Odisha Link
Bridging the Missing Links in Odisha

ମହଙ୍ଗା ପଡ଼ିଲା ଦାଦାଗିରି, ଗିରଫ ହେଲେ ବିଜେଡି ନେତା

ଝାରସୁଗୁଡ଼ା: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କର୍ମୀଙ୍କୁ ପଢାଉଛନ୍ତି ଶାଳିନତାର ପାଠ। ହେଲେ କର୍ମୀ ଭୁଲି ଯାଉଛନ୍ତି ପାଠ। ଜଣେ ବିଜେଡି ନେତା ଏବେ ଦାଦାଗିରି କରି ଚର୍ଚ୍ଚାରେ। ହେଲେ ମହଙ୍ଗା ପଡିଲା ପୁଲିସ୍‌ ଉପରେ ଦାଦାଗିରି। କର୍ତ୍ତବ୍ୟରତ ପୁଲିସ୍‌କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଝାରସୁଗୁଡା ବିଜେଡି ଉପସଭାପତି ଶମ୍ଭୁ ମହାନ୍ତି ଗିରଫ ହୋଇଛନ୍ତି।

ସୂଚନାଥାଉକି, ଗତକାଲି ରାତି ୧୦ଟା ସମୟରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ନିଜ ଗାଡ଼ିରେ ଯାଉଥିଲେ। ମାତ୍ର ସେ ସିଟ୍‌ ବେଲ୍‌ଟ୍‌ ବାନ୍ଧି ନ ଥିଲେ। ଏହି ସମୟରେ ବେଲ୍‌ପାହାଡ଼ ଫାଟକ ନିକଟରେ କାର୍ଯ୍ୟରତ ବେଲପାହାଡ଼ ଥାନାର ଏଏସ୍ଆଇ ଅର୍ଜୁନ ଓରାମ ଓ ଜଣେ କନଷ୍ଟେବଲ ବିଧାୟକଙ୍କ ଗାଡ଼ିକୁ ଅଟକାଇ ଥିଲେ ଓ ସିଟ୍‌ ବେଲ୍‌ଟ କାହିଁକି ବାନ୍ଧିନ ବୋଲି ପଚାରିଥିଲେ। ଏହାପରେ ବିଧାୟକ ନିଜର ପରିଚୟ ଦେବା ପରେ ପୁଲିସ୍‌ ତାଙ୍କୁ ଛାଡ଼ି ଦେଇଥିଲା।

ତେବେ ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଝାରସୁଗୁଡ଼ା ବିଜେଡି ଜିଲ୍ଲା ଉପ-ସଭାପତି ଶମ୍ଭୁ ମହାନ୍ତି ପୁଲିସ୍‌ର ଏପରି କାର୍ଯ୍ୟକୁ ବିରୋଧ କରିଥିଲେ। କାର୍ଯ୍ୟରତ ଦୁଇ ପୁଲିସ କର୍ମଚାରୀଙ୍କୁ ଅତି ଅଭଦ୍ର ଭାଷାରେ ଗାଳି ଦେଇଥିଲେ। ଏପରିକି ଜେଲ୍ ପଠାଇବାର ଧମକ ମଧ୍ୟ ଦେଇଥିଲେ। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଶମ୍ଭୁ ମହାନ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଝାରସୁଗୁଡା ଏସ୍‌ପି ଅଶ୍ୱିନୀ କୁମାର ସୂଚନା ଦେଇଛନ୍ତି।

Comments are closed.