Odisha Link
Bridging the Missing Links in Odisha

ନୟାଗଡ଼ ବିଧାୟକଙ୍କୁ ଢାଲ କରି ଲୁଟିନେଲେ ଗରୀବଙ୍କ ଟଙ୍କା

ନୟାଗଡ଼: ଉପରେ ଥିବା ଫଟୋରେ ମହିଳା ଜଣକ ହେଲେ କାକଟପୁର ଅଞ୍ଚଳର କ୍ଷଣପ୍ରଭା ଓଝା। କିନ୍ତୁ ନୟାଗଡ଼ ଓ କଟକ ଜିଲ୍ଲାରେ ଏ ମହାଶୟା ଚିଟ୍‌ ଫଣ୍ଡ୍‌ ନାମରେ କଳାକନା ବୁଲାଇଥିବା ଅଭିଯୋଗ ହୋଇଛି। ଏଥିରେ ନୟାଗଡ଼ର ବିଧାୟକ ଅରୁଣ ସାହୁ ସଂପୃକ୍ତ ଅଛନ୍ତି ବୋଲି କ୍ରାଇମ ବ୍ରାଞ୍ଚ ପାଖରେ ଅଭିଯୋଗ ବି ହୋଇଛି।

ଘଟଣା ଘଟିଛି ୨୦୧୨-୧୩ରେ। ଅସହାୟ ଶ୍ରମଜୀବୀ ମହିଳା ସମିତି ନାମରେ ଏକ ଅନୁେଷ୍ଠାନ ଖୋଲି ଏ ମହାଶୟା ନୟାଗଡ଼ରେ ନିଜର ବେପାରର ବିପଣି ଖୋଲିଥିଲେ। ଆଉ ଏଥିରେ ସେତେବେଳେ ମନ୍ତ୍ରୀ ଥିବା ତଥା ବର୍ତ୍ତମାନ ନୟାଗଡ଼ର ବିଧାୟକ ଥିବା ଡକ୍ଟର ଅରୁଣ କୁମାର ସାହୁ ମହିଳାଙ୍କୁ ସହଯୋଗ କରିଥିବା ଅଭିଯୋଗ ହୋଇଛି।

ଗରିବ ଓ ଦୁଃଖୀ ମହିଳାମାନଙ୍କୁ ଏକାଠି କରି କ୍ଷଣପ୍ରଭା ନୟାଗଡ଼ରେ ଏକ ସଭା କରିଥିଲେ। ସଭାରେ ଉଦଘାଟକ ଭାବେ ଉଭା ହୋଇଥିଲେ ଖୋଦ ଅରୁଣ ସାହୁ। ତାଙ୍କ ସହ ତତ‌କାଳୀନ ବ୍ଲକ ଅଧ୍ୟକ୍ଷ ଓ ନୟାଗଡ଼ର ଜିଲ୍ଲାପରିଷଦ ସଦସ୍ୟ (ସମସ୍ତେ ବିଜେଡିର) ମଧ୍ୟ ମଞ୍ଚାସୀନ ହୋଇଥିଲେ।

ମହିଳାଙ୍କୁ ବିନା ସୁଧରେ ଋଣ ଯୋଗାଇ ଦେବାକୁ ସଭାରେ ପ୍ରତିଶ୍ରୁତି ଦେଇଥିଲେ କ୍ଷଣପ୍ରଭା। ମଞ୍ଚାସୀନ ଅତିଥିମାନେ ବି ତାଙ୍କର କାର୍ଯ୍ୟକୁ ବେଶ୍‌ ପ୍ରଶଂସା କରିଥିଲେ। ମନ୍ତ୍ରୀଙ୍କ ପ୍ରଶଂସା ଶୁଣି ମହିଳାମାନେ ବି କ୍ଷଣପ୍ରଭାଙ୍କ କଥାକୁ ସତ ମଣିଥିଲେ। ଫର୍ମ ପୂରଣ ଓ ସିକ୍ୟୁରିଟି ଆକାରରେ (ଯାହା ପରେ ଫେରସ୍ତ କରାଯିବ ବୋଲି କୁହାଯାଇଥିଲା) ମହିଳାମାନଙ୍କ ଠାରୁ ୭,୨୦୦ ଟଙ୍କା ଲେଖାଏଁ ଅର୍ଥ ଆଦାୟ କରିଥିଲେ କ୍ଷଣପ୍ରଭା। ନୟାଗଡ଼ରେ ସଫଳ ହେବା ପରେ ସେ ପଡ଼ୋଶୀ ଆଠଗଡ଼ ଅଞ୍ଚଳକୁ ଯାଇ ସମାନ ଧରଣର ସଭା କରିଥିଲେ। ଜମାକାରୀଙ୍କୁ ତତ‌୍କାଳୀନ ମନ୍ତ୍ରୀ ଅରୁଣ ସାହୁଙ୍କ ସହ ନିଜର ଫଟୋ ଦେଖାଇ ସେମାନଙ୍କର ବିଶ୍ବାସଭାଜନ ହୋଇଥିଲେ କ୍ଷଣପ୍ରଭା। ସମାନ ଉପାୟରେ ସେଠାରୁ ମଧ୍ୟ ଟଙ୍କା ଆଦାୟ ହୋଇଥିଲା।

ହଜାର ହଜାର ଗରୀବ ମହିଳାଙ୍କୁ ମିଛ ସ୍ବପ୍ନ ଦେଖାଇ କୋଟି କୋଟି ଟଙ୍କା ଆଦାୟ କରିବା ପରେ ହଠାତ କ୍ଷଣପ୍ରଭା କାର୍ଯ୍ୟାଳୟ ଉଠାଇ କେଉଁଆଡ଼େ ଫେରାର୍‌ ହୋଇ ଯାଇଥିଲେ। ଠକାମୀର ଶିକାର ହୋଇଥିବା ଜାଣିବା ପରେ ଜମାକାରୀମାନେ ୨୦୧୩ ଜୁନ୍‌ ମାସରେ ଭୁବନେଶ୍ବର ଯାଇ କ୍ରାଇମ ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାର ଦ୍ବାରସ୍ଥ ହୋଇଥିଲେ। ସେତେବେଳେ ଜମାକରୀମାନେ ଗଣମାଧ୍ୟମକୁ କ୍ଷଣପ୍ରଭାଙ୍କ ସହ ଅରୁଣ ସାହୁ ବସିଥିବା ଫଟୋ ଦେଖାଇଥିବା ବେଳେ ତାଙ୍କ ବିଶ୍ବାସରେ ଟଙ୍କା ଦେଇଥିବା ଅଭିଯୋଗ କରିଥିଲେ।

ଅଭିଯୋଗର ୫ ବର୍ଷ ବିତି ଯାଇଥିଲେ ହେଁ ସରକାର ଘଟଣାକୁ ଚାପି ଦେଇଛନ୍ତି। ଏବେ ସିସୋର୍‌ ଚିଟ୍‌ ଫଣ୍ଡ୍‌ ମାମଲାରେ ସିବିଆଇ ଅରୁଣଙ୍କୁ ସମନ୍‌ କରିବା ପରେ ଅଭିଯୋଗକାରୀଙ୍କ ମନରେ ପୁରୁଣା କ୍ଷତ ପୁଣି ତାଜା ହୋଇ ଉଠିଛି।

Comments are closed.