ଭାରତ ଆସିପାରିବେ ପାକିସ୍ତାନ ଆଥଲେଟ

ନୂଆଦିଲ୍ଲୀ: ଭାରତୀୟ ଖେଳପ୍ରେମୀଙ୍କ ପାଇଁ ଖୁସି ଖବର। କାହିଁକିନା ଭାରତରେ ଏକାଧିକ ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ ହେବାର ସମ୍ଭାବନା। ପୂର୍ବରୁ ଭାରତରେ ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ ନହେବା ନେଇ ଯେଉଁ ଆଶଙ୍କା ଦେଖା ଯାଇଥିଲା, ତାହା ଏବେ ଦୂର ହୋଇଯାଇଛି। କାରଣ ଭାରତ ସରକାର ଲିଖିତ ଭାବେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଓଆଇସି) କୁ ପାକିସ୍ତାନ ଖେଳାଳି ଓ ଅଧିକାରୀମାନଙ୍କୁ ନୂଆଦିଲ୍ଲୀ ଆସିବାକୁ ଅନୁମତି ଦେବେ ବୋଲି ରାଜି ହୋଇଛନ୍ତି। ଖେଳ ସହ କୌଣସି ପ୍ରକାରର ରାଜନୀତିକ ବିଷୟବସ୍ତୁକୁ ସାମିଲ କରାଯିବ ନାହିଁ ବୋଲି ଭାରତ ସରକାର ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ଗତ ଫେବୃଆରୀ ମାସରେ ଭାରତ ସରକାର ନୂଆଦିଲ୍ଲୀରେ ଆୟୋଜିତ ବିଶ୍ୱକପ ଶୁଟିଂ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଦୁଇ ଜଣ ପାକ୍ ଶୁଟରକୁ ଅନୁମତି ଦେଇ ନଥିଲେ। ଏଥିରେ ଓଆଇସି କ୍ଷୋଭ ପ୍ରକାଶ କରିଥିଲା ଏବଂ ଭାରତକୁ ଅଲିମ୍ପିକ କ୍ୱାଲିଫାୟର ଆୟୋଜନ କରିବାକୁ ଅନୁମତି ମିଳିପାରିବ ନାହିଁ ବୋଲି କହିଥିଲା।