Odisha Link
Bridging the Missing Links in Odisha

ନୟାଗଡ଼ରେ ପ୍ରାୟୋଜିତ ପରିବର୍ତ୍ତନ

ଭୁବନେଶ୍ବର: ପୁରାଣରେ ଇନ୍ଦ୍ର ଚରିତ୍ର ବାବଦରେ ପ୍ରାୟ ସମସ୍ତେ ଅବଗତ ଥିବେ। ତାଙ୍କର ବିଳାସମୟ ଜୀବନ, ଅପସରାଙ୍କ ସହ ମନୋରଂଜନ, ସୁରାପାନ ଭଳି ବିଭିନ୍ନ ଅଭ୍ୟାସ ସହ ଆଉ ଗୋଟିଏ ଅଭ୍ୟାସ ମଧ୍ୟ ଥିଲା- ଭୟ। ଯିଏ ଯେଉଁଠି ତପସ୍ୟାରେ ବସିଲେ ଇନ୍ଦ୍ର ଭୟ ପାଉଥିଲେ, କାଳେ ତପସ୍ୟା ବଳରେ ସେ ସାଧକ ତାଙ୍କର ଇନ୍ଦ୍ର ପଦ ଛଡ଼େଇ ନେବେ କି!

ନୟାଗଡ଼ରେ ବିଧାୟକ ଅରୁଣ କୁମାର ସାହୁଙ୍କର ଏବେ ଇନ୍ଦ୍ରଙ୍କ ଭଳି ଅବସ୍ଥା ବୋଲି ଚର୍ଚ୍ଚା ହେଉଛି। ଜିଲ୍ଲାରେ ଅନ୍ୟ କୌଣସି ବିଧାୟକ ଭଲ କାମ କଲେ ଅଥବା ଜନସାଧାରଣଙ୍କ ପ୍ରିୟପାତ୍ର ହେଲେ ଅରୁଣ ସାହୁଙ୍କର ଚିନ୍ତା ବଢ଼ିଯାଉଛି। ସେହି କାରଣରୁ ଜିଲ୍ଲାରେ କୌଣସି ବିଧାୟକଙ୍କୁ ଦ୍ବିତୀୟ ଥର ଟିକେଟ୍‌ ପାଇବାର ସୁଯୋଗ ଦିଅନ୍ତିନାହିଁ ଅରୁଣ। ଏବେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଚିଟ୍‌ ଫଣ୍ଡ୍‌ ଦୁର୍ନୀତିରେ ଫସିବା ସହ ଓ ନିଜ ଅଞ୍ଚଳରେ ଜନସାଧାରଣଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଅରୁଣ ବାବୁ। ଜିଲ୍ଲାର ଅନ୍ୟ ତିନି ବିଧାୟକଙ୍କ ତୁଳନାରେ ତାଙ୍କର ଲୋକପ୍ରିୟତା କମୁଥିବା ବେଳେ ନିଜ ପତିଆରା ବଜାୟ ରଖିବା ପାଇଁ ଅରୁଣ ବାବୁ ଏବେ ଜିଲ୍ଲାରେ ପ୍ରାୟୋଜିତ ପରିବର୍ତ୍ତନର ସାହାରା ନେଇଛନ୍ତି। ନୟାଗଡ଼କୁ ଛାଡ଼ି ବାକି ତିନି ନିର୍ବାଚନ ମଣ୍ଡଳିରେ ବିଜେଡିର ବିଧାୟକ ପ୍ରାର୍ଥୀ ବଦଳିବା ଉଚିତ ବୋଲି ଏକ ପ୍ରାୟୋଜିତ ଜନମତ ସୃଷ୍ଟି କରାଯାଉଛି।

୨୦୦୪ ମସିହାରେ, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଠା ଓ ପରେ ବିଶ୍ବାସଘାତକ ବୋଲି ଲାଞ୍ଛନା ସହିଥିବା ସ୍ବର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କର ଏକାନ୍ତ ଅନୁଗତ ଭାବେ ଅରୁଣ ବାବୁ ପ୍ରଥମ ଥର ପାଇଁ ନୟାଗଡ଼ ନିର୍ବାଚନ ମଣ୍ଡଳି ପାଇଁ ବିଜେଡି ଦଳ ପକ୍ଷରୁ ବିଧାୟକ ଟିକେଟ୍‌ ପାଇଥିଲେ ଓ ବିଜୟୀ ହୋଇଥିଲେ। ସେଥର ବିଜେଡିରୁ ଟିକେଟ୍‌ ନପାଇ ମଧ୍ୟ ଖଣ୍ଡପଡ଼ାରେ ସ୍ବାଧୀନ ଭାବେ ବିଜୟୀ ହୋଇଥିଲେ ବିଜୟଲକ୍ଷ୍ମୀ ପଟ୍ଟନାୟକ। ସେହିପରି ଦଶପଲ୍ଲାରେ ରୁଦ୍ରମାଧବ ରାୟ ମଧ୍ୟ ସ୍ବାଧୀନ ଭାବେ ବିଜୟୀ ହୋଇଥିଲେ। ମେଣ୍ଟ ଯୋଗୁଁ ରଣପୁରରୁ ବିଜେପି ପ୍ରାର୍ଥୀ ଦେଇଥିଲା ଓ ସୁରମା ପାଢ଼ୀ ବିଜୟୀ ହୋଇଥିଲେ।

ପ୍ରଥମ ଦଫାରେ ନୟାଗଡ଼ରେ ଅରୁଣଙ୍କ ପ୍ରତି ପ୍ରବଳ ଜନ ଅସନ୍ତୋଷ ବଢ଼ିଥିଲା। ସେ ନୟାଗଡ଼ର ସ୍ଥାନୀୟ ବାସିନ୍ଦା ହୋଇ ନଥିବାରୁ ୨୦୦୯ ବେଳକୁ ସେ ନିଜ ପୈତୃକ ଅଞ୍ଚଳ ଦଶପଲ୍ଲାରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଶୁଣିବାକୁ ମିଳିଥିଲା। ତେବେ ୨୦୦୯ରେ ଦଶପଲ୍ଲା ସଂରକ୍ଷିତ ବିଧାନସଭା କ୍ଷେତ୍ର ଘୋଷଣା ହେଲା। ଏଠାରୁ କାଶୀନାଥ ମଲ୍ଲିକ ବିଜେଡି ପ୍ରାର୍ଥୀ ହେଲା। ଖଣ୍ଡପଡ଼ାରେ ବିଜୟଲକ୍ଷ୍ମୀ ଦୁଇ ଦୁଇ ଥର ବିଧାୟକ ହୋଇ ସାରିଥିବା ବେଳେ ତୃତୀୟ ଥର ହେଲେ ଅରୁଣଙ୍କର ପତିଆରା ଜିଲ୍ଲାରେ ସମ୍ପୂର୍ଣ୍ଣ ଧୂଳିସାତ ହେବାର ଆଶଂକା ଥିଲା। ଏଣୁ ବିଜୟଲକ୍ଷ୍ମୀଙ୍କ ଟିକେଟ୍‌ କାଟିବା ପାଇଁ ପ୍ୟାରୀ ବାବୁଙ୍କ ପାଖରେ ଅଡ଼ି ବସିଥିଲେ ଅରୁଣ। ଅତ୍ୟନ୍ତ ଅନୁଗତ ଅରୁଣଙ୍କ କଥା ରଖିଥିଲେ ପ୍ୟାରୀ ବାବୁ। କଂଗ୍ରେସରୁ ବହୁବାର ବିଧାୟକ ହୋଇଥିବା ବିଭୂତି ଭୂଷଣ ସିଂହଙ୍କ ପୁତ୍ର ରାଜନୀତିରେ ନବାଗତ ସିଦ୍ଧାର୍ଥ ସିଂହଙ୍କୁ ବିଜେଡି ପ୍ରାର୍ଥି କରାଇଥିଲେ ଅରୁଣ। ମେଣ୍ଟ ଭାଙ୍ଗି ବିଜେପି ଏକାକୀ ଲଢ଼ୁଥିବାରୁ ରଣପୁରରେ ମଧ୍ୟ ଦଳ ପ୍ରାର୍ଥୀ ଦେଲା। ନୟାଗଡ଼ ଏନଏସିର ଅଧ୍ୟକ୍ଷ ହୋଇଥିବା ସତ୍ୟନାରାୟଣ ପ୍ରଧାନଙ୍କୁ ଦଳ ଏଠାରେ ପ୍ରାର୍ଥୀ କଲା। ଜନସାଧାରଣଙ୍କ ବିରୋଧ ସତ୍ତ୍ବେ ନୟାଗଡ଼ରୁ ଅରୁଣ ପୁଣି ଟିକେଟ୍‌ ପାଇଥିଲେ। ଦ୍ବିତୀୟ ବାର ଅରୁଣ ବିଜୟୀ ହୋଇଥିଲେ ହେଁ ତାଙ୍କ ରାଜନୈତିକ ପ୍ରସିଦ୍ଧି ଯେ ବହୁଗଣରେ କମିଛି ଏ କଥା ସେ ହୃଦୟଙ୍ଗମ କରିଥିଲେ। ସ୍ବାଧୀନ ଭାବରେ ଠିଆ ହୋଇ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ହେମେନ୍ଦ୍ର ସିଂ ୪୦ ହଜାର ଭୋଟ ପାଇଥିଲେ।

ନୟାଗଡ଼ର ଏକମାତ୍ର ବରିଷ୍ଠ ବିଧାୟକ ଭାବେ ପରେ ଅରୁଣ ସାହୁ ମନ୍ତ୍ରୀପଦ ପାଇଲେ। ତେବେ ହେମେନ୍ଦ୍ର ସିଂହଙ୍କୁ ୨୦୧୪ରେ କଂଗ୍ରେସ ପ୍ରାର୍ଥୀ କରିବାକୁ ଆଗେଇ ଆସିବାରୁ ଅରୁଣଙ୍କ ଚିନ୍ତା ବଢ଼ିଗଲା। ପୂର୍ବ ଥର ସ୍ବାଧୀନ ଭାବେ ୪୦ ହଜାର ଭୋଟ ପାଇଥିବା ହେମେନ୍ଦ୍ର ଯେ ୨୦୧୪ରେ ନୟାଗଡ଼ରୁ ବିଧାୟକ ହେବେ ଏକଥା ଅରୁଣ ବୁଝି ସାରିଥିଲେ। ଏଣୁ ଆରମ୍ଭ ହେଲା ଫନ୍ଦିଫିକର। ସାଂସଦ ପିନାକୀ ମିଶ୍ରଙ୍କ ମଧ୍ୟସ୍ତତାରେ କୌଶଳକ୍ରମେ ହେମେନ୍ଦ୍ରଙ୍କୁ ବିଜେଡିକୁ ଆଣିବାରେ ସମର୍ଥ ହେଲେ ଅରୁଣ। ହେମେନ୍ଦ୍ର କନ୍ଧମାଳର ସାଂସଦ ପ୍ରାର୍ଥୀ ହେବା ନିଶ୍ଚିତ ହେବା ପରେ ନିଜର ରାଜନୈତିକ ଭବିଷ୍ୟତ ବାବଦରେ ନିଶ୍ଚିତ ହୋଇଗଲେ ଅରୁଣ। ସେ ତ ଟିକେଟ୍‌ ପାଇବେ, ତେବେ ୨୦୧୪ରେ ଅନ୍ୟ ତିନି ନିର୍ବାଚନ ମଣ୍ଡଳିରେ ନୂଆମୁହଁ ଖୋଜା ଆରମ୍ଭ ହେଲା।

କାଶୀନାଥ ମଲ୍ଲିକଙ୍କ ଲୋକପ୍ରିୟତା ସତ୍ତ୍ବେ ବାହାରେ ଚାକିରି କରୁଥିବା ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ଆଣି ଦଶପଲ୍ଲାରୁ ପ୍ରାର୍ଥୀ କରାଇଥିଲେ ଅରୁଣ। ଅରୁଣଙ୍କ ଆଶୀର୍ବାଦରେ ଚାକିରି ଛାଡ଼ି ରାଜନୀତିରେ ପାଦ ଥାପିଥିବା ପଢ଼ୁଆ ପୂର୍ଣ୍ଣଚନ୍ଦ୍ର ଏକଥା କିନ୍ତୁ ଭାବି ନଥିଲେ ଯେ, ସେହି ଅରୁଣ ୨୦୧୯ରେ ତାଙ୍କୁ ବିଦା କରିବା ପାଇଁ ପୁଣି ନୂଆ ମୁହଁ ଖୋଜିବେ।

ଅନ୍ୟପଟେ ସତ୍ୟନାରାୟଣଙ୍କ ପ୍ରସିଦ୍ଧି ସତ୍ତ୍ବେ ତାଙ୍କୁ ହଟାଇ ୨୦୧୪ରେ ରଣପୁରରୁ ତତକାଳୀନ ଜିଲ୍ଲା ବିଜେଡି ସଭାପତି ରବିନାରାୟଣ ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିଲେ ଅରୁଣ। ପୂର୍ଣ୍ଣଚନ୍ଦ୍ରଙ୍କ ଭଳି ଏବେ ରବିଙ୍କର ମଧ୍ୟ ସମଦଶା।

ଅବଶ୍ୟ ଖଣ୍ଡପଡ଼ାରେ ୨୦୧୪ ବେଳକୁ ସିଦ୍ଧାର୍ଥ ଜନବିରୋଧୀ ବିଧାୟକ ଭାବେ ଦୁର୍ନାମ ଅର୍ଜନ କରି ସାରିଥିଲେ। ତେଣୁ ତାଙ୍କୁ ହଟାଇବା ସହଜ ହେଲା। ତାଙ୍କ ବଦଳରେ ଅନ୍ୟ ଦୁଇଜଣଙ୍କ ପ୍ରାର୍ଥୀତ୍ବ କଥା ଅରୁଣ ବିଚାର କରୁଥିବା ବେଳେ ବିଜୟଲକ୍ଷ୍ମୀଙ୍କ ଉଚ୍ଚଶିକ୍ଷିତି ପୁତ୍ର ଅନୁଭବ ପଟ୍ଟନାୟକ ଚାକିରି ଛାଡ଼ି ସ୍ବାଧୀନ ଭାବରେ ବିଧାୟକ ପ୍ରାର୍ଥୀ ହେବାକୁ ଅଣ୍ଟା ଭିଡ଼ିଲେ। ଅନୁଭବ ସ୍ବାଧୀନ ଭାବେ ମଧ୍ୟ ବିଜୟୀ ହେବାର ସମ୍ଭାବନା ବଳବତ୍ତର ହେବାରୁ ଅରୁଣଙ୍କ ପ୍ରାର୍ଥୀଙ୍କୁ କାଟି ମୁଖ୍ୟମନ୍ତ୍ରୀ ଅନୁଭବଙ୍କୁ ଦଳୀୟ ଟିକେଟ ଦେଇଥିଲେ।

ଯାହା ବି ହେଉ ଅରୁଣଙ୍କ ସ୍ବପ୍ନ ସାକାର ହେଲା, ୨୦୧୪ରେ ତାଙ୍କ ଛଡ଼ା ଜିଲ୍ଲାର ଅନ୍ୟ ନିର୍ବାଚନ ମଣ୍ଡଳିରେ ନୂଆ ପ୍ରାର୍ଥୀ ଜିତିଲେ। ବରିଷ୍ଠ ନେତା ଭାବରେ ଜିଲ୍ଲାରେ ତାଙ୍କର ପତିଆରା ବଢ଼ିବା ସାଙ୍ଗକୁ ସେ ପୁଣି ମନ୍ତ୍ରୀପଦ ହାତେଇଲେ।

ସିସୋର୍‌ ଚିଟ୍‌ ଫଣ୍ଡ୍‌ ଠକେଇ ମାମଲାରେ ଅରୁଣଙ୍କ ନାମ ଥିବା ସ୍ପଷ୍ଟ ହେବା ପରେ ଗତବର୍ଷ ତାଙ୍କୁ ମନ୍ତ୍ରୀପଦ ଛାଡ଼ିବା ପାଇଁ ଦଳମୁଖିଆଙ୍କ ଠାରୁ ଇଙ୍ଗିତ ମିଳିଥିଲା।

ଦଶପଲ୍ଲାରେ କାଶୀନାଥ ମଲ୍ଲିକ ଓ ଖଣ୍ଡପଡ଼ାରେ ଅନୁଭବ ପଟ୍ଟନାୟକ ଉଭୟ ଉଚ୍ଚଶିକ୍ଷିତ ଓ ଜନସାଧାରଣଙ୍କ ପ୍ରତି ଉଦାର ମନଭାବ ପୋଷଣ କରୁଥିବାରୁ ବେଶ୍‌ ଲୋକପ୍ରିୟ ହୋଇଛନ୍ତି। ରଣପୁରରେ ରବି ନାରାୟଣ ମଧ୍ୟ ଲୋକପ୍ରିୟ ଅଛନ୍ତି। ଏ ତିନିଜଣ ପୁନର୍ବାର ଟିକେଟ୍‌ ପାଆନ୍ତୁ ବୋଲି ଜନତା ଓ ଦଳୀୟ କର୍ମୀ ଚାହୁଁଥିବା ବେଳେ, ନୟାଗଡ଼ରେ ଅରୁଣଙ୍କୁ ନଦେଇ ସ୍ବର୍ଗତ ହେମେନ୍ଦ୍ରଙ୍କ ପତ୍ନୀ ତଥା ବର୍ତ୍ତମାନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀଙ୍କୁ ବିଧାୟକ ଟିକେଟ ଦିଆଯାଉ ବୋଲି ଦଳୀୟ କର୍ମୀ ଓ ଜନତା ଇଚ୍ଛା କରୁଛନ୍ତି। ଏପରିକି ବିଜେଡିର କିଛି ନେତା ଖୋଲାଖୋଲି ଅରୁଣଙ୍କୁ ବିରୋଧ କରି ପ୍ରତ୍ୟୁଷାଙ୍କ ଶିବିରରେ ଯୋଗ ଦେଇଛନ୍ତି। ଚିଟ୍‌ ଫଣ୍ଡ୍‌ ମାମଲାରେ ଅରୁଣଙ୍କୁ ସମନ୍‌ ହେବା ପରେ ଏବେ ଦଳ ଭିତରେ ତାଙ୍କୁ ହଟାଇବାକୁ ଦାବି ଯୋର ଧରୁଛି।

ଅନ୍ୟପଟେ ଚତୁର୍ଥ ଥର ପାଇଁ ବିଧାୟକ ହେବାକୁ ସ୍ବପ୍ନ ଦେଖୁଥିବା ଅରୁଣ ପୂର୍ବ ତିନି ଥର ଭଳି ଏଥର ମଧ୍ୟ ଅନ୍ୟ ତିନି ନିର୍ବାଚନ ମଣ୍ଡଳୀରୁ ନୂଆ ମୁହଁ ଦେବାକୁ ଉଦ୍ୟମ ଚଳାଇଛନ୍ତି। ଖଣ୍ଡପଡ଼ାରେ ଉଭୟ ବ୍ଲକରେ ଅନୁଭବଙ୍କ ପ୍ରସିଦ୍ଧି ଥିବା ବେଳେ ଦଳ ଭିତରେ ଫାଟ ସୃଷ୍ଟି କରି ଭାପୁର ବ୍ଲକ ବିଜେଡି ସଭାପତି ଗୟାଧର ପରିଡ଼ାଙ୍କୁ ଜଣେ ବିଦ୍ରୋହୀ ଓ ଅନୁଭବ ବିରୋଧୀ ନେତା ଭାବେ ପ୍ରଛନ୍ନରେ ପ୍ରୋତ୍ସାହିତ କରୁଛନ୍ତି ଅରୁଣ। ସେହିପରି ଖଣ୍ଡପଡ଼ା ବ୍ଲକରେ ଦୁଷ୍ମନ୍ତ ସ୍ବାଇଁ ନାମକ ଜଣେ ଆର୍କିଟେକ୍ଟ ମଧ୍ୟ ଅରୁଣଙ୍କ ବାହୁଛାୟା ତଳେ ରହି ବିଧାୟକ ହେବାର ସ୍ବପ୍ନ ଦେଖୁଛନ୍ତି। ପୂର୍ଣ୍ଣଚନ୍ଦ୍ରଙ୍କ ଭଳି ଏଥର ଦଶପଲ୍ଲାରେ ପୁଣି ଅନ୍ୟ ଜଣେ ସରକାରୀ ଅଧିକାରୀ ଓଏଏସ୍‌ ଅଧିକାରୀ ରମେଶ ବେହେରାଙ୍କୁ ପ୍ରାର୍ଥୀ କରିବାକୁ ଅରୁଣ ଇଚ୍ଛା କରୁଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ୁଛି। ରଣପୁରରେ ରବି ମହାପାତ୍ରଙ୍କୁ ହଟାଇ ପ୍ରତ୍ୟୁଷା ରାଜେଶ୍ବରୀ କିମ୍ବା ସତ୍ୟନାରାୟଣ ପ୍ରଧାନଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରୁଛନ୍ତି ନୟାଗଡ଼ ବିଧାୟକ।

ନିକଟରେ ଅରୁଣଙ୍କ ପ୍ରାୟୋଜନରେ ଦଶପଲ୍ଲାର ନୂଆଗାଁ ବ୍ଲକରେ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ବିରୋଧରେ ଏକ ପରିବର୍ତ୍ତନ ଶୋଭାଯାତ୍ରା ହୋଇଥିଲା। ସେହିପରି ଅରୁଣଙ୍କ ଇଙ୍ଗିତରେ ଖଣ୍ଡପଡ଼ାରେ ଗୟାଧରଙ୍କର ଏକ ସମର୍ଥକ ଗୋଷ୍ଠୀ ନବୀନ ନିବାସ ଯାଇ ବିଧାୟକ ଅନୁଭବଙ୍କ ବିରୋଧରେ ପ୍ରାୟୋଜିତ ଫେରାଦ ହେବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି।

ସ୍ବାମୀ ପଛେ ମରୁ, ସଉତୁଣୀକୁ ବିଧବା କରିବା ନ୍ୟାୟରେ ଅରୁଣ ଏବେ ନିଜ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଜନ ଅସନ୍ତୋଷ ତିଆରି କରୁଛନ୍ତି। ଅନ୍ୟପଟେ ତିନି ତିନି ଥର ବିଧାୟକ ହୋଇଥିବା ଅରୁଣଙ୍କ ପ୍ରତି ନୟାଗଡ଼ରେ ଜନ ଅସନ୍ତୋଷ ବୃଦ୍ଧିପାଉଛି। ତାଙ୍କ ଘରେ ହୋଇଥିବା ଛବି ବର୍ଦ୍ଧନ ହତ୍ୟାକାଣ୍ଡରେ ତାଙ୍କର ସଂପୃକ୍ତି ନେଇ ଅଭିଯୋଗ ସତ୍ତ୍ବେ ତାହା ଏଯାଏଁ ଅସମାହିତ ହୋଇ ରହିଛି। ଜଣେ ପୂର୍ବତନ ସରପଞ୍ଚ ତଥା କଂଗ୍ରେସ ନେତା ପ୍ରଫୁଲ୍ଲ ମହାନ୍ତିଙ୍କ ହତ୍ୟାରେ ମଧ୍ୟ ଅରୁଣଙ୍କ ସଂପୃକ୍ତି ଥିବା ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ।

ସବୁଠାରୁ ବଡ଼କଥା ହେଲା ଏବେ ସିସୋର୍‌ ଜାଲରେ ଛନ୍ଦି ହୋଇଥିବା ଅରୁଣ ସାହୁଙ୍କୁ ଢାଲ କରି କାକଟପୁର ଅଞ୍ଚଳର କ୍ଷଣପ୍ରଭା ଓଝା ନାମକ ଜଣେ ମହିଳା ନୟାଗଡ଼ ଓ ପଡ଼ୋଶୀ ଆଠଗଡ଼ ଅଞ୍ଚଳରୁ ଗରୀବ ମହିଳାଙ୍କୁ ସୁଧବିହୀନ ଋଣ କରାଇଦେବ କହି କୋଟି କୋଟି ଟଙ୍କା ଠକି ନେଇଛି। ଏ ନେଇ ୨୦୧୩ ଜୁନ ମାସରେ କ୍ରାଇମ ବ୍ରାଞ୍ଚରେ ଅଭିଯୋଗ ହୋଇଥିଲେ ହେଁ ରାଜ୍ୟ ସରକାର ଘଟଣାକୁ ଚାପି ଦେଇଛନ୍ତି। ନୟାଗଡ଼ରେ ପରିବର୍ତ୍ତନ ଅବଶ୍ୟମ୍ଭାବୀ ଜାଣି ଏବେ ଅନ୍ୟ ନିର୍ବାଚନ ମଣ୍ଡଳୀରେ ପ୍ରାୟୋଜିତ ପରିବର୍ତ୍ତନର ପରିବେଶ ତିଆରି କରି ନିଜ ସ୍ଥିତି ସ୍ଥିର ରଖିବାକୁ ଯୋରସୋର ଉଦ୍ୟମ ଚଳାଇଛନ୍ତି ଅରୁଣ କୁମାର ସାହୁ।

Comments are closed.