Odisha Link
Bridging the Missing Links in Odisha

ରବର୍ଟ ଭଦ୍ରାଙ୍କୁ ଫେବ୍ରୁଆରି ୧୬ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ତଥା ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ଶନିବାର ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ବେଆଇନ୍‌ ଆର୍ଥିକ କାରବାର ମାମଲାରେ ଫେବ୍ରୁଆରି ୧୬ ତାରିଖ ପର୍ଯ୍ୟନ୍ତ ତାଙ୍କର କୌଣସି ପ୍ରକାର ଗିରଫଦାରୀ ଉପରେ ରୋକ ଲଗାଇଛନ୍ତି ଅଦାଲତ। ଏଥିଲାଗି ଅଦାଲତ ଭଦ୍ରାଙ୍କୁ ୧ ଲକ୍ଷ ଟଙ୍କାର ସିଓରିଟି ଦାଖଲ ଲାଗି ନିର୍ଦେଶ ଦେଇଛନ୍ତି।  ଏଏନ୍‌ଆଇ ପକ୍ଷରୁ ହୋଇଥିବା ଟୁଇଟ୍‌ ଅନୁଯାୟୀ, ଭଦ୍ରାଙ୍କ ଓକିଲ କେଟିଏସ୍‌ ତୁଳସୀ କୋର୍ଟଙ୍କୁ ସୁନିଶ୍ଚିତ କରିଛନ୍ତି ଯେ ଭଦ୍ରା ଫେବ୍ରୁଆରି ୬ରେ ହେବାକୁ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର  ତଦନ୍ତ ସମୟରେ ଉପସ୍ଥିତ ରହି ସବୁ ପ୍ରକାର ସହଯୋଗ କରିବେ।

ଇଡି ଦ୍ୱାରା ରୁଜୁ ହୋଇଥିବା ବେଆଇନ୍‌ ଆର୍ଥିକ କାରବାର ମାମଲାରେ ଭଦ୍ରା ଦିଲ୍ଲୀ ଅଦାଲତରେ ଶୁକ୍ରବାର ଆଗୁଆ ଜାମିନ୍‌ ଆବେଦନ କରିଥିଲେ। ଏ ସଂପର୍କରେ ଜଣେ ଓକିଲ ସ୍ପଷ୍ଟ କରିଛନ୍ତି ଯେ ଭଦ୍ରାଙ୍କ ସହଯୋଗୀ ମନୋଜ ଅରୋରାଙ୍କୁ ଯେଉଁ ମାମଲାରେ ଫେବ୍ରୁଆରି ୬ ପର୍ଯ୍ୟନ୍ତ ଗିରଫଦାରିରୁ ଆଶ୍ବସ୍ତି ମିଳିଥିଲା ସେହି ମାମଲାରେ ଭଦ୍ରା ଅଗ୍ରୀମ ଜାମିନ୍‌ ଆବେଦନ କରିଥିଲେ।

ଉଲ୍ଲେଖଯୋଗ୍ୟ, ଲଣ୍ଡନଠାରେ ଥିବା ଏକ ୧.୯ ମିଲିୟନ୍‌ ପାଉଣ୍ଡ୍‌ର ସମ୍ପତ୍ତି କିଣିବା ପରେ ଭଦ୍ରାଙ୍କ ବିରୋଧରେ ବେଆଇନ୍‌ ଆର୍ଥିକ କାରବାର ମାମଲା ରୁଜୁ ହୋଇଛି।

Comments are closed.