ କରି ତୋତେ ନିଜର କରିପାରିଲିନି।

ରାତି ପାହି ଆସୁଥିଲା। ଲିପି କୁ କଟକ ନେବା ପ୍ରସ୍ତୁତିରେ ଲାଗିଥିଲେ ତା ବାପା ଘର ଲୋକେ।

ଏ ବାଞ୍ଝ ଝିଅ ଅଫଳନ୍ତି ଗଛ ମରିଗଲେ ଭଲ। ଏ ପୋଡା ଦେହକୁ ନେଇ ସାରା ଜୀବନ କେମିତି କାଟିବି ? ଏମିତି କିଛି ଭାବୁଥିବ କି ଜୀବନ ? ନା, ଜୀବନ ଟା ଭଲ ପିଲା। ଲିପି ମନରେ ପାପ ଥିଲା ସେଥିପାଇଁ ସେ ଭୋଗୁଛି।

ମୁଁ ଚାହୁଁଥିଲି ଲିପି ବଂଚିଯାଉ। ଦେହ କଣ ସବୁ କିଛି ? ମଣିଷ ଟେ ଆଖି ସାମ୍ନାରେ ବଂଚି ରହିବ, ଏତିକି କଣ ଯଥେଷ୍ଟ ନୁହଁ।

ପୋଲିସ ଆସିଲା ଲିପି କୁ ଦେଖିଲା। କାହିଁକି କେଜାଣି ମତେ ଲାଗୁଥିଲା ଥାନାବାବୁ ମତେ ସନ୍ଦେହ ଦୃଷ୍ଟିରେ ଦେଖୁଛି ।

ସଂକ୍ରମଣ ହେବା ଭୟରେ ଭିତରକୁ କେହି ନଯିବା ପାଇଁ ଡାକ୍ତର ବେହେରା ସ୍ପଷ୍ଟ କହିଦେଇଥିଲେ। ଆମ୍ବୁଲାନ୍ସ ଆସିଲା। ଲିପି କଟକ ଗଲା। ଅନ୍ୟ ଏକ ଗାଡ଼ିରେ ଲିପିର ସବୁ ପରିଜନ , ପ୍ରିୟ ମଣିଷ ମାନେ ଗଲେ। କେବଳ ରହିଗଲା ଲିପିର ପୂର୍ବତନ ପ୍ରିୟ ମଣିଷ ଟି।

ଦିନ ସାରା ମତେ ବହୁତ ବ୍ୟସ୍ତ ଲାଗୁଥିଲା। ଲାଗୁଥିଲା ମୁଁ ଦୁନିଆରେ ଏକା ହୋଇଯାଉଛି। ମୋ ସ୍ତ୍ରୀ , ପୁଅ, ହସଖୁସି ର ସଂସାର ସବୁ କିଛି କେମିତି ଗୋଟେ ବିରକ୍ତିକର ଲାଗୁଥିଲା।

ଘରୁ ସ୍ତ୍ରୀର ଫୋନ ଆସିଲା। ଲିପି ପୋଡିହେବା ଖବର ତା ଦେହର ନିଆଁପରି ବ୍ୟାପି ସାରିଥିଲା।
– ଲିପି କେମିତି ଅଛି ?
– ସେ ଆଉ ନାହିଁ ?
– କଣ କହୁଛ ! ଲିପି ମରିଗଲା ?
ମୋ ସ୍ତ୍ରୀ କଥା ଶୁଣି ଭୀଷଣ ବିରକ୍ତ ଲାଗିଲା। କିନ୍ତୁ ବିରକ୍ତି ପ୍ରକାଶ କଲେ ମୋ ସଂସାର ରେ ନିଆଁ ଲାଗିବାର ଭୟ ରହିଛି।
– ନାଇଁ ମରିବ କାହିଁକି ? ଭଲ ଟ୍ରିଟମେଣ୍ଟ ପାଇଁ ତାକୁ କଟକ ନେଇଗଲେ।
– ତୁମେ ଆସିଲନି ତାଙ୍କ ସହ।
– ତା ସହ ତା ନିଜ ଲୋକ ସବୁ ଅଛନ୍ତି , ମୁଁ ଯାଇ କଣ କରିବି। ମୋର ଅଫିସରେ ବହୁତ କାମ। ତୁମେ ରଖ ମୁଁ ପରେ କଥାହେବି।

ଝିଅ ବେଳେ ଲିପି କବିତା ଲେଖୁଥିଲା। ସବୁ କବିତାର ନାୟକ ଥିଲି ମୁଁ। କିନ୍ତୁ ମୋ ନାଁ ବଦଳରେ କେତେବେଳେ ଅଜୟ ଲେଖେ କେତେବେଳେ ସମରେଶ। ମୁଁ ସବୁ ପଢେ। ମଜାରେ ମଜାରେ ମୁଁ ତାକୁ ପ୍ରଶ୍ନ କରେ କେତେଟା ପ୍ରମିକ କରିବ ଲିପି। ସେ ହସିଦିଏ ଆଉ ଉତ୍ତର ଦିଏ “ତୁମେ କଣ ଜାଣିନ ମୋର ସବୁ ଭାବ ଆଉ ଶବ୍ଦ କାହାପାଇଁ।’

ହଁ ସବୁ ଜାଣିଥିଲି ଲୋ ସେ ଭାବ ସେ ଶବ୍ଦ କୁ ମୁଁ ସମ୍ମାନ ଦେଇପାରିଲିନି ଯାହା। ପୁରୁଣା କବିତା ସବୁ ଯଦି ତା ସ୍ୱାମୀ ପଢ଼ିଥିବେ ଆଉ ପ୍ରଶ୍ନ କରିଥିବେ କିଏ ଏ ଅଜୟ , କିଏ ଏ ଅନିମେଷ , କିଏ ଏ ଅମରେଶ। କଣ ଉତ୍ତର ଦେଇଥିବ ଲିପି ? କହିଥିବ କି ସମସ୍ତ ସର୍ଜନା ବ୍ୟକ୍ତିଗତ ସମ୍ପର୍କ ରୁ ଉର୍ଦ୍ଧରେ। ସର୍ଜନା ସର୍ବଦା ସାର୍ବଜନୀନ। ଲିପି ସ୍ୱାମୀର ସେ ସବୁ ବୁଝିବାକୁ କୋମଳ ହୃଦୟ ଟେ ଥିବ କି ନାହିଁ କେଜାଣି।

ଏହା ଭିତରେ ଦୁଇଦିନ ବିତି ଗଲାଣି। ଲିପି ଖବର ରଖିବା ମୋ ପକ୍ଷରେ ମୁସ୍କିଲ ହୋଇଯାଉଥିଲା। ଚିନ୍ତା କଲି ଦିନେ କଟକ ଯାଇ ଦେଖିଆସିବି। କିଏ କଣ ଭାବିବ , ପରବର୍ତ୍ତୀ ପରିସ୍ଥିତି କଣ ହେବ ଏତେ କଥା ନଚିନ୍ତାକରି କଟକ ଆସିଲି।

ହସ୍ପିଟାଲ ବାରଣ୍ଡା ରେ ଜୀବନ ମୂର୍ତ୍ତିଟିଏ ପରି ବସିଥିଲେ। ଲିପି ର ବାପା ଔଷଧ ଆଣିବା ପାଇଁ ଯାଇଥିଲେ। ଲିପି ଆଇସିୟୁ ଭିତରେ ଅଛି। କେମିତି ଅଛି କଣ କରୁଛି କେହି ଜାଣିନାହାନ୍ତି। କିନ୍ତୁ ଆଶ୍ବସ୍ତି ହେବାର କାରଣ ଏତିକି ଯେ ଲିପି ର ହୋସ ଆସିଲାଣି। ସେ ପୋଲିସ କୁ ବି ବୟାନ ଦେଇ ସାରିଲାଣି ଯେ ଏହା ଏକ ଦୁର୍ଘଟଣା। ଏଥିରେ କାହାର କିଛି ଭୁଲ ନାହିଁ।

ଲିପି ମା କିନ୍ତୁ ଆଇସିୟୁ କବାଟ ପାଖରୁ ଟିକେ ବି ଅନ୍ୟଆଡ଼େ ଘୁଞ୍ଚୁ ନଥିଲେ। ହୁଏତ ତାଙ୍କର ଜୀବନ ଉପରେ ଭରସା ନଥିଲା। ପୋଡ଼ି ଯାଇଥିବା ସ୍ତ୍ରୀ କୁ ନେଇ ଜୀବନ ସାରା ସହିବାର କଷ୍ଟ ନସହିବାପାଇଁ ଡାକ୍ତର କି ଷ୍ଟାଫନର୍ସ ଙ୍କୁ ହାତ କରି ଜୀବନ ଯଦି କିଛି ଅଘଟଣ ଘଟେଇଦିଏ ! ଏମିତି ଭୟଟେ ଲିପି ମା ଙ୍କ ମନରେ ରହିଥିଲା ବୋଧହୁଏ। ମାଆ ମନଟା କଣ ମାନୁଛି। ମତେ ଦେଖି ହୃଦୟର ଲୁହ ସବୁ ଆଖି ରାସ୍ତାରେ ବାହାରି ଆସିଲା। କଣ କହି ସାନ୍ତ୍ୱନା ଦେବି କିଛି ନଭାବିପାରି ନିରବ ରହିବା ଶ୍ରେୟସ୍କର ମନେକଲି।
ଲିପି ଯେ ଧୀରେ ଧୀରେ ସୁସ୍ଥ ହେଉଛି ଏହାଠାରୁ ବଡ଼କଥା ମୋ ପାଇଁ କିଛି ନଥିଲା। ଆଇସିୟୁ ର କାଚ କବାଟ ଫାଙ୍କରୁ ଲିପି କୁ ଦେଖିଲି। ଧଳା କପଡା ଟେ ଉପରେ ଘୋଡେଇ ହୋଇ ଶୋଇଥିଲା। ଆଖି ଖୋଲିଲା , ପ୍ରଥମ ନଜର ମୋ ଉପରେ ପଡିଗଲା। ଦୁଇଆଖିରୂ ଲୁହ ଧାରା ଧାରା ହେଇ ବହୁଥିଲା। ଲିପିର ବି, ମୋର ବି।

ସେ ମୁହୂର୍ତ କୁ ମୁଁ ଜିଇଁ ଯିବାକୁ ଚାହୁଁଥିଲି। କିଛି ନକହିବି ଲିପି ବହୁତ କିଛି କହୁଥିଲା। ଜୀବନ ବାବୁ ମୋ ପଛରେ ଆସି ଠିଆ ହେଲେ ଲିପି ତାଙ୍କୁ ଦେଖି କାହିଁକି କେଜାଣି ମୁହଁ ବୁଲେଇଦେଲା। ଜୀବନ କାନ୍ଦି ପକେଇଲେ। ମୁଁ ଜୀବନ କୁ ବୁଝେଇବା ଭଙ୍ଗୀରେ କାନ୍ଧରେ ହାତ ପକେଇ ଚେୟାରରେ ବସେଇଦେଲି।
ସେହି କାଚ କବାଟ ପାଖରେ ଦିନ ତମାମ ମୁଁ ଠିଆ ହୋଇଥିଲି। ଲିପି ଆଉଥରେ ମତେ ଦେଖୁ ବୋଲି ମନରେ ଆଶାଟିଏ ନେଇ। ତା ମୁହଁ ଉପରୁ ନଜର ହଟେଇ ପାରୁନଥିଲି।
ସନ୍ଧ୍ୟା ହେଲା। ଲିପି କିନ୍ତୁ ଆଦୌ ଥରେ ବି ଦେଖିଲାନି।
ରାତି ବସ ରେ ମୁଁ ଗାଁ କୁ ଫେରି ଆସିଲି। ସକାଳେ ସୂର୍ଯ୍ୟ ଉଦୟ ହେଲା ବେଳକୁ ଲିପି ଶବ ହୋଇସାରିଥିଲା। ଘରେ ପହଂଚି ଖବର ଖବର ପାଇଲି ଅତ୍ୟଧିକ ସଂକ୍ରମଣ କାରଣରୁ ଲିପିର ନିଶ୍ୱାସ ଚାଲିଗଲା।


ନୁଆପୁର, କଲ୍ୟାଣୀ, ବାଲେଶ୍ୱର, ଫୋନ୍: ୯୪୩୯୮୭୬୭୫
  • 1
    Share